ଯୋଗ ଦିବସ ପାଇଁ ନରେନ୍ଦ୍ର ମୋଦୀଙ୍କ ପ୍ରସ୍ତୁତି ଆରମ୍ଭ, ଟ୍ୱିଟ୍ କରି ଲେଖିଲେ…

ଭୁବନେଶ୍ବର ୫।୬: ଜୁନ ୨୧ରେ ବିଶ୍ୱ ଯୋଗ ଦିବସ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଚେତନତା ସୃଷ୍ଟି କରିବା ପାଇଁ ଚେଷ୍ଟା କରିଛନ୍ତି। ସାଧାରଣ ଜୀବନ ଯାପନରେ ଯୋଗର ମହତ୍ୱ, ଯୋଗର ବିଭିନ୍ନ ଲାଭକୁ ଦୃଷ୍ଟିରେ ରଖି ଯୋଗାସନର ଏକ ଛୋଟ ଭିଡିଓ ଟ୍ୱିଟରରେ ପୋଷ୍ଟ କରିଛନ୍ତି । ଗତ ବର୍ଷ ମଧ୍ୟ ସେ ଯୋଗାସନର ବିଭିନ୍ନ ଭିଡିଓ ପୋଷ୍ଟ କରିଥିଲେ ।

ଏହା ସହିତ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ଲେଖିଛନ୍ତି ଯେ, ୨୧ଜୁନ ୨୦୧୯ରେ ଆମେ ଯୋଗ ଦିବସ ପାଳନ କରିବାକୁ ଯାଉଛୁ । ମୁଁ ଆପଣ ସମସ୍ତଙ୍କୁ ଯୋଗକୁ ଆପଣଙ୍କ ଜୀବନରେ ଏକ ଅଭିନ୍ନ ଅଂଶ କରିବାକୁ ଏବଂ ଅନ୍ୟମାନଙ୍କୁ ଏଥିରେ ପ୍ରେରିତ କରିବା ପାଇଁ ଅପିଲ କରୁଛି । ଜୀବନରେ ଯୋଗ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଏଠାରେ ତ୍ରିକୋଣାସନର ଏକ ଭିଡିଓ ରହିଛି ବୋଲି ସେ ଲେଖିଛନ୍ତି ।

ସୂଚନାଯୋଗ୍ୟ, ଭାରତ ସରକାର ଦିଲ୍ଲୀ, ଶିମଲା, ମସୁରୀ, ଅହମଦାବାଦ ଏବଂ ରାଂଚିରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ କରିବାକୁ ରାଷ୍ଟ୍ରୀୟ କାର୍ଯ୍ୟକ୍ରମର ଆୟୋଜନ କରୁଛି । ତେବେ ପ୍ରଥମ କାର୍ଯ୍ୟକ୍ରମ ଦିଲ୍ଲୀରେ ରହିଛି । ଚଳିତ ବର୍ଷ ସେ ରାଂଚି ଯିବାର କାର୍ଯ୍ୟକ୍ରମ ରହିଛି। ପ୍ରତି ଥର ଭଳି ଏଥର ମଧ୍ୟ ମୋଦୀ ଖୋଦ ଯୋଗାସନ କରୁଥିବାର ନଜର ଆସିବେ।