ବ୍ରହ୍ମପୁର,୨୨/୧୧: ପୀତବାସ ପଣ୍ଡା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଉମା ବିଷୋୟୀ, ସାର୍ପ ସୁଟର କୁରୁପତି ଭୂୟାଁ, ବାଇକ୍ ଚାଳକ ଚିଣ୍ଟୁ ପ୍ରଧାନ ଓ ସହଯୋଗୀ ଯୋଗୀ ରାଉତକୁ ପୁଲିସ ଦୁଇଦିନିଆ ରିମାଣ୍ଡ୍ରେ ଆଣି ପଚରାଉଚରା କରିବା ପରେ ଶୁକ୍ରବାର ପୁଣି କୋର୍ଟ ହାଜର କରିଛି । ହତ୍ୟା ଘଟଣାରେ ଅଧିକ ତଦନ୍ତ ଓ ତଥ୍ୟ ପାଇଁ ଉପରୋକ୍ତ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ପୁଲିସ ବ୍ରହ୍ମପୁର ଏସ୍ଢିଜେଏମ୍ କୋର୍ଟରେ ଆବେଦନ କରିଥିଲା । କୋର୍ଟ ଦୁଇଦିନ ରିମାଣ୍ଡ ଅନୁମତି ଦେବା ପରେ ଗତକାଲି ସନ୍ଧ୍ୟାରେ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ୍ରୁ ଆଣି ବୈଦ୍ୟନାଥପୁର ଥାନାରେ ରଖାଯାଇଥିଲା । ଏଏସ୍ପି ଆଲୋକ କୁମାର ଜେନା ଓ ବ୍ରହ୍ମପୁର ଟାଉନ୍ ଏସ୍ଡିପିଓ ପ୍ରିୟସ୍ ରଞ୍ଜନ ଛୋଟରାୟଙ୍କ ସହ ବରିଷ୍ଠ ଅଧିକାରୀମାନେ ଅଭିଯୁକ୍ତଙ୍କୁ ପୁଣି ଜେରା କରିଥିଲେ ।
ପ୍ରଥମ ଥର ଏମାନଙ୍କୁ ରିମାଣ୍ଡ୍ରେ ଆଣି ପୁଲିସ ହତ୍ୟା ଘଟଣାର ସିନ୍ ରିକ୍ରିଏସନ୍ କରିଥିଲା । ସେମାନଙ୍କୁ ବିଭିନ୍ନ ଦିଗରୁ ପଚରାଉଚରା କରିବା ପରେ କୋର୍ଟ ହାଜର କରିଥିଲା । ଏବେ ସେମାନଙ୍କୁ ଜେରା କରିବା ପରେ ଅଭିଯୁକ୍ତମାନେ ବ୍ୟବହାର କରିଥିବା ଗୋଟିଏ ବାଇକ୍ ଜବତ ହୋଇଛି । ଅଭିଯୁକ୍ତ ଯୋଗୀ ରାଉତ ତା’ର ଘରେ ବାଇକ୍ ରଖିଥିଲା । ପୁଲିସ ତାହା ଜବତ କରିଛି । ଆଉ ଗୋଟିଏ ବାଇକ୍ ହତ୍ୟା ଘଟଣା ପରେ ଅଭିଯୁକ୍ତମାନେ ରାମେଶ୍ୱର ନିକଟରେ ଛାଡିଦେଇଥିଲେ । ସେଠାରେ ବାଇକ୍ ଚୋରି ହୋଇଥିବା ବେଳେ ଚୋର କବାଡିଆକୁ ଦେଇ ବାଇକ୍ ଗୁଣ୍ଡ କରିଦେଇଥିଲା । ବାଇକ୍ର କୌଣସି ଅଂଶ ପୁଲିସ ପାଇନଥିଲା । ଅଭିଯୁକ୍ତଙ୍କୁ ଜେରା କରିବା ପରେ ଆଜି ଅପରାହ୍ନରେ ସେମାନଙ୍କୁ କୋର୍ଟ ହାଜର କରାଯାଇଥିଲା । କୋର୍ଟ ନିର୍ଦ୍ଦେଶ ପ୍ରକାରେ ସେମାନଙ୍କୁ ବ୍ରହ୍ମପୁର ଜେଲ୍କୁ ପଠାଇଦିଆଯାଇଛି ।
ସୂଚନାଯୋଗ୍ୟ ଅକ୍ଟୋବର ୬ ତାରିଖରେ ବୈକୁଣ୍ଠନଗର ଛକରେ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଅକ୍ଟୋବର ୨୨ ତାରିଖରେ ଏହି ମାମଲାର ଖୁଲାସା କରିବା ସହ ପର୍ଯ୍ୟାୟକ୍ରମେ ପୁଲିସ ୧୬ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଅଭିଯୁକ୍ତମାନେ ଗିରଫ ହେବା ପରେ କର୍ପୋରେଟର ମଳୟ ବିଷୋୟୀ, ମଦନ ଦଳେଇ ଓ ଉପରୋକ୍ତ ଚାରିଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପୁଲିସ ଜେରା କରିବା ସହ ସିନ୍ ରିକ୍ରିଏସନ୍ କରାଇଥିଲା । ଏହି ମାମଲାରେ ଜେଲ୍ରେ ଥିବା ଅଭିଯୁକ୍ତଙ୍କୁ ନେଇ ପୁଲିସ ଦୁଇଥର ସାକ୍ଷୀଙ୍କ ଉପସ୍ଥିତିରେ ଟିଆଇ ପରେଡ୍ କରିସାରିଛି ।