ନୂଆଦିଲ୍ଲୀ, ୨୦।୫: ମଧ୍ୟପ୍ରାଚ୍ୟରେ ଚାଲିଥିବା ଭୟଙ୍କର ଇରାନ ଯୁଦ୍ଧ ଏବଂ ବିଶ୍ୱବ୍ୟାପୀ ଦେଖାଦେଇଥିବା ତୈଳ ସଙ୍କଟ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଖୁବ୍ଶୀଘ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତା ଜୁନ୍ ମାସରେ ଫ୍ରାନ୍ସରେ ଆୟୋଜିତ ହେବାକୁ ଥିବା ଜି-୭ ଶିଖର ସମ୍ମିଳନୀ ଅବସରରେ ଦୁଇ ବିଶ୍ୱନେତା ପରସ୍ପରକୁ ଭେଟିବେ । ବିଶ୍ୱସ୍ତରୀୟ ରାଜନୈତିକ ଉତ୍ଥାନ-ପତନ ଏବଂ ଯୁଦ୍ଧ ପରିସ୍ଥିତି ମଧ୍ୟରେ ପିଏମ ମୋଦୀ ଓ ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତକାର ହେବ ।

ଜୁନ୍ ୧୫-୧୭ ମଧ୍ୟରେ ପ୍ୟାରିସରେ ହେବ ସାକ୍ଷାତ:

'ଏକ୍ସିଓସ୍' ରିପୋର୍ଟ ଅନୁଯାୟୀ, ଆସନ୍ତା ଜୁନ୍ ୧୫ରୁ ୧୭ ତାରିଖ ମଧ୍ୟରେ ଫ୍ରାନ୍ସର ଏଭିଆନ୍ ସହରରେ ଅନୁଷ୍ଠିତ ହେବାକୁ ଥିବା ଜି-୭ ଶିଖର ସମ୍ମିଳନୀରେ ଏହି ମହାମିଳନ ସମ୍ଭବ ହେବ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ବୈଠକରେ ଯୋଗଦେବା ପାଇଁ ପ୍ୟାରିସ୍ ପହଞ୍ଚୁଥିବା ବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏଥିରେ ସାମିଲ ହେବେ ବୋଲି ଫ୍ରାନ୍ସ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

୧୬ ମାସ ପରେ ଦୁଇ ନେତାଙ୍କ ମଧ୍ୟରେ ବୈଠକ:

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ ଶେଷ ସାକ୍ଷାତକାର ଫେବୃଆରୀ ୨୦୨୫ରେ ୱାଶିଂଟନଠାରେ ହୋଇଥିଲା । ଏହା ପରେ ପ୍ରାୟ ୧୬ ମାସର ବ୍ୟବଧାନ ପରେ ଦୁଇ ନେତା ପୁଣିଥରେ ଏକାଠି ହେବାକୁ ଯାଉଛନ୍ତି । ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତ ପରେ ରୁଷଠାରୁ ଭାରତ ତୈଳ କ୍ରୟ କରିବାକୁ ନେଇ ଟ୍ରମ୍ପ ପ୍ରଶାସନ ଅସନ୍ତୋଷ ପ୍ରକାଶ କରିଥିଲା । ଏପରିକି ଆମେରିକା ଭାରତ ଉପରେ ଜରିମାନା ସ୍ୱରୂପ ଟାରିଫ୍ ଲଗାଇ ଦେଇଥିଲା, ଯାହାଫଳରେ ଦୁଇ ଦେଶର ସମ୍ପର୍କରେ କିଛିଟା ଦୂରତା ଆସିଥିଲା । ତେବେ ବର୍ତ୍ତମାନ ଭାରତ ଓ ଆମେରିକା ମଧ୍ୟରେ ଏକ ବଡ଼ ବ୍ୟବସାୟିକ ଚୁକ୍ତି ସ୍ୱାକ୍ଷରିତ ହୋଇସାରିଛି । ତେଣୁ ଏହି ଆଗାମୀ ବୈଠକରେ ମୁଖ୍ୟତଃ 'ହୋର୍ମୁଜ ପ୍ରଣାଳୀ' ଅବରୋଧ ଯୋଗୁଁ ସୃଷ୍ଟି ହୋଇଥିବା ବିଶ୍ୱ ତୈଳ ସଙ୍କଟ ଏବଂ ଆକାଶଛୁଆଁ ମହଙ୍ଗା ମାଡ଼ ଉପରେ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି ।

ଫ୍ରାନ୍ସ ସରକାର କଲେ ଗସ୍ତ ନିଶ୍ଚିତ:

ଫ୍ରାନ୍ସର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ନିକଟରେ ଜାରି କରାଯାଇଥିବା ଏକ ବିବୃତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତକୁ ସ୍ପଷ୍ଟ କରାଯାଇଛି । ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ଫ୍ରାନ୍ସର ୟୁରୋପ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜିନ୍-ନୋଏଲ୍ଙ୍କ ମଧ୍ୟରେ ହୋଇଥିବା ଆଲୋଚନା ପରେ ଏହି ସୂଚନା ଦିଆଯାଇଛି । ଜି-୭ ବୈଦେଶିକ ମନ୍ତ୍ରୀଙ୍କ ବୈଠକ ଅବସରରେ ଫ୍ରାନ୍ସ ମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୧୫-୧୭ ରେ ହେବାକୁ ଥିବା ଏଭିଆନ୍ ଶିଖର ସମ୍ମିଳନୀରେ ଯୋଗଦେବା ନେଇ ନିଶ୍ଚିତ କରିଛନ୍ତି । ଏଥିସହ ଜି-୭ କାର୍ଯ୍ୟସୂଚୀରେ ଭାରତର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ଫ୍ରାନ୍ସ ବେଶ୍ ପ୍ରଶଂସା କରିଛି ।

ଜି-୭ ର ସଦସ୍ୟ ନଥାଇ ମଧ୍ୟ ଭାରତକୁ ନିମନ୍ତ୍ରଣ:

ସୂଚନାଯୋଗ୍ୟ ଯେ, ଜି-୭ ହେଉଛି ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ବିକଶିତ ହେଉଥିବା ଅର୍ଥବ୍ୟବସ୍ଥା ବିଶିଷ୍ଟ ଦେଶଗୁଡ଼ିକର ଏକ ସମୂହ । ଭାରତ ଆନୁଷ୍ଠାନିକ ଭାବେ ଏହି ଗ୍ରୁପ୍ର ସଦସ୍ୟ ନୁହେଁ, ତଥାପି ବିଶ୍ୱ ରାଜନୀତି ଓ ଅର୍ଥନୀତିରେ ଭାରତର ବଢ଼ୁଥିବା ଦାବଦବାକୁ ଦେଖି ଫ୍ରାନ୍ସ ଭାରତକୁ ଏକ 'ଅଂଶୀଦାର ଦେଶ' ଭାବେ ସମ୍ମାନର ସହ ଆମନ୍ତ୍ରିତ କରିଛି । ବର୍ତ୍ତମାନ ସମଗ୍ର ବିଶ୍ୱର ନଜର ଏହି ମୋଦୀ-ଟ୍ରମ୍ପ ସାକ୍ଷାତକାର ଉପରେ ରହିଛି, କାରଣ ଏହି ବୈଠକର ନିଷ୍କର୍ଷ ଆଗାମୀ ଦିନରେ ବିଶ୍ୱ ବାଣିଜ୍ୟ ଏବଂ ମଧ୍ୟପ୍ରାଚ୍ୟ ଶାନ୍ତି ପ୍ରକ୍ରିୟା ଉପରେ ବଡ଼ ପ୍ରଭାବ ପକାଇପାରେ ।

ଆହୁରି ପଢ଼ନ୍ତୁ... ସିବିଆଇର ବଡ଼ ଆକ୍ସନ: ୫୦ ଲକ୍ଷ ଲାଞ୍ଚ ମାମଲାରେ ସେନାର କର୍ଣ୍ଣେଲ ହିମାଂଶୁ ବାଲି ଗିରଫ !