ଅଜଣା ମହିଳାଙ୍କ ମୃତଦେହରେ ପଥର ବାନ୍ଧି ପୋଖରୀକୁ ଫିଙ୍ଗିଦେଲେ ଦୁର୍ବୃତ୍ତ, ଗଳିତ ଅବସ୍ଥାରେ ଉଦ୍ଧାର କଲା ପୋଲିସ

କରଞ୍ଜିଆ ୦୨/୦୭: ପୋଖରୀରେ ଭାସୁଛି ଅଜଣା ମହିଳା ମୃତଦେହ। ହତ୍ୟା କରିବା ପରେ ଶାଢୀରେ ଏକ ପଥର ବାନ୍ଧି ପୋଖରୀ ଭିତରକୁ ମହିଳାଙ୍କ ମୃତଦେହକୁ କେହି ଦୁର୍ବୃତ୍ତ ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି। ଏଭଳି ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ହାଣ୍ଡିପୁହାଁଣ ଗାଁର ଜଙ୍ଗଲ ନିକଟରେ ଘଟିଛି। ତେବେ ପୋଖରୀରୁ ଉଦ୍ଧାର ହୋଇଥିବା ମହିଳାଙ୍କ ପରିଚୟ ଜଣାପଡିନାହିଁ।
ସୂଚନା ମୁତାବିକ, ଶନିବାର ସକାଳେ ଗାଁ ପୋଖରୀରେ ଅଜଣା ମହିଳାଙ୍କ ମୃତ ଦେହକୁ ଭାସୁଥିବା ଦେଖି ଗାଁ ଲୋକେ ସଙ୍ଗେସଙ୍ଗେ ଥାନାକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଯଶୀପୁର ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମହିଳାଙ୍କ ଗଳିତ ମୃତଦେହକୁ ପୋଖରୀରୁ ଉଦ୍ଧାର କରିଥିଲେ । ମୃତ ମହିଳାଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ମୃତଦେହଟିକୁ ଜବତ କରିବା ସହ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛି । ତେବେ କିଏ ଓ କାହିଁକି ମହିଳା ଜଣଙ୍କୁ ହତ୍ୟା କରି ଶାଢ଼ୀରେ ପଥର ବାନ୍ଧି ପୋଖରୀ ଭିତରକୁ ଫିଙ୍ଗିଦେଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।