ନୂଆଦିଲ୍ଲୀ,୨୧/୦୭: ସାଂସଦର ମୌସୁମୀ ଅଧିବେଶନ ଆଜିଠୁ ଆରମ୍ଭ ହେଉଛି । ଏହା ପୂର୍ବରୁ ସମ୍ୱୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ମୌସୁମୀ ଅଧିବେଶନ ଦେଶ ପାଇଁ ବିଜୟ ଉତ୍ସବର ରୂପ । ଏଥର ଅଧିବେଶନ ରାଷ୍ଟ୍ର-ଗୌରବ ଓ ବିଜୟ ଉତ୍ସବର । ବୋମା ଓ ବନ୍ଧୁକ ଆଗରେ ଆମ ସମ୍ବିଧାନର ବିଜୟ ହୋଇଛି । 'ଅପରେସନ୍‌ ସିନ୍ଦୂର'ରେ ସେନା ଲକ୍ଷ୍ୟ ହାସଲ କରିଛି । ଦୁନିଆ ଭାରତର ସାମର୍ଥ୍ୟ ଦେଖିଛି । ପ୍ରଥମ ଥର ପାଇଁ ମହାକାଶରେ ତ୍ରିରଙ୍ଗା ଉଡ଼ିବା ଦେଶବାସୀଙ୍କ ପାଇଁ ଗୌରବର ମୁହୂର୍ତ୍ତ । ଦେଶରେ ବିଜ୍ଞାନ, ଟେକ୍ନୋଲୋଜି ପ୍ରତି ସଫଳ ଯାତ୍ରା ରହିଛି । ଉଭୟ ଗୃହରେ ଗୋଟଏ ସ୍ୱରରେ ସମସ୍ତେ ଯୋଡି ହେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି, ''ଅପରେସନ୍‌ ସିନ୍ଦୂର'ରେ ଶତ ପ୍ରତିଶତ ଟାର୍ଗେଟ ହାସଲ ହୋଇଛି । ବିଶ୍ୱ ଭାରତର ସାମରିକ ଶକ୍ତି ଦେଖିଛି । ଦେଶ ଏକତାର  ଶକ୍ତି ଦେଖିଛି । ଏକ ସ୍ୱରର ସାମର୍ଥ୍ୟ କଣ ତାହା ବି ଦେଖିଛି । ତେଣୁ ଗୃହର ସବୁ ସାଂସଦ ତାକୁ ବଳ ଦିଅନ୍ତୁ, ଆଗକୁ ନିଅନ୍ତୁ । ରାଜନୈତିକ ଦଳ ଅଲଗା ଅଲଗା ହୋଇଥାଏ ସେମାନଙ୍କ ଅଲଗା ଏଜେଣ୍ଡା, ନିଜର ରୋଲ୍ ରହିଥାଏ । ହେଲେ ଦଳ ହିତରେ ମତ ନମିଶୁ ହେଲେ, ଦେଶ ହିତରେ ମନ ନିଶ୍ଚିନ୍ତ ମିଶୁ । ଏକ ଭାବନା ସହିତ ମୌସୁମୀ ଅଧିବେଶନରେ ଦେଶର ବିକାଶ ଯାତ୍ରାକୁ, ପ୍ରଗତିକୁ ବଳ ଦେଉଥିବା ଅନେକ ବିଧେୟକ ପ୍ରସ୍ତାବିତ ହୋଇଛି । ତାହା ଉପରେ ଚର୍ଚ୍ଚା ହେବ ପାରିତ କରାଯିବ । ସମସ୍ତ ସାଂସଦଙ୍କୁ ଅନୁରୋଧ ଉତ୍ତମ ତର୍କ କରିବେ ।''

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''ପହଲଗାମ କ୍ରୁରତା ନରସଂହାର ବିଶ୍ୱକୁ ଦୋହଲାଇ ଦେଇଥିଲା । ସେହି ସମୟରେ ଦଳହିତ ଛାଡି ଦେଶହିତରେ ଆମର ଦଳ ପ୍ରତିନିଧି, ରାଜ୍ୟ ପ୍ରତିନିଧି ବିଶ୍ୱ ଭ୍ରମଣ କରିଥିଲେ । ବିଭିନ୍ନ ଦେଶକୁ ଯାଇ ଗୋଟିଏ ସ୍ୱରରେ ଆତଙ୍କବାଦ ଓ ପାକିସ୍ତାନର ମୁଖା ଖୋଲିବାର ଅଭିଯାନ ଚଲାଇଥିଲେ । ଆଜି, ଆମର ସୁରକ୍ଷା ବାହିନୀ ନକ୍ସଲବାଦକୁ ଶେଷ କରିବା ପାଇଁ ଏକ ନୂଆ ଆତ୍ମବିଶ୍ୱାସ ଏବଂ ସଂକଳ୍ପ ସହିତ ଆଗକୁ ବଢ଼ୁଛନ୍ତି । ଏବେ ଅନେକ ଜିଲ୍ଲା ନକ୍ସଲବାଦ ମୁକ୍ତ। ଆମେ ଗର୍ବିତ ଯେ ଭାରତୀୟ ସମ୍ବିଧାନ ନକ୍ସଲବାଦ ବିରୁଦ୍ଧରେ ବିଜୟୀ ହେଉଛି। 'ଲାଲ କରିଡର' 'ସବୁଜ ବିକାଶ କ୍ଷେତ୍ରରେ' ରୂପାନ୍ତରିତ ହେଉଛି। ବୋମା-ବନ୍ଧୁକ ଆଗରେ ସମ୍ବିଧାନର ବିଜୟ ହୋଇଛି ।"

ତୃତୀୟ ଅର୍ଥବ୍ୟବସ୍ଥା ଦ୍ୱାରଦେଶରେ ଭାରତ- ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ସମ୍ବୋଧନରେ କହିଛନ୍ତି, ''ମୌସୁମୀ ଅଧିବେଶନ ହେଉଛି ନବୀନତାର ପ୍ରତୀକ । ଆଇଏସ୍ଏସ୍‌ରେ ତ୍ରିରଙ୍ଗା ଉଡିବା ଗୌରବର କଥା । ପହଲଗାମ୍‌ ନରସଂହାର ସାରା ଦୁନିଆ ଦେଖିଲା । ୨୨ ମିନିଟ୍‌ରେ 'ଅପରେସନ୍‌ ସିନ୍ଦୂର' ସଫଳ ହୋଇଥିଲା । ମେଡ୍ ଇନ୍ ଇଣ୍ଡିଆ ପାଇଁ ବିଶ୍ୱର ଆକର୍ଷଣ ବଢୁଛି । ଭାରତ ତୃତୀୟ ଅର୍ଥବ୍ୟବସ୍ଥା ଦ୍ୱାରଦେଶରେ ପହଞ୍ଚିଛି । ୨୦୧୪ ପୂର୍ବରୁ ଭାରତ ୧୦ ନମ୍ବରରେ ଥିଲା । ତୃତୀୟ ଅର୍ଥବ୍ୟବସ୍ଥା ହେବାକୁ ଦ୍ରୁତ ଗତିରେ ଆଗକୁ ବଢୁଛି ଭାରତ ।''