PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ସଂସଦରେ ଟ୍ରମ୍ପ୍‌ ଝଡ଼; ବୈଦେଶିକ ମନ୍ତ୍ରୀ ରଖିଲେ ଜବାବ

ନୂଆଦିଲ୍ଲୀ,୨୪/୦୭(ଏଜେନ୍ସି): କାଶ୍ମୀର ସମସ୍ୟାର ସମାଧାନ ପାଇଁ ମଧ୍ୟସ୍ଥତା କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦେଇଥିବା ବୟାନକୁ ନେଇ ଆଜି ସଂସଦରେ ଝଡ଼ ସୃଷ୍ଟି ହୋଇଛି । ଟ୍ରମ୍ପ୍‌ଙ୍କ ଏଭଳି ବୟାନକୁ ନେଇ ସବୁ ବିରୋଧୀ ଦଳ ସଂଘବଦ୍ଧ ଭାବେ ମୋଦି ସରକାରଙ୍କୁ ଘେରିଛନ୍ତି । ଉଭୟ ଲୋକସଭା ଓ ରାଜ୍ୟସଭାରେ ବିରୋଧୀ ଦଳର ସମସ୍ୟମାନେ ହଙ୍ଗାମା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନ ଦାବି କରି ଉଭୟ ଗୃହରୁ କକ୍ଷତ୍ୟାଗ କରିଛନ୍ତି । ଏହାପରେ ଉଭୟ ଗୃହକୁ ବୁଧବାର ପର୍ଯ୍ୟନ୍ତ ମୁଲତବି ଘୋଷଣା କରାଯାଇଛି ।

ରାଜ୍ୟସଭାରେ ଦିନସାରା କେବଳ ଟ୍ରମ୍ପ୍‌ଙ୍କ ବୟାନ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ପରିସ୍ଥିତି ଲାଗି ରହିଥିଲା । ଲୋକସଭାରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ଅନେକ ସାଂସଦ ପ୍ରଧାନମନ୍ତ୍ରୀ ମୋଦି ସ୍ଥିତି ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଥିଲେ । ବିରୋଧୀମାନେ ପ୍ରଧାନମନ୍ତ୍ରୀଙ୍କୁ ଜୋରଦାର ଟାର୍ଗେଟ୍‌ କରିଥିଲେ । କହିଥିଲେ, ଚଳିତବର୍ଷ ଜୁନ୍‌ରେ ମୋଦି ଜାପାନ ଗସ୍ତ କରିଥିଲା ବେଳେ ଓସାକାରେ ଅନୁଷ୍ଠିତ ଜି-୨୦ ବୈଠକରେ ଟ୍ରମ୍ପ୍‌ଙ୍କ ସହ କାଶ୍ମୀର ପ୍ରସଙ୍ଗରେ ଆଲୋଚନା କରିଥିଲେ । ସେହି ସମୟରେ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବା ଲାଗି ଟ୍ରମ୍ପ୍‌ଙ୍କୁ ମୋଦି ପ୍ରସ୍ତାବ ଦେଇଥିଲେ ।

ସରକାରଙ୍କ ତରଫରୁ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ବୟାନକୁ ଖଣ୍ଡନ କରିଛନ୍ତି । ଉଭୟ ଲୋକସଭା ଓ ରାଜ୍ୟସଭାରେ ବୟାନ ଦେଇ ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଟ୍ରମ୍ପ୍‌ଙ୍କୁ କାଶ୍ମୀର ପ୍ରସଙ୍ଗ ବାବଦରେ କୌଣସି ପ୍ରସ୍ତାବ ଦେଇନାହାନ୍ତି । କାଶ୍ମୀର ପ୍ରସଙ୍ଗ ସେମାନେ ଆଦୌ ଉଠାଇ ନାହାନ୍ତି । ଏହି ପ୍ରସଙ୍ଗରେ କୌଣସି ତୃତୀୟ ପକ୍ଷ ମୁଣ୍ଡ ଖେଳାନ୍ତୁ ନାହିଁ ବୋଲି ଭାରତ ଆଭିମୁଖ୍ୟ ରଖିଆସିଛି । ତେଣୁ ଟ୍ରମ୍ପ୍‌ଙ୍କ ଏହି ବୟାନ ସମ୍ପୂର୍ଣ୍ଣ ଭିତ୍ତିହୀନ । ଉଲ୍ଲେଖଯୋଗ୍ୟ, ସୋମବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ସହ ହ୍ୱାଇଟ୍‌ ହାଉସରେ ସାକ୍ଷାତ ବେଳେ ଟ୍ରମ୍ପ୍‌ କହିଥିଲେ, କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବା ଲାଗି ମୋଦି ପ୍ରସ୍ତାବ ଦେଇଛନ୍ତି ।

ଯଦି ଇମ୍ରାନ୍‌ ପ୍ରସ୍ତାବ ଦିଅନ୍ତି, ସେ ନିଶ୍ଚିତ ମଧ୍ୟସ୍ଥତା କରିବାକୁ ଚାହିଁବେ ।
ବୈଦେଶିକ ମନ୍ତ୍ରୀ ଜୟଶଙ୍କର ସଂସଦରେ ନିଜ ବୟାନ ଦେଉଥିଲା ବେଳେ କଂଗ୍ରେସ, ତୃଣମୂଳ କଂଗ୍ରେସ, ସମାଜବାଦୀ ପାର୍ଟି, ଡିଏମ୍‌କେ, ବହୁଜନ ସମାଜ ପାର୍ଟି ଏବଂ ବାମଦଳର ସାଂସଦମାନେ ପ୍ରବଳ ହଙ୍ଗାମା ସୃଷ୍ଟି କରିଥିଲେ । ସେମାନେ ହୋହଲ୍ଲା କରିବା ଯୋଗୁ ଗୃହକାର୍ଯ୍ୟରେ ବାଧା ଉପୁଜିଥିଲା । ଏହାପରେ ସେମାନେ କକ୍ଷତ୍ୟାଗ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଏ ସମ୍ପର୍କରେ ମୁହଁ ଖୋଲି ସ୍ଥିତି ସ୍ପଷ୍ଟ କରନ୍ତୁ ବୋଲି ସେମାନେ ଦାବି କରିବା ପରେ ବାହାରି ପଳାଇଥିଲେ ।

ଏ ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ମୋଦିଙ୍କ ଜବାବ ଲୋଡ଼ିଛନ୍ତି । ଟ୍ୱିଟ୍‌ କରି ସେ କହିଛନ୍ତି, କାଶ୍ମୀର ପ୍ରସଙ୍ଗରେ ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା ପାଇଁ ମୋଦି ପ୍ରସ୍ତାବ ଦେଇଥିବା ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ କହିଛନ୍ତି । ଯଦି ଏହା ସତ୍ୟ ହୋଇଥାଏ, ତେବେ ମୋଦି ଏଭଳି କରି ଭାରତର ହିତ ଏବଂ ସିମଲା ବୁଝାମଣା ସହ ଧୋକା କରିଛନ୍ତି । ତା’ଛଡ଼ା ଏକ ଦୁର୍ବଳ ବୈଦେଶିକ ମନ୍ତ୍ରାଳୟ ଟ୍ରମ୍ପ୍‌ଙ୍କ ବୟାନକୁ ଖାରଜ କଲେ ଯଥେଷ୍ଟ ନୁହେଁ । ପ୍ରଧାନମନ୍ତ୍ରୀ ନିଜେ ମୁହଁ ଖୋଲି ଏ ବାବଦରେ ସ୍ପଷ୍ଟୀକରଣ ଦିଅନ୍ତୁ । ବୈଠକରେ ଟ୍ରମ୍ପ୍‌ଙ୍କ ସହ ମୋଦି କ’ଣ ଆଲୋଚନା କରିଥିଲେ, ତାହା ଦେଶବାସୀଙ୍କୁ ଜଣାନ୍ତୁ ବୋଲି ରାହୁଲ କହିଛନ୍ତି ।

ଏହାବ୍ୟତୀତ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ କାଶ୍ମୀର ମଧ୍ୟସ୍ଥତା ପ୍ରସଙ୍ଗରେ ଟମ୍ପ୍‌ ଦେଇଥିବା ବୟାନ ଉପରେ ମୋଦିଙ୍କ ସ୍ପଷ୍ଟୀକରଣ ଦାବି କରିଛନ୍ତି । ଅଖିଳେଶ କହିଛନ୍ତି, ମୋଦି ଯଦି ଏଭଳି ପ୍ରସ୍ତାବ ଟ୍ରମ୍ପ୍‌ଙ୍କୁ ଦେଇଥିବେ, ତା’ହେଲେ ସେ ଦେଶର ଅଖଣ୍ଡତା, ସ୍ୱାଧୀନତା ଏବଂ ରାଷ୍ଟ୍ରୀୟ ସୁରକ୍ଷା ଉପରେ ବିପଦ ସୃଷ୍ଟି କରିଛନ୍ତି ବୋଲି ସ୍ପଷ୍ଟ ହୋଇଯିବ । କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭି କହିଛନ୍ତି, ଟ୍ରମ୍ପ୍‌ଙ୍କ ଏଭଳି ବୟାନ ଦେଶର ଅଖଣ୍ଡତା ଉପରେ ବଡ଼ ଆଘାତ ସଦୃଶ ହୋଇଛି । ଲୋକସଭାରେ ସେ କହିଛନ୍ତି, ଓସାକା ବୈଠକରେ ମୋଦି ଟ୍ରମ୍ପ୍‌ଙ୍କୁ କାଶ୍ମୀର କଥା କହିଥିଲେ ଏବଂ ମଧ୍ୟସ୍ଥତା ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ ବୋଲି ସ୍ପଷ୍ଟ ଜଣାପଡୁଛି । ଯଦି ଏହା ହୋଇନାହିଁ, ତେବେ ମୋଦି ସ୍ପଷ୍ଟୀକରଣ ଦିଅନ୍ତୁ ।

ଟ୍ରମ୍ପ୍‌ଙ୍କ ବୟାନକୁ ନେଇ ଭାରତରେ ଝଡ଼ ସୃଷ୍ଟି ହୋଇଥିବା ବେଳେ ଆମେରିକା ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇ କୁହାଯାଇଛି ଯେ କାଶ୍ମୀର ପ୍ରସଙ୍ଗ ହେଉଛି ସମ୍ପୂର୍ଣ୍ଣ ଦ୍ୱିପାକ୍ଷିକ । ତେଣୁ ଏଥିରେ ଆମେରିକା ମଧ୍ୟସ୍ଥତା କରିପାରିବ ନାହିଁ । ବରଂ ଏହା ଦୁଇଦେଶକୁ ଏ ବାବଦରେ କେବଳ ସହଯୋଗ କରିପାରିବ । ତା’ଛଡ଼ା ଆମେରିକା ପାଖରେ ଟ୍ରମ୍ପ୍‌ଙ୍କ କାଶୀର ବୟାନକୁ ନେଇ କୌଣସି ରେକର୍ଡ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ଆମେରିକାର ବୈଦେଶିକ ମନ୍ତ୍ରାଳୟ ଏବଂ ହ୍ୱାଇଟ୍‌ ହାଉସ୍‌ ନିକଟରେ କୌଣସି ସରକାରୀ ରେକର୍ଡ ହସ୍ତଗତ ହୋଇନାହିଁ । ଟ୍ରମ୍ପ୍‌ ଅନୌପଚାରିକ ଭାବେ ଏଭଳି କହିଥାଇ ପାରନ୍ତି ।