ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଫୋନ ଯୋଗେ ଆଲୋଚନା ହୋଇଛି। ଏହି ସମୟରେ ଦୁଇ ନେତା ଆଞ୍ଚଳିକ ସ୍ଥିରତା ବଜାୟ ରଖିବା ଏବଂ ବିଶ୍ୱ ଶକ୍ତି ଯୋଗାଣର ସୁରକ୍ଷା ସୁନିଶ୍ଚିତ କରିବା ଉପରେ ଆଲୋଚନା କରିଛନ୍ତି। ଫେବୃଆରୀ ୨୮ ତାରିଖରେ ସଂଘର୍ଷ ଆରମ୍ଭ ହେବା ପରେ ଏହା ପ୍ରଥମ ଥର ପାଇଁ ଦୁଇ ନେତା କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଯେ, ସେ ଆମେରିକା ରାଷ୍ଟ୍ରପତିଙ୍କ ଠାରୁ ଏକ ଫୋନ୍ କଲ ପାଇଛନ୍ତି ଏବଂ ଦୁଇ ନେତା ମଧ୍ୟପ୍ରାଚ୍ୟ ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ଭାରତ ଯଥାଶୀଘ୍ର ଉତ୍ତେଜନା ହ୍ରାସ ଏବଂ ଶାନ୍ତି ପୁନରୁଦ୍ଧାରକୁ ସମର୍ଥନ କରୁଛି। ସମଗ୍ର ବିଶ୍ୱ ପାଇଁ ଏକ ଖୋଲା ଏବଂ ସୁରକ୍ଷିତ ହରମୁଜ୍ ପ୍ରଣାଳୀ ଅତ୍ୟନ୍ତ ଜରୁରୀ। ଶାନ୍ତି ଏବଂ ସ୍ଥିରତା ପାଇଁ ପ୍ରୟାସ ସମ୍ପର୍କରେ ଆମେ ଯୋଗାଯୋଗରେ ରହିବାକୁ ରାଜି ହୋଇଛୁ।"

ହରମୁଜ୍ ପ୍ରଣାଳୀ ବିଷୟରେ କ’ଣ କଥା ହେଲେ ଦୁଇ ନେତା…

ଆମେରିକୀୟ ରାଷ୍ଟ୍ରଦୂତ ସେର୍ଗିଓ ଗୋର୍ କହିଛନ୍ତି, "ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଛନ୍ତି। ସେମାନେ ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତି ବିଷୟରେ ଆଲୋଚନା କରିଛନ୍ତି, ହରମୁଜ୍ ପ୍ରଣାଳୀକୁ ଖୋଲା ରଖିବାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି।" ପୂର୍ବରୁ, ଟ୍ରମ୍ପ ସୋସିଆଲ ମିଡିଆରେ କହିଥିଲେ ଯେ ସେ ପର୍ସିଆନ୍ ଉପସାଗର ଏବଂ ଓମାନ ଉପସାଗର ମଧ୍ୟରେ ଅବସ୍ଥିତ ହରମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ଇରାନକୁ ଦିଆଯାଇଥିବା ସମୟସୀମାକୁ ବୃଦ୍ଧି କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଇରାନ ଶକ୍ତି ପ୍ରତିଷ୍ଠାନ ଉପରେ ସମ୍ଭାବ୍ୟ ଆକ୍ରମଣକୁ ପାଞ୍ଚ ଦିନ ପାଇଁ ସ୍ଥଗିତ ରଖାଯାଇଛି।

ଜୟଶଙ୍କର ମାର୍କୋ ରୁବିଓଙ୍କ ସହିତ ତୈଳ ସଙ୍କଟ ବିଷୟରେ କଥା ହୋଇଛନ୍ତି…

ପୂର୍ବରୁ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହିତ ଫୋନ୍ ମାଧ୍ୟମରେ କଥା ହୋଇଛନ୍ତି। ଦୁଇ ନେତା ପଶ୍ଚିମ ଏସିଆ ବିବାଦର ବିଶ୍ୱ ଅର୍ଥନୀତି ଉପରେ ପ୍ରଭାବ ବିଷୟରେ ଆଲୋଚନା କରିଛନ୍ତି । ଜୟଶଙ୍କର ସୋସିଆଲ ମିଡିଆରେ କହିଛନ୍ତି ଯେ, ଆଲୋଚନାରେ ଅନ୍ତର୍ଜାତୀୟ ଅର୍ଥନୀତି ଉପରେ ସଙ୍କଟର ପ୍ରଭାବ ବିଷୟରେ ବିସ୍ତୃତ ଆଲୋଚନା ହୋଇଛି। ଉଭୟ ପକ୍ଷ ପାରସ୍ପରିକ ପ୍ରାଥମିକତାକୁ ଆଗକୁ ବଢ଼ାଇବା ପାଇଁ ନିୟମିତ ଯୋଗାଯୋଗରେ ରହିବାକୁ ରାଜି ହୋଇଛନ୍ତି ।

ଏହା ସହ ପଢନ୍ତୁ : ମଧ୍ୟପ୍ରାଚ୍ୟ ସଙ୍କଟ ଉପରେ ଆଲୋଚନା ପାଇଁ ସର୍ବଦଳୀୟ ବୈଠକ ଡାକିଲେ କେନ୍ଦ୍ର ସରକାର, ହେଲେ ସାମିଲ୍ ହେବେନି ରାହୁଲ୍…