ନାଟକ ‘ଅକୁହା କଥା’ ମଞ୍ଚସ୍ଥ

ଭୁବନେଶ୍ୱର,୨୯ା୧(ବ୍ୟୁରୋ): ମିଛମାୟା ଭରା ଏ ସଂସାରରେ ସତ୍ୟବାଦୀ ଓ ସ୍ପଷ୍ଟବାଦୀ ମଣିଷ ଖୁବ୍ କମ୍ ଦେଖିବାକୁ ମିଳନ୍ତି । ଏହି ସତ୍ୟବାଦୀ ଓ ସ୍ପଷ୍ଟବାଦୀ ମଣିଷ ମଦ୍ୟରେ ଦେବଦତ୍ତ ଥିଲେ ଜଣେ ଅନନ୍ୟ ଚରିତ୍ର । ଜୀବନସାରା ସ୍ପଷ୍ଟବାଦିତା ଓ ନିଃସ୍ୱାର୍ଥପର ସେବା ଯୋଗାଇ ଦିନେ ପରିସ୍ଥିତିରେ ପଡି ନିଜର ବିବେକ ପାଖରେ ମାନବିକତାକୁ ବଳି ପକାଇଦେଲେ । ଯାହାକି ତାଙ୍କ ଜୀବନକୁି ଘାଣ୍ଟିଚକଟି ଅସ୍ତବ୍ୟସ୍ତ କରିଦେଉଥିଲା । କିପରି ସେହି ସତ୍ୟତାକୁ ପ୍ରକାଶ କରିବେ ବାଟ ଖୋଜୁଥିଲେ । ଶେଷର ପରିବାର ସଦସ୍ୟଙ୍କ ଚାପରେ ତାହାକୁ ପ୍ରକାଶ କରି ଛାତିର ଯନ୍ତ୍ରଣାକୁ ସ୍ୟ କରିନପାରି ଶେଷ ନିଃଶ୍ୱାସ ତ୍ୟାଗ କଲେ । ଏପରି ଏକ ବିଷୟବସ୍ତୁକୁ ନେଇ ବିଜ୍ଞାନ ଓ ବୈଷୟିକ ବିଭଗେ ସାଂସ୍କୃତିକ ପରିଷଦର କଳାକାରମାନଙ୍କ ଦ୍ୱାରା ମଞ୍ଚସ୍ଥ ହୋଇଛି ନାଟକ ‘ଅକୁହା କଥା’ । ଦର୍ଶକମାନେ ଭଞ୍ଜକଳା ମଣ୍ଡପରେ ମଞ୍ଚସ୍ଥ ଏହି ନାଟକର ଭରପୂର ମଜା ଉଠାଇଥିଲେ । ଏହି ନାଟକଟିକୁ ପ୍ରଦୀପ କୁମାର ବିଶ୍ୱାଳ ରଚନା କରିଥିଲେ । ନିର୍ଦ୍ଦେଶନା ଦେଇଥିଲେ ତ୍ରିନାଥ ବାରିକ । ଅଭିନୟରେ ପ୍ରଦ୍ୟୁମ୍ନ ଦାସ, ରୋହିତ ଲେଙ୍କା, ସୁଶିଲ ମାଝୀ, ସୁଶାନ୍ତ ରାଉ, ଧ୍ରୁବ ରାଉତ, କଣ୍ଡୁରୀଦାସ, କୃପାସିନ୍ଧୁ ବାରିକ, ପ୍ରଫୁଲ୍ଲ ସେନାପତି, ସୀମା ମହାନ୍ତି ଏବଂ ମଧୁସ୍ମିତା ସ୍ୱାଇଁ ସାମିଲ ଥିଲେ ।