ନୂଆଦିଲ୍ଲୀ, ୨୩।୩: ଇରାନ-ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ଏବଂ ମଧ୍ୟ-ପ୍ରାଚ୍ୟରେ ଦେଖାଦେଇଥିବା ଅସ୍ଥିରତା ମଧ୍ୟରେ ଭାରତ ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ରବିବାର ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ବୈଠକରେ ଦେଶର ଅର୍ଥନୀତିକୁ ସୁରକ୍ଷିତ ରଖିବା ପାଇଁ ଏକ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଯୁଦ୍ଧର ପ୍ରଭାବକୁ ଦୃଷ୍ଟିରେ ରଖି ସରକାର ମୋଟ ୧୧ଟି କ୍ଷେତ୍ର ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି । ସେଗୁଡ଼ିକ ହେଲା:
- କୃଷି, ସାର ଏବଂ ଖାଦ୍ୟ ସୁରକ୍ଷା
- ପେଟ୍ରୋଲିୟମ ଓ ବିଦ୍ୟୁତ ଶକ୍ତି
- MSME ଏବଂ ରପ୍ତାନି ବାଣିଜ୍ୟ
- ସିପିଂ ଏବଂ ସପ୍ଲାଇ ଚେନ୍
- ତ୍ରିସ୍ତରୀୟ ରଣନୀତି (Three-Pronged Strategy)
ଏହା ବି ପଢ଼ନ୍ତୁ... ଏବେ ଆଉ ମିଳିବନି ୧୪.୨ କିଲୋର ଘରୋଇ ଗ୍ୟାସ ସିଲିଣ୍ଡର,୧୦ କିଲୋର ସିଲିଣ୍ଡର ଯୋଗାଇ ଦେବାକୁ ଯୋଜନା କରୁଛନ୍ତି ସରକାର...
ସଙ୍କଟର ମୁକାବିଲା ପାଇଁ ସରକାର ତିନୋଟି ପର୍ଯ୍ୟାୟରେ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି:
୧. ସ୍ୱଳ୍ପକାଳୀନ (Short-term): ଅତ୍ୟାବଶ୍ୟକ ସାମଗ୍ରୀ, ଖାଦ୍ୟ ଏବଂ ଜାଳେଣିର ଯୋଗାଣ ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ବର୍ତ୍ତମାନର ଷ୍ଟକ୍ ସମୀକ୍ଷା କରାଯାଇଛି । ବଜାରରେ ଦରବୃଦ୍ଧି ନିୟନ୍ତ୍ରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
୨. ମଧ୍ୟମକାଳୀନ (Medium-term): ଯଦି ଯୁଦ୍ଧ ଦୀର୍ଘ ଦିନ ଧରି ଚାଲେ, ତେବେ ତେଲ ଏବଂ ସାର ପାଇଁ ଅନ୍ୟ ବିକଳ୍ପ ଦେଶମାନଙ୍କ ସହ ଆମଦାନୀ ନେଇ ଆଲୋଚନା ଆରମ୍ଭ ହୋଇଛି ।
୩. ଦୀର୍ଘକାଳୀନ (Long-term): ଭବିଷ୍ୟତରେ ଏଭଳି ସଙ୍କଟରୁ ବଞ୍ଚିବା ପାଇଁ ଭାରତ ନିଜର ଉତ୍ପାଦନ କ୍ଷମତା ବଢ଼ାଇବା ସହ ଅକ୍ଷୟ ଶକ୍ତି ଉପରେ ଅଧିକ ଗୁରୁତ୍ୱ ଦେବ ।
ବିଦ୍ୟୁତ୍ ଓ ସାର ସଙ୍କଟ ହେବନି:
ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶର ସମସ୍ତ ପାୱାର ପ୍ଲାଣ୍ଟରେ ପର୍ଯ୍ୟାପ୍ତ ପରିମାଣର କୋଇଲା ମହଜୁଦ ଅଛି, ତେଣୁ ବିଦ୍ୟୁତ ସଙ୍କଟର କୌଣସି ସମ୍ଭାବନା ନାହିଁ । ସେହିପରି ଆଗାମୀ ଖରିଫ ଋତୁ ପାଇଁ ଚାଷୀଙ୍କୁ ସାର ଯୋଗାଇବାକୁ ବଫର ଷ୍ଟକ୍ ପ୍ରସ୍ତୁତ ରଖାଯାଇଛି । ଯଦି ମଧ୍ୟ-ପ୍ରାଚ୍ୟରୁ ସପ୍ଲାଇ ବନ୍ଦ ହୁଏ, ତେବେ ବିକଳ୍ପ ଦେଶରୁ ସାର ଆଣିବାକୁ ଯୋଜନା ପ୍ରସ୍ତୁତ ସରିଛି । ଭାରତ ନିଜର ଆମଦାନୀ ଉତ୍ସରେ ବିବିଧତା ଆଣିବ । କେବଳ ଗୋଟିଏ ଅଞ୍ଚଳ ଉପରେ ନିର୍ଭର ନକରି ଫାର୍ମାସ୍ୟୁଟିକାଲ୍ସ ଏବଂ କେମିକାଲ୍ସ ପାଇଁ ନୂଆ ବଜାର ଖୋଜାଯିବ ।