ନୂଆଦିଲ୍ଲୀ: ଗତ ମାସରେ ଇଟାଲୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାକାର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କୁ ଭାରତର ପ୍ରସିଦ୍ଧ ଚକଲେଟ୍ ‘ମେଲୋଡି’ ଉପହାର ଦେଇଥିଲେ । ମେଲୋନୀ ଏହି ସାକ୍ଷାତକାରର ଭିଡିଓ ସୋସିଆଲ ମିଡିଆରେ ସେୟାର କରିବା ମାତ୍ରେ ତାହା ବେଶ୍ ଭାଇରାଲ୍ ହୋଇଥିଲା । ଏହି ଭାଇରାଲ୍ ଭିଡିଓର ସିଧାସଳଖ ପ୍ରଭାବ ସେୟାର ବଜାର ଉପରେ ପଡ଼ିଥିଲା । ଲୋକମାନେ ବଜାରରେ ‘ପାର୍ଲେ ଇଣ୍ଡଷ୍ଟ୍ରିଜ୍’ ର ସେୟାର କିଣିବା ପାଇଁ ଆଗଭର ହୋଇଥିଲେ । ଦେଖୁଦେଖୁ ମାତ୍ର ୨୨ ଦିନ ମଧ୍ୟରେ ଏହି କମ୍ପାନୀର ସେୟାର ୧୧୬ ପ୍ରତିଶତର ବମ୍ପର ରିଟର୍ଣ୍ଣ ଦେଇଛି । କିନ୍ତୁ ସବୁଠାରୁ ମଜାଦାର କଥା ହେଉଛି, ଯେଉଁ କମ୍ପାନୀର ସେୟାର ନିବେଶକମାନେ ଆଖିବୁଜା କିଣିଛନ୍ତି, ତାର ‘ମେଲୋଡି’ ଚକଲେଟ୍ ସହ ଦୂରଦୂର ଯାଏଁ କୌଣସି ସମ୍ପର୍କ ନାହିଁ !

ଦୁଇ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାରର ଭିଡିଓ ମେ’ ୨୦ରେ ଚର୍ଚ୍ଚାକୁ ଆସିଥିଲା । ସେହି ଦିନ ପାର୍ଲେ ଇଣ୍ଡଷ୍ଟ୍ରିଜ୍‌ର ଷ୍ଟକ୍ ମାତ୍ର ୫ ଟଙ୍କାରେ କାରବାର କରୁଥିଲା । ଖବର ଭାଇରାଲ୍ ହେବା ପରେ ଏହି ସେୟାର କିଣିବାକୁ ଲୋକଙ୍କ ଭିଡ଼ ଜମିଥିଲା ଏବଂ ଏଥିରେ ‘ଅପର୍ ସର୍କିଟ୍’ ଲାଗିବା ଆରମ୍ଭ ହୋଇଥିଲା । ଜୁନ୍ ୧୧ ସୁଦ୍ଧା ଏହି ସେୟାର ପୁଣି ୫% ବୃଦ୍ଧି ପାଇ ୧୦.୮୧ଟଙ୍କାରେ ପହଞ୍ଚିଛି । ଅର୍ଥାତ୍ ଯେଉଁମାନେ ୨୦ ମେ’ରେ ନିବେଶ କରିଥିଲେ, ସେମାନଙ୍କ ଟଙ୍କା ୨୨ ଦିନରେ ଦ୍ୱିଗୁଣାରୁ ଅଧିକ ୧୧୬% ମଲ୍ଟିବ୍ୟାଗର ରିଟର୍ଣ୍ଣ ହୋଇଯାଇଛି । ନିବେଶକମାନେ ଯେଉଁ ‘ପାର୍ଲେ ଇଣ୍ଡଷ୍ଟ୍ରିଜ୍’ରେ ପଇସା ଲଗାଇଛନ୍ତି, ତାହା ପ୍ରକୃତରେ ଇନଫ୍ରାଷ୍ଟ୍ରକ୍ଚର, ରିୟଲ ଇଷ୍ଟେଟ୍ ଏବଂ ପେପର୍ ୱେଷ୍ଟ ରିସାଇକ୍ଲିଂ କ୍ଷେତ୍ରରେ କାମ କରେ । ଏହି ମୁମ୍ବାଇ ଭିତ୍ତିକ କମ୍ପାନୀର ଚକଲେଟ୍ ବ୍ୟବସାୟ ସହ କୌଣସି ସମ୍ପର୍କ ନାହିଁ । ପାର୍ଲେ ପ୍ରଡକ୍ଟସର ଉପ-ସଭାପତି ମୟଙ୍କ ଶାହ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ପାର୍ଲେ ଇଣ୍ଡଷ୍ଟ୍ରିଜ୍ ଏକ ସମ୍ପୂର୍ଣ୍ଣ ଭିନ୍ନ ସଂସ୍ଥା ।

ତେବେ ଅସଲି ମେଲୋଡି କମ୍ପାନୀ କେଉଁଟି ?

ଆମେ ବଜାରରେ ଯେଉଁ ପାର୍ଲେ-ଜି, ମେଲୋଡି, ମୋନାକୋ କିମ୍ବା ହାଇଡ୍ ଆଣ୍ଡ୍ ସିକ୍ ବିସ୍କୁଟ୍ କିଣୁଛୁ, ତାହା ହେଉଛି ‘ପାର୍ଲେ ପ୍ରଡକ୍ଟସ୍’ । ଏହା ଦେଶର ଏକ ପ୍ରତିଷ୍ଠିତ FMCG କମ୍ପାନୀ, କିନ୍ତୁ ଏହା ସେୟାର ବଜାରରେ ଲିଷ୍ଟେଡ୍ ନାହିଁ । କେବଳ ନାଁରେ ‘ପାର୍ଲେ’ ଥିବାରୁ ସାଧାରଣ ନିବେଶକମାନେ ଭ୍ରମରେ ପଡ଼ି ଭୁଲ୍ କମ୍ପାନୀର ସେୟାର କିଣି ମାଲାମାଲ୍ ହୋଇଯାଇଛନ୍ତି ।

ଆହୁରି ପଢ଼ନ୍ତୁ... ​​​​​​​Gig Workers: ଗିଗ୍ ୱର୍କର୍ସଙ୍କୁ ମିଳିବ ଆଇନଗତ ପରିଚୟ; ପେନସନ ଓ ସାମାଜିକ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ