ଚାଷୀଙ୍କ ପାଇଁ ଖୁସି ଖବର: କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ବ୍ୟାଙ୍କ ଖାତାକୁ ଆସିବ ଟଙ୍କା, E-KYC କରିନଥିଲେ ଜାଣନ୍ତୁ ପୁରା ପ୍ରକ୍ରିୟା

tv9hindi
ନୂଆଦିଲ୍ଲୀ ୦୭/ ୦୪ : ଦେଶର ଚାଷୀମାନଙ୍କ ପାଇଁ ମହତ୍ତ୍ବାକାଂକ୍ଷୀ ଯୋଜନା ହେଉଛି ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା’ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଯୋଜନା ମାଧ୍ୟମରେ ଦେଶର କୋଟି କୋଟି ଚାଷୀ ପ୍ରତିବର୍ଷ ଉପକୃତ ହେଉଛନ୍ତି । ପିଏମ୍ କିଷାନ ସମ୍ମାନ ନିଧି ଯୋଜନା ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ୧୦ଟି କିସ୍ତି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିସାରିଛି । ୧୦ମ କିସ୍ତି ଟଙ୍କା ଗତ ଜାନୁଆରୀ ପହିଲାରେ ଆସିସାରିଛି । ତେବେ ଖୁବଶୀଘ୍ର ଏହାର ୧୧ତମ କିସ୍ତି ଚାଷୀଙ୍କ ଖାତାକୁ ଯିବ ।
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଧାରରେ କେନ୍ଦ୍ର ସରକାର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରତିବର୍ଷ ୩ଟି କିସ୍ତିରେ ୬ହଜାର ଟଙ୍କା ଲେଖାଏଁ ପଠାଇଥାନ୍ତି । ପ୍ରତି ୪ ମାସରେ ଥରେ ଲେଖାଏଁ ଚାଷୀଙ୍କ ନିକଟକୁ ସିଧା ସଳଖ ଟଙ୍କା ଆସେ । ଯାହା ଦ୍ବାରା ଭାରତର ଅନେକ ଚାଷୀ ଆର୍ଥିକ ସହାୟତା ପାଇପାରନ୍ତି । ୨୦୧୯ ମସିହା ଫେବୃଆରୀ ୨୪ ତାରିଖରେ ଆରମ୍ଭ ହୋଇଥିଲା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା । ୩ ବର୍ଷରୁ ଉର୍ଦ୍ଧ୍ବ ହେଲା ଦେଶର କୋଟି କୋଟି ଚାଷୀ ଉପକୃତ ହୋଇସାରିଛନ୍ତି ।
ପିଏମ୍ କିଷାନ ନିଧି ଯୋଜନାର ପ୍ରଥମ କିସ୍ତି ପ୍ରତିବର୍ଷ ଏପ୍ରିଲ ୧ରୁ ଜୁଲାଇୁ ୩୧ ମଧ୍ୟରେ ଆସିଥାଏ । ସେହିଭଳି ଦ୍ବିତୀୟ କିସ୍ତି ଟଙ୍କା ଅଗଷ୍ଟ ୧ରୁ ନଭେମ୍ବର ୩୦, ତୃତୀୟ କିସ୍ତି ଡିସେମ୍ବର ୧ରୁ ମାର୍ଚ୍ଚ ୩୧ ମଧ୍ୟରେ ଆସିଥାଏ । ଏହିଭଳି ମୋଟ ୩ଟି କିସ୍ତିରେ ପ୍ରତିବର୍ଷ ୬ହଜାର ଟଙ୍କାର ଆର୍ଥିକ ସହାୟତା ପାଇଥାନ୍ତି ଚାଷୀ ।
ଚାଷୀମାନେ E-KYC କରିବା ପରେ ଯାଇ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସିବ । ଯେଉଥିପାଇଁ ପିଏମ୍ କିଷାନ ଅନଲାଇନ୍ ପୋର୍ଟାଲକୁ ଯାଇ ତଥ୍ୟ ଭରିବାକୁ ହେବ । ସରକାର ମଧ୍ୟ E-KYC ଭରିବାର ଶେଷ ତାରିଖ ମେ ୨୨, ୨୦୨୨ ଯାଏଁ ବୃଦ୍ଧି କରିଛନ୍ତି ।
କିଭଳି କରିବେ ଆବେଦନ :
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ଓ୍ବେବସାଇଟ୍ pmkisan.gov.inକୁ ଯାଆନ୍ତୁ
ହୋମ୍ ପେଜ୍ରେ ଡାହାଣ ପଟେ ଥିବା ‘କିଷାନ କର୍ଣ୍ଣର’ରେ କ୍ଲିକ୍ କରନ୍ତୁ
ଏହାପରେ ପ୍ରଥମ ବିକଳ୍ପ E-KYCକୁ କ୍ଲିକ୍ କରନ୍ତୁ
ଆଧାର କାର୍ଡ ନମ୍ବର ଦାଖଲ କରନ୍ତୁ
ଏହାପରେ କାପ୍ଚା କୋଡ୍ ଭରି ସର୍ଚ୍ଚ ଉପରେ କ୍ଲିକ୍ କରନ୍ତୁ
ପରେ ଆଧାରକାର୍ଡ ସହ ଲିଙ୍କ ଥିବା ମୋବାଇଲ ନମ୍ବର ଦାଖଲ କରନ୍ତୁ
ଆପଣଙ୍କ ମୋବାଇଲକୁ ଏକ ଓଟିପି ଆସିବ
ଓଟିପିକୁ ଦାଖଲ କରନ୍ତୁ
ଏହାପରେ ଆପଣଙ୍କ ଆଧାର କାର୍ଡ ଲିଙ୍କ୍ ହୋଇଯିବ ଏବଂ E-KYC ପୂରଣ ହୋଇଯିବ