‘କାଳିଆ’ ପାଇଁ ଆପଦକାଳୀନ ପାଣ୍ଠି ଉଠାଇ ବିଜେଡି ଏବେ ମିଛ କହୁଛିି, ୩୦ ଲକ୍ଷ ହିତାଧିକାରୀଙ୍କ ତାଲିକା ଦିଅନ୍ତୁ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩ ।୧(ବ୍ୟୁରୋ): ଦୀର୍ଘ ୧୯ ବର୍ଷ ଧରି ରାଜ୍ୟ ସରକାର କୃଷି ଓ କୃଷକ ମାନଙ୍କୁ ଅବହେଳିତ କରିଚାଲିଛନ୍ତି । ଆଗକୁ ନିର୍ବାଚନ ଥିବାରୁ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନା କରି ପୁଣିଥରେ ରାଜ୍ୟର ଚାଷୀମାନଙ୍କୁ ଭ୍ରମିତ କରିବାକୁ ବସିଛନ୍ତି । କାଳିଆ ଯୋଜନା ପାଇଁ ଆପଦକାଳୀନ ପାଣ୍ଠିରୁ ଅର୍ଥ ଉଠାଇବା ପ୍ରସଙ୍ଗରେ ଶାସକ ଦଳ ମିଥ୍ୟା ଏବଂ ଭୁଲ ତଥ୍ୟ ରଖିଛି ବୋଲି ରାଜ୍ୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତିି ଯେ, କେବଳ ଆପାତକାଳୀନ ସ୍ଥିତିରେ କଂଟିଜେନ୍ସି ଫଣ୍ଡ ବ୍ୟବହାର କରାଯାଏ । କିନ୍ତୁ ରାଜ୍ୟ ସରକାର ଏଠି ଭୋଟ ହାତେଇ ନିର୍ବାଚନ ବୈତରଣୀ ପାର ହେବାକୁ ବେନିୟମ ଭାବେ ଆକସ୍ମିକ ପାଣ୍ଠିରୁ ଅର୍ଥ ଉଠାଇଛନ୍ତି । ରାଜ୍ୟ ସରକାର ୯୨ ହଜାର କୋଟି ଋଣଭାରରେ ବୁଡି ଥିବା ବେଳେ ପୁଣି ଋଣ କରି ଯୋଜନା କରିବାର ଉଦ୍ଦେଶ୍ୟ କଣ ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି ।
ସେ ଅଭିଯୋଗ କରିଛନ୍ତି, ସାରା ରାଜ୍ୟରେ କୃଷକମାନଙ୍କ ସମସ୍ୟା ଦିନକୁ ଦିନ ଜଟିଳ ହେବା ସହ ଚାଷୀମାନଙ୍କର ଆର୍ଥିକ ସ୍ଥିତି ଶୋଚନୀୟ ହୋଇ ଚାଲିଛି । ୧୯ ବର୍ଷର ବିଜେଡ଼ି ସରକାର ସମାଧାନର ରାସ୍ତା କାଢିବା ବଦଳରେ ମିଛ ରାଜନୈତିକ ନାଟକ ବାଜିରେ ବ୍ୟସ୍ତ ରହିଛି । କେତେବେଳେ କାଳିଆ ଯୋଜନା ନାଁରେ ଭଣ୍ଡାଉଛି ତ କେତେବେଳେ ମଣ୍ଡି ନଖୋଲି ଚାଷୀମାନଙ୍କୁ ହଇରାଣ କରୁଛନ୍ତି । କୃଷକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂରଣ କରିନାହାନ୍ତି । ବିଶେଷ ଭାବରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ବୋନସ୍ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରି ମଧ୍ୟ ମିଳୁନାହିଁ । ରାଜ୍ୟରେ ଜଳସେଚନ ୩୦ ପ୍ରତିଶତରୁ କମ୍ ଜମିକୁ ମିଳିଛି । ଶୀତଳ ଭଣ୍ଡାର ସଂଖ୍ୟା ବଢିପାରିଲା ନାହିଁ । କୃଷି ମିଶନ, ଆଳୁ, ପିଆଜ ମିଶନ ମରୁଡି ସମସ୍ୟା, ବାତ୍ୟା ଜନିତ କ୍ଷୟକ୍ଷତି ଦେବାରେ ରାଜ୍ୟସରକାର ଫେଲ୍ । ପରିବା, ଫଳ, ଅଣ୍ଡା, ତଥା ଦୁଗ୍ଧ ପାଇଁ ଓଡ଼ିଶା ବାହାର ରାଜ୍ୟ ଉପରେ ନିର୍ଭରଶୀଳ । ଦଲାଲମାନଙ୍କ ଦ୍ୱାରା କମ୍ ଦରରେ ଧାନ କିଣା ଯାଇ ଆନ୍ଧ୍ର ଏବଂ ଛତିଶଗଡରେ ଏହାକୁ ଅଧିକ ଦରରେ ବିକ୍ରି କରାଯାଉଛି । କାଳିଆ ଯୋଜନା ନାଁରେ ଲୋକମାନଙ୍କୁ ଭ୍ରମିତ କରାନଯାଉ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ଯଦି ସରକାର ସ୍ୱଛତାର ସହ କାମ କରୁଛନ୍ତି ତେବେ ବୁଧବାର ସନ୍ଧ୍ୟା ସୁଦ୍ଧା ୩୦ ଲକ୍ଷ ହିତାଧିକାରୀଙ୍କ ତାଲିକା ଦିଅନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ ଆହ୍ୱାନ ଦେଇଛନ୍ତି ।