ହାଇଦ୍ରାବାଦରେ ପହଞ୍ଚିଲେ ପିଏମ୍ ମୋଦୀ, ସିଏମ୍ କେସିଆର ଭାଙ୍ଗିଲେ ପ୍ରୋଟୋକଲ

ନୂଆଦିଲ୍ଲୀ,୨/୭: ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ବୈଠକରେ ଭାଗ ନେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ହାଇଦ୍ରାବାଦରେ ପହଞ୍ଚିଛନ୍ତି । ଏହି ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକ ଆଜିଠାରୁ ଆରମ୍ଭ ହେଉଥିବାବେଳେ ୨ଦିନ ହାଇଦ୍ରାବାଦରେ ରହିବେ ପିଏମ୍ । କାର୍ଯ୍ୟକାରିଣୀ ବୈଠକ ପରେ ପିଏମ୍ ମୋଦୀ ରବିବାର ଏକ ବିଶାଳ ଜନସଭାରେ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।
ହାଇଦ୍ରାବାଦ ପହଞ୍ଚିବାର ସୂଚନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟ୍ କରି ଦେଇଛନ୍ତି । ସେ ଟ୍ବିଟ କରି କହିଛନ୍ତି କି ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଭାଗ ନେବା ଲାଗି ହାଇଦ୍ରାବାଦର ଗତିଶୀଳ ସହରରେ ଓହ୍ଲାଇଛି । ଏହି ବୈଠକରେ ଆମେମାନେ ଦଳକୁ ଆହୁରି ମଜବୁତ କରିବା ଲାଗି ମୁଖ୍ୟ ମୁଦ୍ଦା ଉପରେ ଚର୍ଚ୍ଚା କରିବୁ ।

ପ୍ରକାଶ ଯେ, ସାଧାରଣତଃ ପ୍ରୋଟୋକଲ ଅନୁଯାୟୀ ପ୍ରଧାନମନ୍ତ୍ରୀ କୌଣସି ରାଜ୍ୟରେ ପହଞ୍ଚିଲେ ତାଙ୍କୁ ସ୍ବାଗତ କରିବା ଲାଗି ରାଜ୍ୟର ମୁଖ୍ୟମନ୍ତ୍ରୀ ପହଞ୍ଚିଥାନ୍ତି । ମାତ୍ର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚଳିତ ଥର ବି ପିଏମ୍ ମୋଦୀଙ୍କୁ ସ୍ବାଗତ କରିବା ଲାଗି ଏୟାରପୋର୍ଟରେ ପହଞ୍ଚି ନ ଥିଲେ । ପିଏମଙ୍କୁ ସ୍ବାଗତ କରିବା ଲାଗି ତେଲେଙ୍ଗାନା ସରକାରଙ୍କ କେବଳ ଜଣେ ମନ୍ତ୍ରୀ ଏୟାରପୋର୍ଟରେ ଉପସ୍ଥିତ ଥିଲେ ।
ମାତ୍ର ଏହାପୂର୍ବରୁ ବିପକ୍ଷ ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ୟଶବନ୍ତ ସିହ୍ନା ହାଇଦ୍ରାବାଦ ପହଞ୍ଚିଥିଲେ ତ ତାଙ୍କୁ ସ୍ବାଗତ କରିବା ଲାଗି କେସିଆର ପୁରା କ୍ୟାବିନେଟ ସହ ବେଗମ ଏୟାରପୋର୍ଟରେ ପହଞ୍ଚିଥିଲେ। ରାଓ ରାଷ୍ଟ୍ରପତି ନିର୍ବାଚନରେ ୟଶବନ୍ତ ସିହ୍ନାଙ୍କୁ ସମର୍ଥନ କରିବାକୁ ଘୋଷଣା କରିଛନ୍ତି । ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଦୁଇ ଦିନର ହୋଇଥିବାବେଳେ ଏହି ବୈଠକରେ ୩୦୦ରୁ ଅଧିକ ଲୋକ ଭାଗନେବାର କାର୍ଯ୍ୟକ୍ରମ ରହିଛି ଏବଂ ଦଳର ସମସ୍ତ ବରିଷ୍ଠ ନେତା ଏଥିରେ ସାମିଲ ହେବେ । ବୈଠରେ ଦେଶରେ ଚାଲିଥିବା ବର୍ତ୍ତମାନର ରାଜନୈତିକ ମୁଦ୍ଦା ଉପରେ ଚର୍ଚ୍ଚା ହେବାର ସମ୍ଭାବନା ରହିଛି ।