ନୂଆଦିଲ୍ଲୀ: ନୂଆକରି ଲଞ୍ଚ ହୋଇଥିବା ବ୍ଲିଙ୍କିଟ୍ ର ୧୦ ମିନିଟରେ ଆମ୍ବୁଲାନ୍ସ ସେବାକୁ ପ୍ରଶଂସା କଲେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ। ଏନେଇ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶୁକ୍ରବାର ପୀୟୁଷ ଗୋଏଲ ଏହି ସେବାକୁ ପ୍ରଶଂସା କରିବା ସହ ଦେଶର ନିୟମ ମାନି କାମ କରିବାକୁ ପଡ଼ିବ ବୋଲି ମଧ୍ୟ କହିଛନ୍ତି।

୧୦ ମିନିଟ୍‌ରେ ସର୍ଭିସ୍ ଯୋଗାଇ ଦେବାକୁ ଟାର୍ଗେଟ୍ ରଖିଥିବା ବ୍ଲିଙ୍କିଟ୍ ପ୍ରଥମେ ଗୁରୁଗ୍ରାମରୁ ସର୍ଭିସ ଆରମ୍ଭ କରିବା ପରେ ଏହାକୁ ନେଇ ଗୋୟାଲ ନିଜର ପ୍ରଥମ ବକ୍ତବ୍ୟ ରଖିଛନ୍ତି। 

ଆମ୍ବୁଲାନ୍ସ ସେବା କିମ୍ବା ଔଷଧ ବିତରଣ ସହିତ ଜଡିତ ବ୍ଲିଙ୍କିଟ୍ ବିଷୟରେ ମୋର ଏକମାତ୍ର ଉପସ୍ଥାପନା ହେଉଛି ସେମାନେ ଦେଶରେ ଥିବା ନିୟମ ମାନନ୍ତୁ। ଯେକୌଣସି ଆଇନଗତ ଆବଶ୍ୟକତାକୁ ସଠିକ୍ ଭାବରେ ଧ୍ୟାନରେ ରଖି ନିଷ୍ପତ୍ତି ଗ୍ରହଣ କରନ୍ତୁ। ଏହି କ୍ଷେତ୍ରରେ କୌଣସି ନିୟମ କାନୁନ ଭାଙ୍ଗିବା ଉଚିତ୍ ନୁହେଁ ବୋଲି ଗୋୟଲ ଗଣମାଧ୍ୟମକୁ କହିଛନ୍ତି।

ସୁଚନା ମୁତାବକ, ଜାନୁଆରୀ ୨ ତାରିଖରେ ଆମ୍ବୁଲାନ୍ସ ସେବା ଆରମ୍ଭ କରିଥିଲା କ୍ୱିକ୍ କମର୍ଶ ସର୍ଭିସ୍ ଯୋଗାଉଥିବା ସଂସ୍ଥା ବ୍ଲିଙ୍କିଟ୍। ପ୍ରଥମେ ସହରାଞ୍ଚଳରେ ଜରୁରିକାଳୀନ ମେଡିକାଲ ସେବା ଯୋଗାଇ ଦେବାକୁ କମ୍ପାନୀ ଯୋଜନା ରଖିଥିଲା। ୧୦ ମିନିଟ୍‌ ମଧ୍ୟରେ ସର୍ଭିସ୍ ଯୋଗାଇ ଦେବାକୁ ଟାର୍ଗେଟ୍ ରଖିଥିବା ବ୍ଲିଙ୍କିଟ୍ ପ୍ରଥମେ ଗୁରୁଗ୍ରାମରୁ ନିଜର ସର୍ଭିସ ଆରମ୍ଭ କରିଥିଲା। ଏନେଇ ଗୁରୁବାର(ଜାନୁଆରୀ ୨) ଏହାର ସିଇଓ ତଥା ସହ ସଂସ୍ଥାପକ ଅଲବିନ୍ଦର ଢିଣ୍ଡସା ସୂଚନା ଦେଇଥଲେ। 

ଢିଣ୍ଡସା କହିଥିଲେ “ଆମେ ୧୦ ମିନିଟ ମଧ୍ୟରେ ଆମ୍ବୁଲାନ୍ସ ସେବା ଯୋଗାଇବୁ। ଯାହା ଆମ ସହରରେ ଶୀଘ୍ର ଏବଂ ନିର୍ଭରଯୋଗ୍ୟ ଆମ୍ବୁଲାନ୍ସ ସେବା ଯୋଗାଇବା ସମସ୍ୟାର ସମାଧାନ ଦିଗରେ ପ୍ରଥମ ପଦକ୍ଷେପ ହେବ। ଆମ ସହରରେ ଶୀଘ୍ର ଏବଂ ନିର୍ଭରଯୋଗ୍ୟ ଆମ୍ବୁଲାନ୍ସ ସେବା ଯୋଗାଇବା ସମସ୍ୟାର ସମାଧାନ ଦିଗରେ ଆମେ ପ୍ରଥମ ପଦକ୍ଷେପ ନେଇଛୁ। ଆଜି ଠାରୁ ଗୁରୁଗ୍ରାମ ରାସ୍ତାରେ ପ୍ରଥମେ ୫ଟି ଆମ୍ବୁଲାନ୍ସ ଚାଲିବ। ପରେ ଆମେ ଆମ ସେବାକୁ ଅଧିକ କ୍ଷେତ୍ରକୁ ବିସ୍ତାର କରିବୁ। ଆପଣ @ଲେଟବ୍ଲିଙ୍କିଟ୍ ଆପ୍ ମାଧ୍ୟମରେ ଆମର ବେସିକ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ବୁକ୍ କରିବାର ଏକ ବିକଳ୍ପ ପାଇପାରିବେ।”

ବ୍ଲିଙ୍କିଟ୍‌ରେ ପ୍ରତ୍ୟେକ ଆମ୍ବୁଲାନ୍ସରେ  ଆବଶ୍ୟକୀୟ ଜୀବନ ରକ୍ଷାକରୀ ଉପକରଣ ଯଥା ଅକ୍ସିଜେନ ସିଲିଣ୍ଡର, ଅଟୋମେଟେଡ୍ ଏକ୍ସଟର୍ଣ୍ଣାଲ ଡିଫିବ୍ରିଲେଟର (AEDs), ଷ୍ଟ୍ରେଚର୍, ମନିଟର, ସକ୍ସିନ୍ ମେସିନ୍ ଏବଂ ଜରୁରୀକାଳୀନ ଔଷଧ ଆଦି ରହିଛି।  କେବଳ ସେତିକି ନୁହେଁ, ଏମାର୍ଜେନ୍ସି ଚିକିତ୍ସା ପାଇଁ ଜଣେ ତାଲିମପ୍ରାପ୍ତ ପାରାମେଡିକ୍, ଜଣେ ସହକାରୀ ଏବଂ ଜଣେ ଯୋଗ୍ୟ ଡ୍ରାଇଭର କର୍ମଚାରୀ ନିଯୁକ୍ତ ଅଛନ୍ତି ବୋଲି ଢିଣ୍ଡସା କହିଥିଲେ।

ବ୍ଲିଙ୍କିଟ୍‌ର ଆମ୍ବୁଲାନ୍ସ ସେବା ଲାଭ ପାଇଁ ନୁହେଁ ବରଂ ସେବା ମନୋବୃତ୍ତିରେ କରାଯାଇଛି। ଖୁବ୍ କମ୍ ଟଙ୍କାରେ ଏହି ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ। ଆସନ୍ତା ୨ ବର୍ଷ ମଧ୍ୟରେ ଦେଶର ବିଭିନ୍ନ ସହରରେ ଏହି ଆମ୍ବୁଲାନ୍ସ ସେବା ଆରମ୍ଭ ହେବ ବୋଲି ଢିଣ୍ଡସା କହିଥିଲେ।