ମୁମ୍ବାଇ,୦୯/୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନେଇ ଘନ ଘନ ରାଲି ଜନସଭା କରୁଛି ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ର ଗସ୍ତ କରି ଜନସଭାକୁ ସମ୍ବୋଧନ କରିଛନ୍ତି । ଆଜି ( ଶନିବାର) ମହାରାଷ୍ଟ୍ର ଅକୋଲାରେ ଜନସଭାକୁ ସମ୍ବୋଧନ କରି ମୋ ପାଇଁ ମହାରାଷ୍ଟ୍ରବାସୀ ହିଁ ମୋଦି ବୋଲି କହିବା ସହ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
କଂଗ୍ରେସକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ''ଯେଉଁଠି କଂଗ୍ରେସ ସରକାର ଗଢିଛି ସେହି ରାଜ୍ୟ କଂଗ୍ରେସର ରୟାଲ ପରିବାର ପାଇଁ ଏଟିଏମ ହୋଇଯାଏ । ହିମାଚଳ, ତେଲେଙ୍ଗାନା ଓ କର୍ଣ୍ଣାଟକ ରାଜ୍ୟ କଂଗ୍ରେସର ଏଟିଏମ ହୋଇଛନ୍ତି । ଘୋଟାଲା କରି କଂଗ୍ରେସ ନିର୍ବାଚନ ଜିତୁଛି । ତେଣୁ ମହାରାଷ୍ଟ୍ରରେ ଆମକୁ ସାବଧାନ ରହିବାକୁ ପଡିବ । କଂଗ୍ରେସ କିଛି କରେ ନାହିଁ ମାତ୍ର ସବୁର ଶ୍ରେୟ ନେଇଯାଏ । କଂଗ୍ରେସ ଜାଣିଛି ଦେଶ ଯେତେ ଦୁର୍ବଳ ହେବ ସେ ସେତେ ମଜବୁତ ହେବ । ସେ ମଜବୁତ ହେଲେ ଦେଶ ବାଧ୍ୟ ହେବ । କଂଗ୍ରେସ ଜାତାଜାତି ମଧ୍ୟରେ ଲଢେଇ କରାଉଛି । ଏହା ତାର ପ୍ରକୃତି । ଓବିସି ନାମ ଶୁଣି କଂଗ୍ରେସ ବିଚଳିତ ହୋଉଯାଛି । ସେ ଚାହୁଁଛି ଜାତି ପରସ୍ପର ସହ ଲଢେଇ କରନ୍ତୁ । ତେଣୁ ଆମକୁ ଏକାଠି ରହିବାକୁ ପଡିବ । ଏକ ହେ ତୋ ସେଫ ହେ । ''
ସେ ଆହୁରି କହିଛନ୍ତି, '' ଜମ୍ମୁକାଶ୍ମୀର ବିଧାନସଭାରେ କଂଗ୍ରେସ ଧାରା ୩୭୦ ଲାଗୁ ନେଇ ପ୍ରସ୍ତାବ ପାସ୍ କରିଛି । ଏହା କେତେ ଦୂର ସଠିକ୍ । ଏମାନେ କିଏ ପୁଣି ଧାରା ୩୭୦ ଲାଗୁ କରିବାକୁ ଚାହୁଁଛନ୍ତି । ଭାରତ ବିରୋଧୀ ଶକ୍ତି ସବୁ ଧାରା ୩୭୦ର ସମର୍ଥନ କରିଛନ୍ତି । ଜମ୍ମୁରେ ଧାରା ୩୭୦ ପୁଣି ଲାଗୁ ମାନେ କାଶ୍ମୀରକୁ ପୁଣି ହିଂସାର ନିଆଁରେ ପକାଇବା ।''