ନୂଆଦିଲ୍ଲୀ, ୧୨।୬: ସ୍ୱିଗି, ଜୋମାଟୋ, ଓଲା, ଉବର, ବ୍ଲିଙ୍କିଟ୍ ଏବଂ ଜେପ୍ଟୋ ଭଳି ଆପ୍-ଆଧାରିତ ପ୍ଲାଟଫର୍ମରେ କାମ କରୁଥିବା ଲକ୍ଷ ଲକ୍ଷ ଗିଗ୍ ୱର୍କର୍ସଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଏଣିକି ସେମାନଙ୍କୁ ମିଳିବ ଆଇନଗତ ପରିଚୟ ସହ ପେନସନ ଓ ସାମାଜିକ ସୁରକ୍ଷାର ସମସ୍ତ ସୁବିଧା । କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ଆପ୍-ଆଧାରିତ କମ୍ପାନୀମାନଙ୍କୁ ସେମାନଙ୍କ କର୍ମଚାରୀଙ୍କୁ ‘ଇ-ଶ୍ରମ’ ପୋର୍ଟାଲରେ ପଞ୍ଜୀକୃତ କରିବା ସହ ଆସନ୍ତା ଜୁନ୍ ୨୧ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ଶ୍ରମ ମନ୍ତ୍ରାଳୟ ‘କୋଡ୍ ଅନ୍ ସୋସିଆଲ ସିକ୍ୟୁରିଟି’ ଅଧୀନରେ ନୂଆ ନିୟମ ଜାରି କରିବା ପରେ ଏହି କଡ଼ା ନିର୍ଦ୍ଦେଶ ଦେଇଛି । ଏହି ନିୟମ ଅନୁସାରେ, ଗିଗ୍ ଏବଂ ପ୍ଲାଟଫର୍ମ ୱର୍କର୍ସମାନଙ୍କର ୪୫ ଦିନ ମଧ୍ୟରେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ ।

ମିଳିବ ୟୁନିକ୍ ନ୍ୟାସନାଲ୍ ଆଇଡି:

ସରକାରଙ୍କ ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଡିଜିଟାଲ୍ ପ୍ଲାଟଫର୍ମ ସହ ଜଡ଼ିତ ଶ୍ରମିକମାନଙ୍କର ଏକ ବଡ଼ ଡାଟାବେସ୍ ପ୍ରସ୍ତୁତ କରିବା । ଏହାଦ୍ୱାରା ସରକାର ସେମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା, ଜୀବନ ବୀମା, ପେନସନ ସ୍କିମ୍ ଭଳି ବିଭିନ୍ନ କଲ୍ୟାଣକାରୀ ଯୋଜନା ଆରମ୍ଭ କରିପାରିବେ । ଏହା ସହିତ ସେମାନଙ୍କୁ ଏକ ୟୁନିକ୍ ନ୍ୟାସନାଲ୍ ଆଇଡି ପ୍ରଦାନ କରାଯିବ, ଯାହାଦ୍ୱାରା ସେମାନଙ୍କର ପୋର୍ଟେବିଲିଟି ସହଜ ହେବ ଏବଂ ଏହି ଅଣସଂଗଠିତ କ୍ଷେତ୍ରକୁ ଏକ ସ୍ୱତନ୍ତ୍ର ପରିଚୟ ମିଳିପାରିବ । ଜୁନ୍ ୨୧ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ନକଲେ ସମ୍ପୃକ୍ତ ସଂସ୍ଥା ବିରୋଧରେ ‘ସୋସିଆଲ ସିକ୍ୟୁରିଟି କୋଡ୍’ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ସହ ଜରିମାନା ମଧ୍ୟ କରାଯିବ ବୋଲି ମନ୍ତ୍ରାଳୟ ଚେତାବନୀ ଦେଇଛି ।

କିଏ ପାଇବେ ଏହି ସୁବିଧା ?

ନୂଆ ନିୟମ ଅନୁଯାୟୀ, ଯେଉଁ ବ୍ୟକ୍ତି ବର୍ଷକୁ ଅତିକମରେ ୯୦ ଦିନ କୌଣସି ଗୋଟିଏ କମ୍ପାନୀରେ କିମ୍ବା ବିଭିନ୍ନ ପ୍ଲାଟଫର୍ମରେ ମିଶାଇ ମୋଟ୍ ୧୨୦ ଦିନ କାମ କରିଥିବେ, ସେମାନଙ୍କୁ ହିଁ ଗିଗ୍ ବା ପ୍ଲାଟଫର୍ମ ୱର୍କର ଭାବେ ଗଣ୍ୟ କରାଯିବ । ଏହାସହ ନୂଆ ଶ୍ରମିକଙ୍କ ଯୋଗଦାନ ଏବଂ କାମ ଛାଡ଼ିବା ନେଇ କମ୍ପାନୀଗୁଡ଼ିକୁ ପ୍ରତିଦିନ ସେଣ୍ଟ୍ରାଲ୍ ପୋର୍ଟାଲରେ ରିଅଲ୍-ଟାଇମ୍ ତଥ୍ୟ ଦେବାକୁ ପଡ଼ିବ । ଇଣ୍ଡିଆନ୍ ଫେଡେରେସନ ଅଫ୍ ଆପ୍-ବେସଡ୍ ଟ୍ରାନ୍ସପୋର୍ଟ ୱର୍କର୍ସ (IFAT) ର ସହ-ପ୍ରତିଷ୍ଠାତା ଶେଖ୍ ସଲାଉଦ୍ଦିନ କହିଛନ୍ତି ଯେ, ପୂର୍ବରୁ ଅନେକ କମ୍ପାନୀ ସରକାରଙ୍କ ଏହି ନିର୍ଦ୍ଦେଶକୁ ଗମ୍ଭୀରତାର ସହ ନେଇନଥିଲେ । କିନ୍ତୁ, ବର୍ତ୍ତମାନ ଏହି କମ୍ପାନୀଗୁଡ଼ିକ ଦାୟିତ୍ୱର ସହ ଆଇନ ପାଳନ କରିବା ଉଚିତ୍ । ଶ୍ରମିକମାନେ ସେମାନଙ୍କର ସାମାଜିକ ସୁରକ୍ଷା ପାଇଁ ଆଉ ଅଧିକ ସମୟ ଅପେକ୍ଷା କରିପାରିବେ ନାହିଁ ।

ଆହୁରି ପଢ଼ନ୍ତୁ... Petrol Excise Duty: ପେଟ୍ରୋଲ୍ ଦରକୁ ନେଇ ବଡ଼ ଖୁସିଖବର: ହଟିଲା ଏକ୍ସାଇଜ୍ ଡ୍ୟୁଟି, ଜାଣନ୍ତୁ ଲିଟର ପିଛା କେତେ ଟଙ୍କା ହେବ ଫାଇଦା