ନୂଆଦିଲ୍ଲୀ, ୨୫।୩: ପଶ୍ଚିମ ଏସିଆରେ ଲାଗି ରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ବିଶ୍ୱ ଶକ୍ତି ବଜାର ଉପରେ ଏହାର ପ୍ରଭାବକୁ ନେଇ ଭାରତ ଏବେ ସକ୍ରିୟ ହୋଇଉଠିଛି । ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିସାନାୟକେ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି । ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସହ ଆଲୋଚନା ସମୟରେ ପଶ୍ଚିମ ଏସିଆର ବିଗିଡ଼ୁଥିବା ସ୍ଥିତି ଏବଂ ଏହା ଦ୍ୱାରା ବିଶ୍ୱ ଶକ୍ତି ଯୋଗାଣରେ ସୃଷ୍ଟି ହେଉଥିବା ବାଧା ଉପରେ ଚିନ୍ତା ପ୍ରକଟ କରାଯାଇଛି । ଦୁଇ ନେତା ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଶକ୍ତି ସହଯୋଗ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିବା ସହ ଆଞ୍ଚଳିକ ସୁରକ୍ଷା ବୃଦ୍ଧି ଉପରେ ଗୁରୁତ୍ୱ ଦେଇଛନ୍ତି ।
ଏହା ବି ପଢ଼ନ୍ତୁ... ହରିୟାଣାରେ ବଡ଼ ବ୍ୟାଙ୍କ ଘୋଟାଲା: ନଗର ନିଗମ ଖାତାରୁ ୧୬୦ କୋଟି ଗାଏବ୍, ଜାଲ୍ ଏଫଡି ଦେଇ ଲୁଟିନେଲେ ବ୍ୟାଙ୍କ କର୍ମଚାରୀ !
ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ମୋଦୀ କହିଛନ୍ତି ଯେ, "ଜଣେ ବିଶ୍ୱସ୍ତ ସହଯୋଗୀ ଭାବେ ଆମେ ବର୍ତ୍ତମାନର ଭୂ-ରାଜନୈତିକ ଆହ୍ୱାନର ସମ୍ମୁଖୀନ ହେବାକୁ ଏବଂ ମିଳିତ ଭାବେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ।" ସେହିପରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମଧ୍ୟ ପିଏମ ମୋଦୀଙ୍କର ଦୀର୍ଘ ସମୟ ଧରି କଥାବାର୍ତ୍ତା ହୋଇଛି । ଏଥିରେ ବିଶେଷ କରି 'ଷ୍ଟ୍ରେଟ୍ ଅଫ୍ ହରମୁଜ୍'କୁ ଖୋଲା ଓ ସୁରକ୍ଷିତ ରଖିବା ଉପରେ ଆଲୋଚନା ହୋଇଥିଲା । "ଷ୍ଟ୍ରେଟ୍ ଅଫ୍ ହରମୁଜ୍ ଦେଇ ବିଶ୍ୱର ଅଧିକାଂଶ ତୈଳ ପରିବହନ ହୋଇଥାଏ । ଏହାର ସୁରକ୍ଷା ସମଗ୍ର ବିଶ୍ୱ ପାଇଁ ଅତ୍ୟନ୍ତ ଜରୁରୀ," ବୋଲି ମୋଦୀ କହିଛନ୍ତି ।
ସଂସଦରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ:
ମଙ୍ଗଳବାର ସଂସଦକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯୁଦ୍ଧ ଆରମ୍ଭ ପରଠାରୁ ଭାରତ ନିରନ୍ତର ଭାବେ ଇରାନ, ଇସ୍ରାଏଲ, ଉପସାଗରୀୟ ଦେଶ ଏବଂ ଆମେରିକା ସହ ସମ୍ପର୍କରେ ରହିଛି । ଯୁଦ୍ଧ ପରିସ୍ଥିତିରେ ମଧ୍ୟ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ କୂଟନୈତିକ ସ୍ତରରେ ଉଦ୍ୟମ ଜାରି ରହିଛି । ଭାରତ ସର୍ବଦା ଆଲୋଚନା ମାଧ୍ୟମରେ ସମାଧାନ ଏବଂ ଶାନ୍ତି ପ୍ରତିଷ୍ଠାକୁ ସମର୍ଥନ କରେ ବୋଲି ସେ ଦୋହରାଇଛନ୍ତି ।
ନେବରହୁଡ୍ ଫାଷ୍ଟ ନୀତି:
ଏହା ପୂର୍ବରୁ ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ମଧ୍ୟ ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରୀ ବିଜିଥା ହେରାଥଙ୍କ ସହ ଆଲୋଚନା କରିଥିଲେ । ଭାରତ ନିଜର ନେବରହୁଡ୍ ଫାଷ୍ଟ #NeighbourhoodFirst ଏବଂ ଭିଜନ୍ ମହାସାଗର #VisionMAHASAGAR ନୀତି ଅନୁଯାୟୀ ପଡ଼ୋଶୀ ଦେଶମାନଙ୍କ ସହ ସୁରକ୍ଷା ଓ ବିକାଶ ପାଇଁ ସର୍ବଦା ଛିଡ଼ା ହୋଇଛି ।