ନୂଆଦିଲ୍ଲୀ,୨୫।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଇସ୍ରାଏଲ ଗସ୍ତରେ ବାହାରି ଜେରୁଜେଲମ୍‌ରେ ପହଁଞ୍ଚିଛନ୍ତିତ ୧୦ ବର୍ଷରେ ଏହା ତାଙ୍କର ଦ୍ବିତୀୟ ଇସ୍ରାଏଲ ଗସ୍ତ। ଏହି ଗସ୍ତ ବେଳେ ଇସ୍ରାଏଲର ସଂସଦକୁ ସମ୍ବୋଧତ କରିବେ ମୋଦି। ଇସ୍ରାଏଲ ଅଭିମୁଖେ ମୋଦି ଗସ୍ତ କରିବା ମାତ୍ରେ ଦେଶର ରାଜନୈତିକ ସ୍ଥିତି ଖୁବ୍ ସରଗରମ୍ ହୋଇଛି। ମୁଖ୍ୟ ବିରୋଧି ଦଳ କଂଗ୍ରେସ ପକ୍ଷରୁ ଗସ୍ତକୁ ନେଇ ବିଭିନ୍ନ ପ୍ରକାର ପ୍ରଶ୍ନ ଉଠିଛି। ପାର୍ଟି ମହାସଚିବ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି,ଆଶା କରୁଛି ପିଏମ୍ ସେଠାରେ ପହଁଞ୍ଚି ଗାଜାରେ ହୋଇଥିବା ଶିଶୁଙ୍କ ମୃତ୍ୟୁ ବିଷୟରେ ଆଲୋଚନା କରିବେ।

ପ୍ରିୟଙ୍କା ‘ଏକ୍ସ’ରେ-ପୋଷ୍ଟ କରି କହିଛନ୍ତି, ‘ମୁଁ ଆଶା କରୁଛି ପ୍ରଧାନମନ୍ତ୍ରୀ ତାଙ୍କର ଆଗାମୀ ଇସ୍ରାଏଲ ଗସ୍ତ ସମୟରେ ସଂସଦକୁ ସମ୍ବୋଧିତ କରିବେ ଏବଂ ଗାଜାରେ ହଜାର ହଜାର ନିରୀହ ପୁରୁଷ, ମହିଳା ଏବଂ ପିଲାଙ୍କ ପାଇଁ ନ୍ୟାୟ ଦାବି କରିବେ। ଭାରତ,ଏକ ସ୍ୱାଧୀନ ରାଷ୍ଟ୍ର ଭାବରେ, ଏହାର ଇତିହାସରେ ସତ୍ୟ ପାଇଁ ଠିଆ ହୋଇଛି। ଆମକୁ ବିଶ୍ୱକୁ ସତ୍ୟ, ଶାନ୍ତି ଏବଂ ନ୍ୟାୟର ଆଲୋକ ଦେଖାଇବା ଜାରି ରଖିବାକୁ ପଡିବ।’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ ଇସ୍ରାଏଲ ଗସ୍ତକୁ ମଧ୍ୟ କଂଗ୍ରେସ ଦଳ ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି। ଦଳ ପକ୍ଷରୁ କୁହାଯାଇଛି, ଯେତେବେଳେ ସମଗ୍ର ବିଶ୍ୱ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ସମାଲୋଚନା କରୁଛି, ପ୍ରଧାନମନ୍ତ୍ରୀ ମୋଦିଙ୍କ ତାଙ୍କ ‘ପ୍ରିୟ ବନ୍ଧୁ’ ଙ୍କ ସହ ସାକ୍ଷାତ ନୈତିକ କାପୁରୁଷତାକୁ ଦର୍ଶାଉଛି। କଂଗ୍ରେସ ନେତା ଜୟରାମ ରମେଶ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଇସ୍ରାଏଲୀ ପ୍ରତିପକ୍ଷଙ୍କୁ ନିର୍ଲଜ୍ଜ ଭାବରେ ଆଲିଙ୍ଗନ କରୁଛନ୍ତି। ସେ ନେତାନ୍ୟାହୁଙ୍କୁ ଗାଜାକୁ ଧ୍ୱଂସାବଶେଷରେ ପରିଣତ କରିବା ଏବଂ ଓ୍ବେଷ୍ଟବ୍ୟାଙ୍କରେ ବେଆଇନ୍ ବସତି ବିସ୍ତାର କରିବା ପାଇଁ ଷଡ଼ଯନ୍ତ୍ର କରୁଥିବାର ଅଭିଯୋଗ କରିଛନ୍ତି।

ଜୟରାମ ଏହି ସମୟରେ ୨୦ ମଇ ୧୯୬୦ର ଆଲୋଚନା କରିଛନ୍ତି। ଯେତେବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହୁରୁ ଗାଜା ଯାଇଥିଲେ। ସେଠାରେ ମୁତୟନ ୟୁନାଇଟେଡ୍ ନେସନ୍ ଏମର୍ଜେନ୍ସିଂ ଫୋର୍ସର ଭାରତୀୟ ଦଳକୁ ଭେଟିଥିଲେ। ଏହା ସହ ଜୟରାମ ରମେଶ ୨୯ ନଭେମ୍ବର ୧୯୮୧ ର ଐତିହାସିକ ତାରିଖ ମଧ୍ୟ ଉଲ୍ଲେଖ କରିଥିଲେ। ଭାରତ ପାଲେଷ୍ଟାଇନ ସହିତ ଏକତା ପ୍ରଦର୍ଶନ କରିବା ପାଇଁ ଏକ ସ୍ମାରକୀ ଡାକଟିକଟ ଜାରି କରିଥିଲା। ସେତେବେଳେ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିଲେ। ଏହା ବ୍ୟତୀତ, କଂଗ୍ରେସ ନେତା ୧୯୮୮ରେ ପାଲେଷ୍ଟାଇନର ପରିଚୟ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି।