କୋଲକାତା, ୨୦।୫: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପ୍ରତିରକ୍ଷା କ୍ଷେତ୍ରରେ ଦୁର୍ନୀତି ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କୋଲକାତାସ୍ଥିତ ଭାରତୀୟ ସେନାର ଇଷ୍ଟର୍ଣ୍ଣ କମାଣ୍ଡ ଫୋର୍ଟ ୱିଲିୟମ୍ସର ଆର୍ମି ଅର୍ଡିନାନ୍ସ କୋରରେ ମୁତୟନ ଥିବା କର୍ଣ୍ଣେଲ ହିମାଂଶୁ ବାଲିଙ୍କୁ ସିବିଆଇ ଗିରଫ କରିଛି । ତାଙ୍କ ବିରୋଧରେ ୫୦ ଲକ୍ଷ ଟଙ୍କାର ମାସିଭ୍ ଲାଞ୍ଚ କାରବାର ନେଇ ସଙ୍ଗୀନ ଅଭିଯୋଗ ଆସିଛି । ମିଳିଥିବା ସୂଚନା ଅନୁଯାୟୀ, କର୍ଣ୍ଣେଲ ହିମାଂଶୁ ବାଲି କାନପୁରର ଏକ ବେସରକାରୀ କମ୍ପାନୀକୁ ବେଆଇନ ଭାବେ ଫାଇଦା ପହଞ୍ଚାଇବା ପାଇଁ ନିଜ ପଦବୀର ଅପବ୍ୟବହାର କରିଥିଲେ । ଟେଣ୍ଡର ପ୍ରକ୍ରିୟାରେ ହେରଫେର କରିବା ସହ ସେନା ପାଇଁ ଉଦ୍ଦିଷ୍ଟ ନିମ୍ନମାନର ସାମଗ୍ରୀର ନମୁନାକୁ ସେ ସବୁଜ ସଙ୍କେତ ଦେଇଥିଲେ । କେବଳ ସେତିକି ନୁହେଁ, ଉକ୍ତ କମ୍ପାନୀର ବହୁ ଦିନରୁ ବାକି ଥିବା ଏବଂ ବଢ଼ାଯାଇଥିବା ବିଲ୍ଗୁଡ଼ିକୁ ସହଜରେ ପାସ୍ କରାଇଦେବା ପାଇଁ ସେ ମୋଟା ଅଙ୍କର ଡିଲ୍ କରିଥିଲେ ।
ହାୱାଲା ଜରିଆରେ ହେଉଥିଲା ଟଙ୍କା କାରବାର !
ସିବିଆଇ ଦ୍ୱାରା ରୁଜୁ ହୋଇଥିବା ଏଫ୍ଆଇଆରରୁ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । କର୍ଣ୍ଣେଲ ଲାଞ୍ଚ ଟଙ୍କା ପାଇଁ କାନପୁରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ସହ ସେଟିଂ କରିଥିଲେ । ବ୍ୟବସାୟୀ ଜଣକ ସେହି ସମୟରେ ନଗଦ ଟଙ୍କା ନାହିଁ ବୋଲି କହିବା ପରେ, କର୍ଣ୍ଣେଲ ସିଧାସଳଖ ବ୍ୟବସାୟୀଙ୍କ ଡ୍ରାଇଭରକୁ ଫୋନ୍ କରିଥିଲେ । ଟଙ୍କାଗୁଡ଼ିକୁ କର୍ଣ୍ଣେଲଙ୍କ ଜଣେ ପରିଚିତ ବ୍ୟକ୍ତିଙ୍କୁ ହସ୍ତାନ୍ତର କରିବାକୁ କୁହାଯାଇଥିଲା । ସିବିଆଇର ଦାବି ଅନୁଯାୟୀ, ଏହି ୫୦ ଲକ୍ଷ ଟଙ୍କାର ବିରାଟ ଲାଞ୍ଚ ରାଶିକୁ 'ହାୱାଲା' ଚ୍ୟାନେଲ୍ ଜରିଆରେ ପଠାଇବାକୁ ସମ୍ପୂର୍ଣ୍ଣ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା ।
ସିବିଆଇର ପରବର୍ତ୍ତୀ ପଦକ୍ଷେପ:
ଏହି ସେନା ଅଧିକାରୀଙ୍କ ଦୁର୍ନୀତି ସମ୍ପର୍କରେ ସୂଚନା ମିଳିବା ମାତ୍ରେ ସିବିଆଇ ପକ୍ଷରୁ ଜାଲ ବିଛାଯାଇଥିଲା ଏବଂ କର୍ଣ୍ଣେଲ ହିମାଂଶୁ ବାଲିଙ୍କୁ ରେଡ୍ ହ୍ୟାଣ୍ଡେଡ୍ ଧରାଯାଇଛି । ସେନାର ଏଭଳି ଏକ ସମ୍ବେଦନଶୀଳ ବିଭାଗରେ ନିମ୍ନମାନର ସାମଗ୍ରୀକୁ ମଞ୍ଜୁରୀ ଦେବା ଦେଶର ସୁରକ୍ଷା ପ୍ରତି ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ମାମଲାରେ ସଂପୃକ୍ତ ଥିବା କାନପୁରର କମ୍ପାନୀ ଏବଂ ଅନ୍ୟାନ୍ୟ ମଧ୍ୟସ୍ଥିମାନଙ୍କ ଉପରେ ମଧ୍ୟ ସିବିଆଇ ନଜର ରଖିଛି ଓ ଅଧିକ ଖୋଳତାଡ଼ ଜାରି ରଖିଛି ।
ଆହୁରି ପଢ଼ନ୍ତୁ... Nationwide Pharmacy Strike : ଆଜି ଦେଶବ୍ୟାପୀ ୨୪ ଘଣ୍ଟିଆ ଔଷଧ ଦୋକାନ ବନ୍ଦ, ଅନ୍ଲାଇନ୍ ମେଡିସିନ୍ ବିକ୍ରି ବିରୋଧ