ନୂଆଦିଲ୍ଲୀ : ଦିଲ୍ଲୀର ଖୁବ୍ ବ୍ୟସ୍ତତମ ଅଞ୍ଚଳ ଲାଲ୍ କିଲ୍ଲା ନିକଟରେ ଏକ କାର୍ରେ ବଡ଼ ବିସ୍ଫୋରଣ ହୋଇଛି। ଆଜି (ସୋମବାର) ସନ୍ଧ୍ୟା ସମୟ ପାଖାପାଖି ୬ଟା ୫୫ରେ ଏକ କାର୍ରେ ଏହି ବିସ୍ଫୋରଣ ଘଟିଛି। ଲାଇଭ୍ ହିନ୍ଦୁସ୍ତାନ ଡଟ୍ କମ୍ର ସୂଚନା ଅନୁସାରେ, ଏବେ ସୁଦ୍ଧା ୧୦ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତଙ୍କ ସଂଖ୍ୟା ୨୪ ଥିବା କୁହାଯାଉଛି। ସମସ୍ତ ଆହତଙ୍କୁ ଲୋକନାରାୟଣ ଜୟପ୍ରକାଶ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଦିଲ୍ଲୀ ପୁଲିସ ବର୍ତ୍ତମାନ ମାମଲାକୁ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରୁଛି। ଏହି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିସ୍ଫୋରଣ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହୋଇ ସ୍ଥିତିର ସମୀକ୍ଷା କରିଛନ୍ତି। ସରକାରଙ୍କ ସୂତ୍ରାନୁସାରେ, ଗୃହମନ୍ତ୍ରୀ ଶାହ ପ୍ରଧାନମନ୍ତ୍ରୀଙ୍କୁ ମାମଲାର ସମସ୍ତ ଦିଗ ବିଷୟରେ ଅବଗତ କରାଇଛନ୍ତି ଏବଂ ଆଗାମୀ କାର୍ଯ୍ୟାନୁଷ୍ଠାନ ନେଇ ଆଲୋଚନା କରିଛନ୍ତି।
ଏହାସହ ମଧ୍ୟ ପଢନ୍ତୁ : ଲାଲ୍ କିଲ୍ଲା କାର୍ ବିସ୍ଫୋରଣ : ବିଛେଇ ହୋଇ ପଡିଛି ଶରୀରର ବିଭିନ୍ନ ଅଂଶ, କାହାର ହାତ ତ କାହାର ଫୁସଫୁସ୍
ଅନ୍ୟପଟେ ଗୃହମନ୍ତ୍ରୀ ଶାହ ମାମଲାକୁ ନେଇ ଆଇବି ମୁଖ୍ୟଙ୍କ ସହ କଥା ହୋଇଛନ୍ତି ଏବଂ ଏନଆଇଏର ଡିଜିଙ୍କୁ ଅନେକ ନିର୍ଦ୍ଦେଶ ଦେଇଛନ୍ତି। ସେ ଦିଲ୍ଲୀ ପୁଲିସ କମିଶନରଙ୍କ ସହ ମଧ୍ୟ କଥା ହୋଇ ଘଟଣା ବିଷୟରେ ଅବଗତ ହେବା ସହ, ଆଗାମୀ କାର୍ଯ୍ୟାନୁଷ୍ଠାନ ଉପରେ ଆଲୋଚନା କରିଛନ୍ତି।
ଗୃହମନ୍ତ୍ରୀ ସିଆରପିଏଫ୍ ଡିଜିଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସୂତ୍ରାନୁସାରେ , ଘଟଣା ବିଷୟରେ କେମିତି ଆଉଟିକେ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରାଯାଇ ପାରିବ, ସେଥିପାଇଁ ଏନଏସଜିକୁ ମଧ୍ୟ ଘଟଣାସ୍ଥଳକୁ ଏକ ଟିମ୍ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏବେସୁଦ୍ଧା ସରକାରୀ ଭାବେ ବୋମା କିମ୍ୱା କୌଣସି ବିସ୍ଫୋରକର ବ୍ୟବହାର କରି ବ୍ଲାଷ୍ଟ କରାଯାଇଥିବା ସ୍ପଷ୍ଟ କରାଯାଇ ନାହିଁ।