ନୂଆଦିଲ୍ଲୀ : ମଧ୍ୟ ପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ୱାର ସ୍ଥିତି ଉପରେ ନଜର ରଖିଛନ୍ତି। ୟୁଏଇର ରାଷ୍ଟ୍ରପତିଙ୍କ ସହ କଥାବାର୍ତ୍ତା ପରେ ଏବେ ସେ ବାହାରିନ ଓ ସାଉଦୀ ଆରବର ଶୀର୍ଷ ନେତାଙ୍କ ସହ ମଧ୍ୟ ଫୋନରେ କଥା ହୋଇଛନ୍ତି। ଏହି ସମୟରେ ପିଏମ୍ ମୋଦି ସଦ୍ୟ ସ୍ଥିତିର କଡ଼ା ଶବ୍ଦରେ ନିନ୍ଦା କରିଛନ୍ତି ଏବଂ କହିଛନ୍ତି ସଙ୍କଟର ଏହି ସମୟରେ ଭାରତ ନିଜର ମିତ୍ର ଦେଶ ଗୁଡ଼ିକ ସହ ଠିଆ ହୋଇଛି।
ପ୍ରଧାନମନ୍ତ୍ରୀ ମୋଦି ବାହାରିନର ରାଜା କିଙ୍ଗ୍ ହମଦ ବିନ୍ ଇସା ଅଲ୍ ଖଲିଫାଙ୍କ ସହ ଫୋନରେ ଆଲୋଚନା କରିଛନ୍ତି। ସେ ବାହାରିନ ଉପରେ ହୋଇଥିବା ଆକ୍ରମଣକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ଏବଂ କ୍ଷେତ୍ରରେ ଶାନ୍ତି ପ୍ରତିଷ୍ଠା ପାଇଁ ଆବଶ୍ୟକତା ଉପରେ ଜୋର ଦେଇଛନ୍ତି। କଥାବାର୍ତ୍ତା ବେଳେ ସେଠାରେ ବସବାସ କରୁଥିବା ଭାରତୀୟ ସଂପ୍ରଦାୟର ସୁରକ୍ଷାର ପ୍ରସଙ୍ଗକୁ ମଧ୍ୟ ପ୍ରାଧ୍ୟାନ ଦେଇଥିଲେ। ବାହାରିନରେ ବହୁ ସଂଖ୍ୟାରେ ଭାରତୀୟ କାମ କରୁଛନ୍ତି ଏବଂ ଭାରତ ସରକାର ସେମାନଙ୍କର ସୁରକ୍ଷାକୁ ନେଇ ଲଗାତାର ସଂପର୍କରେ ରହିଛନ୍ତି।
ଆହୁରି ମଧ୍ୟ ପଢନ୍ତୁ : ଦୁଇ ଦିନରେ ୬ଟି ଜାହାଜକୁ ଟାର୍ଗେଟ୍ କଲା ଇରାନ , ବିପଦରେ ପୂରା ବିଶ୍ୱର ଶକ୍ତି ସପ୍ଲାଇ ?
ପିଏମ୍ ମୋଦି ସାଉଦୀ ଆରବର କ୍ରାଉନ ପ୍ରିନ୍ସ ଓ ପ୍ରଧାନମନ୍ତ୍ରୀ ମହମ୍ମଦ ବିନ ସଲମାନ ଅଲ୍ ସଉଦଙ୍କ ସହ ମଧ୍ୟ ଫୋନ୍ରେ କଥାବାର୍ତ୍ତା ହୋଇଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ଆଞ୍ଚଳିକ ସୁରକ୍ଷା ଓ ସ୍ଥିରତାକୁ ନେଇ ଗମ୍ଭୀର ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ସାଉଦୀ ଆରବ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରି କହିଛନ୍ତି ଏହି ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ଖୁବ୍ ଜରୁରୀ।
ଏହି ସବୁ କଥାବାର୍ତ୍ତାର ମୁଖ୍ୟ ଉଦ୍ଦେଶ୍ୟ ଉପସାଗରୀୟ ଦେଶରେ ରହୁଥିବା ଭାରତୀୟଙ୍କ ସୁରକ୍ଷା ସୁନିଶ୍ଚିତ କରିବା ରହିଥିଲା। ସରକାରଙ୍କ ଚେଷ୍ଟା ଯେ, ଉତ୍ତେଜନାପୂର୍ଣ୍ଣ ସ୍ଥିତି ମଧ୍ୟରେ ସେଠାରେ ଥିବା ପ୍ରତି ଭାରତୀୟ ସୁରକ୍ଷିତ ରୁହନ୍ତୁ। ମୋଟ ଭାବେ, ଭାରତ ପୁଣି ଥରେ ସ୍ପଷ୍ଟ କରିଛି ଯେ, ଶାନ୍ତିର ସମର୍ଥକ ଏବଂ ନିଜର ନାଗରିକଙ୍କ ସୁରକ୍ଷାକୁ ନେଇ ସଂପୂର୍ଣ୍ଣ ପ୍ରତିବଦ୍ଧ।