ବ୍ରହ୍ମପୁର,୧୫/୧୨: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା ବିକ୍ରମ ପଣ୍ଡାଙ୍କ ସମେତ ୫ ଅଭିଯୁକ୍ତଙ୍କୁ ଶକ୍ତ ଝଟକା। ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାଶ (ପିଣ୍ଟୁ), ଆଇନଜୀବୀ ମଦନ ମୋହନ ଦଳାଇ, ଶୂନ୍ୟଚନ୍ଦ୍ର ଦାସ ଓ ସୁନୀଲ ହୋତାଙ୍କ ଜାମିନ ଆବେଦନ ଖାରଜ । ବ୍ରହ୍ମପୁର ସ୍ୱତନ୍ତ୍ର କୋର୍ଟ ତଥା ଏଡିଜେ-୩ କୋର୍ଟ ବେଲ୍ ଆବେଦନକୁ ଖାରଜ କରିଛନ୍ତି । କୋର୍ଟ ୧୩ ତାରିଖରେ ଶୁଣାଣି ରାୟ ସଂରକ୍ଷିତ ରଖିଥିଲେ ।
ସୂଚନା ଅନୁଯାୟୀ, ଗତ ୯ ତାରିଖରେ ତଦନ୍ତକାରୀ ଅଧିକାରୀ ବ୍ରହ୍ମପୁର ଟାଉନ୍ ଏସଡିପିଓ ପ୍ରିୟସ୍ ରଞ୍ଜନ ଛୋଟରାୟ ସିଡି(କେସ୍ ଡାଏରୀ) ଦାଖଲ କରିଥିଲେ । ମାତ୍ର ସେହି ଦିନ ଜାମିନ ଶୁଣାଣି ହୋଇପାରିନଥିଲା । ୧୩ ତାରିଖ ଅର୍ଥାତ୍ ଶନିବାର ଶୁଣାଣି ହୋଇଥିଲା । ବିକ୍ରମଙ୍କ ପାଇଁ ହାଇକୋର୍ଟର ବରିଷ୍ଠ ଆଇନଜୀବୀ ମାନସ ଚାନ୍ଦ, କୈଳାସ ପଣ୍ଡା, କେକେ ବେହେରା, ଦୀପକ ପଟ୍ଟନାୟକ, ଶିବ ନାରାୟଣ ସାହୁ ମାମଲା ପରିଚାଳନା କରିଥିବା ବେଳେ ସହଯୋଗ କରିବାକୁ ୫୦ରୁ ଅଧିକ ଆଇନଜୀବୀ ଉପସ୍ଥିତ ହୋଇଥିଲେ । ସେପଟେ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଭାବେ ବରିଷ୍ଠ ଆଇନଜୀବୀ କାଳୀ ଶଙ୍କର ମିଶ୍ର ମାମଲା ପରିଚାଳନା କରିଥିଲେ । ଗଞ୍ଜାମ ପିପି ବିଶ୍ୱଜିତ ବରାଳ ତାଙ୍କୁ ସହଯୋଗ କରିଥିଲେ । ବିକ୍ରମଙ୍କ ଜାମିନ ଆବେଦନକୁ ଦୃଢ଼ ବିରୋଧ କରିଥିଲେ ସରକାରୀ ଓକିଲ । ପୀତବାସଙ୍କୁ ହତ୍ୟା ପରେ ତାଙ୍କ ପରିବାର ଲୋକଙ୍କୁ ହତ୍ୟା ଧମକ ଦିଆଯାଉଛି । ଦୁଇ ଥର ଫୋନ୍ କରି ତାଙ୍କୁ ହତ୍ୟା ଧମକ ଦିଆଯାଇଛି ।
ଏ ନେଇ ବୈଦ୍ୟନାଥପୁର ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି । ଗୋଟିଏ କେସ୍ କାହାକୁ ଅଭିଯୁକ୍ତ ଦର୍ଶାଯାଇନଥିବା ବେଳେ ଆଉ ଗୋଟିଏ କେସରେ ବିକ୍ରମଙ୍କ ନାମ ରହିଥିବା ଜଣାପଡିଛି । ଦୁଇଟି କେସରେ ସମସ୍ତ ରେକର୍ଡ ଶନିବାର ସରକାରୀ ଓକିଲଙ୍କ ଜରିଆରେ ଦାଖଲ କରିଥିଲା ପୁଲିସ । ଏହି ରେକର୍ଡ ଦାଖଲ କରିବା ପରେ ବିକ୍ରମଙ୍କ ଓକିଲ ଏହାର ମଧ୍ୟ ଜବାବ ରଖିଥିଲେ । ଗିରଫଦାରୀକୁ ନେଇ ଦୁଇ ପକ୍ଷ ଓକିଲଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା । ସେପଟେ ବିକ୍ରମଙ୍କ ଓକିଲ ଦୀପକ କୁମାର ପଟ୍ଟନାୟକ କହିଛନ୍ତି, ପୁଲିସ ଗିରଫ ସମୟରେ କୌଣସି ନିୟମ ମାନି ନାହିଁ । ଗିରଫ ସମୟରେ ତାଙ୍କ ଘର ଲୋକ କିମ୍ବା ସ୍ଥାନୀୟ ଭଦ୍ରବ୍ୟକ୍ତିଙ୍କୁ ନୋଟିସ୍ କରି ନାହିଁ । ପୀତବାସଙ୍କୁ କୁରୁପତି ଭୂୟାଁ ଓ ସହଯୋଗୀ ଚିଣ୍ଟୁ ପ୍ରଧାନ ଗୁଳି କରିଥିଲେ । ଚିଣ୍ଟୁ ପ୍ରଧାନ ବୟାନ ଆଧାରରେ ବିକ୍ରମ କୁମାର ପଣ୍ଡାଙ୍କୁ ଗିରଫ କରାଯାଇଥିବା ପୁଲିସ ଦର୍ଶାଇଛି । କିନ୍ତୁ ପୁଲିସ ଦେଇଥିବା ଆରେଷ୍ଟ୍ ମେମୋ ଅନୁସାରେ ବିକ୍ରମଙ୍କ ଗିରଫ ପରେ ଚିଣ୍ଟୁଙ୍କୁ ଗିରଫ କରାଯାଇଛି ବୋଲି କୋର୍ଟକୁ ଜଣାଇଥିଲେ। ଶେଷରେ ସ୍ୱତନ୍ତ୍ର କୋର୍ଟ ତଥା ଏଡିଜେ-୩ କୋର୍ଟ ଜାମିନ୍ ଆବେଦନ ରାୟ ଶୁଣାଣି ସଂରକ୍ଷିତ ରଖିଥିଲେ। ଆଜି କୋର୍ଟରେ ପୁଣି ଜାମିନ୍ ଆବେଦନ ରାୟ ଶୁଣାଇଛନ୍ତି କୋର୍ଟ। ସମସ୍ତ ୫ ଅଭିଯୁକ୍ତ ବେଲ୍ ଆବେଦନକୁ ଖାରଜ କରିଦେଇଛନ୍ତି।