କୋର୍ଟରେ ପହଞ୍ଚିଲା ରେସଲରଙ୍କ ‘ଦଙ୍ଗଲ’, ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଉପରେ ଦିଆଗଲା ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୨୩।୧: କୁସ୍ତିର ଦଙ୍ଗଲ ଏବେ କୋର୍ଟରେ ପହଞ୍ଚିଛି। ଭାରତୀୟ କୁସ୍ତୀ ମହାସଂଘର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଏକାଠି ହୋଇଛନ୍ତି ଦେଶର ଶୀର୍ଷ ରେସଲର। ତେବେ ବ୍ରିଜ ଭୂଷଣଙ୍କ ସହଯୋଗୀଙ୍କ ପକ୍ଷରୁ ଧାରଣା ଦେଇଥିବା ରେସଲରଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରାଯାଇଛି। ଆବେଦନରେ ବ୍ରିଜ ଭୂଷଣ ସିଂହଙ୍କ ବିରୋଧରେ ରେସଲରଙ୍କ ଦ୍ବାରା ଲଗାଯାଇଥିବା ଯୌନ ଉତ୍ପୀଡନ ଅଭିଯୋଗକୁ ଚ୍ୟାଲେଞ୍ଜ ଦିଆଯାଇଛି। ତେବେ ବ୍ରିଜ ଭୂଷଣ ନିଜେ ଟ୍ବିଟ୍ କରି ଜଣାଇଛନ୍ତି ଯେ, କୋର୍ଟରେ ସେ ରେସଲରଙ୍କ ବିରୋଧରେ କୌଣସି ଆବେଦନ କରିନାହାନ୍ତି।
मेरे या मुझसे सम्बद्ध किसी अधिकृत व्यक्ति द्वारा दिल्ली सरकार, धरना देने वाले पहलवानों और न्यूज़ चैनलों के विरुद्ध कोई याचिका प्रस्तुत नहीं की गई है
— BrijBhushan Sharan Singh (@sharan_mp) January 23, 2023
मैंने किसी अधिवक्ता, लॉ एजेंसी या प्रतिनिधि को किसी न्यायालय में याचिका प्रस्तुत करने की अनुमति या अधिकार प्रदान नहीं किया है@ANI
ଦିଲ୍ଲୀ ହାଇକୋର୍ଟରେ ଏହି ଆବେଦନ ବ୍ରିଜ ଭୂଷଣଙ୍କ ସହଯୋଗୀ(ରୋଷେୟା)ଙ୍କ ପକ୍ଷରୁ ଦାଖଲ କରାଯାଇଛି। ଏଥିରେ ଅଭିଯୋଗ ରହିଛି ଯେ, ରେସଲରମାନେ ନ୍ୟାୟ ବ୍ୟବସ୍ଥାକୁ ପରିହାସ କରି ଯୌନ ଉତ୍ପୀଡନ ଆଇନକୁ ସମ୍ପୂର୍ଣ୍ଣ ଭାବରେ ଦୂରୁପଯୋଗ କରିଛନ୍ତି। ଯଦି କୌଣସି ଖେଳାଳିଙ୍କ ଯୌନ ଉତ୍ପୀଡନ ହୋଇଛି, ତେବେ ତାଙ୍କୁ ଆଇନ କିମ୍ବା କୋର୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ କରିବା ଦରକାର। ଆବେଦନରେ ଭିନେଶ ଫୋଗାଟ୍, ବଜରଙ୍ଗ ପୁନିଆ ଓ ଅନ୍ୟ ରେସଲରଙ୍କ ବିରୋଧରେ ଏଫ୍ଆଇଆର ରୁଜୁ କରିବାକୁ ଦାବି କରାଯାଇଛି। ସେ ବ୍ରିଜ ଭୂଷଣଙ୍କ ଉପରେ ଯୌନ ଉତ୍ପୀଡନ ଦେବାର ଅଭିଯୋଗ କରିଛନ୍ତି।

ଗତ ସପ୍ତାହରେ ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ, ଭିନେଶ ଫୋଗାଟ୍ଙ୍କ ସହିତ ୩୦ ରୁ ଅଧିକ ରେସଲର ଜନ୍ତରମନ୍ତରରେ ଧାରଣା ଦେବାକୁ ବସିଥିଲେ। ରେସଲରମାନେ ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହ ଓ କିଛି କୋଚ୍ଙ୍କ ଉପରେ ଯୌନ ନିର୍ଯାତନା ସହିତ ବହୁ ଗମ୍ଭୀର ଅଭିଯୋଗ ଲଗାଇଥିଲେ। ରେସଲରଙ୍କ ଅଭିଯୋଗ ଥିଲା ମହାସଂଘର ନୂଆ ନିୟମ ଆଳରେ ଖେଳାଳିଙ୍କର ଯୌନ ଉତ୍ପୀଡନ କରାଯାଉଛି। ରେସଲରମାନେ ଭାରତୀୟ କୁସ୍ତି ମହାସଂଘକୁ ଭଙ୍ଗ କରିବା ଓ ବ୍ରିଜଭୂଷଣଙ୍କ ଇସ୍ତଫାର ଦାବି କରିଥିଲେ। ଏହି ମାମଲାରେ ଖେଳ ମନ୍ତ୍ରଣାଳୟ କୁସ୍ତି ମହାସଂଘକୁ ଜବାବ୍ ମାଗିଥିଲା।