ନୂଆଦିଲ୍ଲୀ,୦୬/୦୯: ଟାରିଫ୍କୁ ନେଇ ଭାରତ-ଆମେରିକା ମଧ୍ୟରେ କିଛି ଠିକ୍ ନାହିଁ । ଦୁଇ ଦେଶ ମଧ୍ୟରେ ତିକ୍ତତା ବଢି ବଢି ଚାଲିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କେତେବେଳେ ଭାରକୁ ଧମକ ଦେଉଛନ୍ତି ତ ପୁଣି କେତେବେଳେ ସ୍ୱତନ୍ତ୍ର ସମ୍ପର୍କ ଥିବା କହୁଛନ୍ତି । ଘଡି ଘଡିକେ ଟ୍ରମ୍ପଙ୍କ ମୁଡ୍ ବଦଳୁଛି । ଚଳିତ ମାସ ଶେଷରେ ନ୍ୟୁୟର୍କରେ ଅନୁଷ୍ଠିତ ହେବ ଜାତିସଂଘ ସାଧାରଣ ପରିଷଦ (UNGA) ବୈଠକ । ଏହି ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା । ହେଲେ ବର୍ତ୍ତମାନ ଖବର ଆସୁଛି କି, ଏହି ୟୁଏନଜିଏ ବୈଠକରେ ଯୋଗ ଦେବେ ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କ ସ୍ଥାନରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର UNGAରେ ଭାରତକୁ ପ୍ରତିନିଧିତ୍ୱ କରିବେ । ଏ ନିଷ୍ପତ୍ତି ଏପରି ଏକ ସମୟରେ ଆସିଛି ଯେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷରୁ ତେଲ କିଣିବାରୁ ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲଗାଇଛନ୍ତି । ଯାହାକୁ ନେଇ ଦୁଇଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି ।
ଜାତିସଂଘ ଦ୍ୱାରା ପ୍ରକାଶିତ ବିବୃତ୍ତି ତାଲିକାରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଡୋନାଲ୍ଡ ଟ୍ରମ୍ପ ଉଭୟଙ୍କ ନାମ ସାମିଲ ଥିଲା। ଜାତିସଂଘର ୮୦ତମ ଅଧିବେଶନରେ ଉଚ୍ଚସ୍ତରୀୟ ସାଧାରଣ ବିତର୍କ ୨୩ ରୁ ୨୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଯେଉଁଥିରେ ପାରମ୍ପରିକ ଭାବରେ ବ୍ରାଜିଲ ଅଧିବେଶନ ଆରମ୍ଭ କରିବ । ତା'ପରେ ଆମେରିକା । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ, ଏହି ଅଧିବେଶନରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ନାମ ମଧ୍ୟ ସାମିଲ କରାଯାଇଥିଲା । ବିଶେଷ ସୁତ୍ର ଅନୁସାରେ, ଭାରତ ସେପ୍ଟେମ୍ବର ୨୭ ତାରିଖ ସକାଳେ ସାଧାରଣ ସଭାରେ ଅଭିଭାଷଣ ରଖିବାର କାର୍ଯ୍ୟକ୍ରମ ରହିଛି । ଏହି ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ସ୍ଥାନରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଭାରତକୁ ପ୍ରତିନିଧିତ୍ୱ କରିବେ । ଅଧିବେଶନରେ ଇସ୍ରାଏଲ-ହମାସ ବିବାଦ ସହିତ ୟୁକ୍ରେନ-ରୁଷ ବିବାଦ ଉପରେ ମଧ୍ୟ ଗୁରୁତ୍ୱାରୋପ ଦିଆଯିବ ।
ଭାରତ-ଆମେରିକା ଶୁଳ୍କ ବିବାଦ-ଚଳିତବର୍ଷ ଫେବୃଆରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହ୍ୱାଇଟ୍ ହାଉସରେ ଡୋନାଲ୍ଡ ଟ୍ରମ୍ପଙ୍କ ସହ ଦ୍ୱିପାକ୍ଷିକ ବୈଠକ ପାଇଁ ଆମେରିକା ଗସ୍ତ କରିଥିଲେ । ଏହି ବୈଠକ ପରେ ଏକ ମିଳିତ ବିବୃତ୍ତି ଜାରି କରାଯାଇଥିଲା ଯେଉଁଥିରେ ମୋଦି ଏବଂ ଟ୍ରମ୍ପ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି (BTA) ଉପରେ ଆଲୋଚନା କରିବାକୁ ଯୋଜନା ଘୋଷଣା କରିଥିଲେ । ଗତ ମାସରେ ରୁଷ ତୈଳ କ୍ରୟ ପାଇଁ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଥିଲେ । ମୋଟ ଶୁଳ୍କ ୫୦ ପ୍ରତିଶତକୁ ବୃଦ୍ଧି କରିଥିଲେ ।