ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପଥ ବଦଳିଲା

ଝାରସୁଗୁଡ଼ା,୭ା୨(ଆପ୍ର): ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗୁଡ଼ା ଦେଇ ଛତିଶଗଡ଼ ରାୟଗଡ଼କୁ ଯାଇ ସେଠାରେ ଏକ ଦଳୀୟ ସମାବେଶରେ ଉଦ୍ବୋଧନ ଦେବାର ଥିଲା । ମାତ୍ର ପ୍ରଧାନମନ୍ତ୍ରୀଙ୍କ ଏହି ଗତି ପଥ ଶେଷ ମୁହୂର୍ତ୍ତରେ ବଦଳିଛି । ପ୍ରଧାନମନ୍ତ୍ରୀ ଆଉ ଝାରସୁଗୁଡ଼ା ଦେଇ ଯିବେ ନାହିଁ । ସେ ରାୟପୁର ବିମାନବନ୍ଦରରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଓହ୍ଲାଇବା ପରେ ରାୟଗଡ଼କୁ ହେଲିକେପ୍ଟର ଯୋଗେ ଯିବେ ।
ପୂର୍ବରୁ ପ୍ରକାଶିତ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସୂଚୀ ଅନୁଯାୟୀ ଦିଲ୍ଲୀରୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରକୁ ଆସିବାର ଥିଲା । ଝାରସୁଗୁଡ଼ା ବିମାନବନ୍ଦରରୁ ହେଲିକେପ୍ଟର ଯୋଗେ ରାୟଗଡ଼ ଏୟାରଷ୍ଟ୍ରିପ୍ ଯାଇ ସେଠାରେ ଦଳୀୟ ସମାବେଶରେ ଯୋଗଦାନ ପୂର୍ବକ ଅପରାହ୍ନରେ ଝାରସୁଗୁଡ଼ା ଦେଇ ପଶ୍ଚିମବଙ୍ଗ ଯାତ୍ରା କରିଥାନ୍ତେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ଭାରତୀୟ ବାୟୁସେନାର ଅଧିକାରୀ, ସୁରକ୍ଷା ଦାୟିତ୍ୱରେ ଥିବା ଏସ୍ପିଜିର ଅଧିକାରୀମାନେ ଝାରସୁଗୁଡ଼ା ପହଞ୍ଚି ସାରିଥିଲେ । ଦୁଇଟି ବିମାନ ମଧ୍ୟ ଝାରସୁଗୁଡ଼ାରେ ପହଞ୍ଚିଥିଲା । ଜିଲ୍ଲା ପ୍ରଶାସନ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି କରିଥିଲା । ମାତ୍ର ଶେଷ ମୁହୂର୍ତ୍ତରେ ଝାରସୁଗୁଡ଼ା ଦେଇ ଗସ୍ତ ବାତିଲ ପରେ ସମସ୍ତ ପରିଶ୍ରମ ବୃଥା ହୋଇଛି । ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ବିମାନବନ୍ଦରରେ ସ୍ୱାଗତ ପାଇଁ ଦଳୀୟ ନେତାମାନେ ମଧ୍ୟ ପ୍ରସ୍ତୁତ ହୋଇଥିଲେ । ଗଣମାଧ୍ୟମକୁ ବିମାନବନ୍ଦରକୁ ଛଡ଼ାଯିବା ନେଇ ତାଲିକା ପ୍ରସ୍ତୁତି ପୂର୍ବକ ପାସ୍ ବ୍ୟବସ୍ଥା ମଧ୍ୟ ସରିଥିଲା ।