ଚଣ୍ଡିଗଡ଼, ୨୫।୩: ହରିୟାଣାରେ ପୁଣି ଏକ ବଡ଼ ଆର୍ଥିକ ଅନିୟମିତତା ସାମ୍ନାକୁ ଆସିଛି । ଆଇଡିଏଫସି ଫାଷ୍ଟ ବ୍ୟାଙ୍କରେ ୫୯୦ କୋଟି ଟଙ୍କାର ମହାଘୋଟାଲା ପରେ ଏବେ କୋଟାକ ମହିନ୍ଦ୍ରା ବ୍ୟାଙ୍କ ଉପରେ ସମାନ ଅଭିଯୋଗ ଆସିଛି । ପଞ୍ଚକୁଲା ନଗର ନିଗମର ପ୍ରାୟ ୧୬୦ କୋଟି ଟଙ୍କା ବ୍ୟାଙ୍କ ଖାତାରୁ ଗାୟବ ହୋଇଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ପଞ୍ଚକୁଲା ନଗର ନିଗମ ପକ୍ଷରୁ କୋଟାକ ମହିନ୍ଦ୍ରା ବ୍ୟାଙ୍କରେ ୧୬୦ କୋଟି ଟଙ୍କାର ଫିକ୍ସଡ୍ ଡିପୋଜିଟ୍ କରାଯାଇଥିଲା । କିନ୍ତୁ, ଏଫ୍‌ଡି ମ୍ୟାଚୁରିଟି ହେବା ପୂର୍ବରୁ ହିଁ ଜାଲ୍ ଆକାଉଣ୍ଟ ଖୋଲାଯାଇ ସମସ୍ତ ଅର୍ଥ ଟ୍ରାନ୍ସଫର କରାଯାଇଛି ।

ଏହା ବି ପଢ଼ନ୍ତୁ... 'ମେଟା' ଉପରେ ୩୧ ଶହ କୋଟିର ଜରିମାନା, ପିଲାଙ୍କ ମାନସିକ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଉଥିବା କହି ଦୋଷୀ ସାବ୍ୟସ୍ତ କଲେ କୋର୍ଟ

ବ୍ୟାଙ୍କ ପକ୍ଷରୁ ନଗର ନିଗମକୁ ନକଲି ଷ୍ଟେଟମେଣ୍ଟ ଏବଂ ଜାଲ୍ ଏଫଡି କାଗଜପତ୍ର ଦିଆଯାଉଥିଲା । ଯେତେବେଳେ ନଗର ନିଗମ ୫୮ କୋଟି ଟଙ୍କାର ଏକ ଏଫଡି ମ୍ୟାଚୁରିଟି ରାଶି ନିଜ ଖାତାକୁ ଆଣିବାକୁ ଚାହିଁଲା, ସେତେବେଳେ ଏହି ଘୋଟାଲା ସାମ୍ନାକୁ ଆସିଥିଲା । ବ୍ୟାଙ୍କ ରେକର୍ଡରେ ଟଙ୍କା ଟ୍ରାନ୍ସଫର ହୋଇଥିବା ଦେଖାଉଥିଲେ ମଧ୍ୟ ପ୍ରକୃତରେ ନିଗମର ଖାତାକୁ କୌଣସି ଅର୍ଥ ଆସିନଥିଲା । ଏହି ଘଟଣାରେ କୋଟାକ ମହିନ୍ଦ୍ରା ବ୍ୟାଙ୍କର କିଛି ଅଧିକାରୀ ଏବଂ କର୍ମଚାରୀଙ୍କ ସହିତ ନଗର ନିଗମର କିଛି କର୍ମଚାରୀ ମଧ୍ୟ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି । ବର୍ତ୍ତମାନ ହରିୟାଣା ରାଜ୍ୟ ଦୁର୍ନୀତି ନିବାରଣ ବ୍ୟୁରୋ ଏହି ମାମଲାର ତଦନ୍ତ ଆରମ୍ଭ କରିଛି । ନଗର ନିଗମ ପକ୍ଷରୁ ବ୍ୟାଙ୍କ ବିରୋଧରେ ଏଫଆଇଆର୍ ଦାୟର କରିବା ପ୍ରକ୍ରିୟା ଜାରି ରହିଛି ।

ପୂର୍ବରୁ IDFC ବ୍ୟାଙ୍କରେ ହୋଇଥିଲା ୫୯୦ କୋଟିର ଘୋଟାଲା:

କହିରଖୁଛୁ ଯେ, କିଛି ଦିନ ପୂର୍ବରୁ ଚଣ୍ଡିଗଡ଼ ସ୍ଥିତ ଆଇଡିଏଫସି ଫାଷ୍ଟ ବ୍ୟାଙ୍କ ଶାଖାରୁ ହରିୟାଣା ସରକାରଙ୍କ ବିଭିନ୍ନ ବିଭାଗର ପ୍ରାୟ ୫୯୦ କୋଟି ଟଙ୍କା ହେରଫେର ହୋଇଥିଲା । ଏହି ମାମଲାରେ ବ୍ୟାଙ୍କର ପୂର୍ବତନ ମ୍ୟାନେଜର ଏବଂ ଅନ୍ୟ କିଛି ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, ଆଇଡିଏଫସି ବ୍ୟାଙ୍କ ମାମଲାରେ ଅଧିକାଂଶ ଅର୍ଥ ଫେରସ୍ତ ଅଣାଯାଇଛି, କିନ୍ତୁ ପଞ୍ଚକୁଲା ମାମଲା ଏବେ ସରକାରଙ୍କ ପାଇଁ ଏକ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ପଞ୍ଚକୁଲା ନଗର ନିଗମର ୧୬୦ କୋଟି ଟଙ୍କା ହେରଫେର । କୋଟାକ ମହିନ୍ଦ୍ରା ବ୍ୟାଙ୍କର କର୍ମଚାରୀଙ୍କ ବିରୋଧରେ ଅଭିଯୋଗ । ଅଫିସିଆଲ୍ ଷ୍ଟେଟମେଣ୍ଟ ଏବଂ ଏଫଡି କାଗଜପତ୍ର ଜାଲ୍ ବୋଲି ପ୍ରମାଣିତ। ହରିୟାଣା ଆଣ୍ଟି କରପ୍ସନ ବ୍ୟୁରୋ (ACB) ଦ୍ୱାରା ତଦନ୍ତ ଜାରି ।