ନୂଆଦିଲ୍ଲୀ,୧୦/୧୨: ଏଲ୍ଆଇସି ବୀମା ସଖୀ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଯୋଜନା ଅଧୀନରେ ଚୟନ ହୋଇଥିବା ଦଶମ ପାସ୍ ମହିଳାଙ୍କୁ ମାସିକ ୭ ହଜାର ଟଙ୍କା ଦରମା ସହିତ ମିଳିବ କମିଶନ । ଏଥିସହ ସେମାନଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଦିଆଯିବ ବୀମା ଏଜେଣ୍ଟ୍ ତାଲିମ ।
ତେବେ ପାନିପତରୁ ଏଲ୍ଆଇସି ବୀମା ସଖୀ ଯୋଜନାର ଆରମ୍ଭ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ମହିଳାଙ୍କୁ ଆତ୍ମନିର୍ଭର କରାଇବା । ୧୮ ବର୍ଷରୁ ଆରମ୍ଭ କରି ୭୦ ବର୍ଷ ବୟସ ପର୍ଯ୍ୟନ୍ତ ଯେକୌଣସି ମହିଳା ଏ ଯୋଜନା ପାଇଁ ଆବେଦନ କରିପାରିବେ । ଏଲ୍ଆଇସିର ନିକଟସ୍ଥ ଶାଖା କିମ୍ବା ଅଫିସିଆଲ ୱେବ୍ସାଇଟ୍ରେ ଏଥିପାଇଁ ଆବେଦନ କରାଯାଇପାରିବ । ଆବେଦନ କରିବା ପାଇଁ ବୟସ ପ୍ରମାଣପତ୍ର, ଆଡ୍ରେସ ପ୍ରୁଫ୍ ଏବଂ ଦଶମ ପାସ୍ ସାର୍ଟିଫିକେଟ୍ର ସେଲ୍ଫ ଆଟେଷ୍ଟେଡ୍ କପି ଆଟାଚ୍ କରିବାକୁ ହେବ । ଯୋଜନା ଅଧୀନରେ ଚୟନ ହୋଇଯିବା ପରେ ୩ ବର୍ଷର ତାଲିମ ଅବସରରେ ପ୍ରଥମ ବର୍ଷ ୭ ହଜାର, ଦ୍ୱିତୀୟ ବର୍ଷ ୬ ହଜାର ଏବଂ ତୃତୀୟ ବର୍ଷ ୫ ହଜାର ଟଙ୍କା ମାସିକ ଦରମା ଦିଆଯିବ । ପ୍ରତି ବୀମା ସହିତ ମହିଳାମାନଙ୍କୁ କମିସନ ବି ମିଳିବ । ବୀମା ଟାର୍ଗେଟ ପୂରଣ କଲେ ସେମାନଙ୍କୁ ଦରମା ଏବଂ କମିଶନ ସହ ବୋନସ୍ ବି ଦିଆଯିବ ।
ଏଲ୍ଆଇସି ବୀମା ସଖୀ ଯୋଜନା ଅଧୀନରେ ଦେଶବ୍ୟାପୀ ୨ ଲକ୍ଷ ମହିଳାଙ୍କୁ ଚୟନ କରାଯାଇ ସେମାନଙ୍କୁ ଏଲ୍ଆଇସି ଏଜେଣ୍ଟ ତାଲିମ ଦିଆଯିବ । ଯୋଜନାର ପ୍ରଥମ ପର୍ଯ୍ୟାୟରେ ୩୫ ହଜାର ମହିଳାଙ୍କୁ ବୀମା ଏଜେଣ୍ଟ ଭାବେ ରୋଜଗାର ଦିଆଯିବ । ଏହା ପରେ ଆଉ ୫୦ ହଜାର ମହିଳାଙ୍କୁ ଯୋଜନା ଅନ୍ତର୍ଗତ ରୋଜଗାର ମିଳିବ । ଯେଉଁ ମହିଳା ବା ବୀମା ସଖୀ ଗ୍ରାଜୁଏଟ୍ ହୋଇଥିବେ, ସେମାନଙ୍କୁ ଏଲ୍ଆଇସିରେ ଡେଭଲପ୍ମେଣ୍ଟ ଅଫିସରର ଭୂମିକାରେ କାର୍ଯ୍ୟ କରିବାର ବି ସୁଯୋଗ ମିଳିବ । କୌଣସି ଏଲ୍ଆଇସି ଏଜେଣ୍ଟ ବା କର୍ମଚାରୀଙ୍କ ସମ୍ପର୍କୀୟ ଏ ଯୋଜନା ପାଇଁ ଆବେଦନ କରିପାରିବେ ନାହିଁ । ଏଲ୍ଆଇସିର କୌଣସି ପୂର୍ବତନ କର୍ମଚାରୀ, ପୂର୍ବ ଏଜେଣ୍ଟ ଅବା ବର୍ତ୍ତମାନର ଏଜେଣ୍ଟମାନଙ୍କ ଆବେଦନ ବି ଏହା ଅଧୀନରେ ଖାରଜ କରି ଦିଆଯିବ ।