ଫିଫା ବିଶ୍ବକପ୍ ୨୦୨୨: ସାଉଦିକୁ ୨-୦ ଗୋଲରେ ହରାଇ ଟେବୁଲ ଟପ୍ରେ ପୋଲାଣ୍ଡ, ରୋବର୍ଟଙ୍କ ଗୋଲଡେନ୍ ଗୋଲ୍

ନୂଆଦିଲ୍ଲୀ ୨୬/ ୧୧: କାତାରରେ ଜାରି ରହିଥିବା ଫିଫା ବିଶ୍ବକପ ୨୦୨୨ରେ ଶନିବାର ଆଉ ଏକ ଦମଦାର ମୁକାବିଲା ଦେଖିବାକୁ ମିଳିଛି । ପ୍ରଥମେ ରୋମାଞ୍ଚକର ମୁକାବିଲାରେ ଟ୍ୟୁନିସିଆକୁ ଅଷ୍ଟ୍ରେଲିଆ ୦-୧ ଗୋଲରେ ହରାଇବା ପରେ ପରବର୍ତ୍ତୀ ମ୍ୟାଚରେ ସାଉଦି ଆରବକୁ ପରାସ୍ତ କରିଛି ପୋଲାଣ୍ଡ । ଗ୍ରୁପ୍-ସି ରୁ ଶନିବାର ସାଉଦିକୁ ୨-୦ ଗୋଲରେ ପରାସ୍ତ କରିଛି ପୋଲାଣ୍ଡ ।
ପୋଲାଣ୍ଡ ପକ୍ଷରୁ ପାୟୋଟେର୍ ଜାଇଲେନସ୍କି ୩୯ ତମ ମିନିଟରେ ଗୋଟିଏ ଗୋଲ୍ କରିଥିବା ବେଳେ ରୋବୋର୍ଟ ଲେଓ୍ବାନଣ୍ଡସ୍କି ୮୨ତମ ମିନିଟରେ ଦ୍ବିତୀୟ ଗୋଲ କରି ଦଳକୁ ବହୁ ପ୍ରତୀକ୍ଷିତ ବିଜୟୀ ଭେଟି ଦେଇଥିଲେ । ଲେଓ୍ବାନଣ୍ଡସ୍କି ଫିଫା ବିଶ୍ବକପ ୨୦୨୨ରେ ଏହା ପ୍ରଥମ ଗୋଲ୍ ।
ଶନିବାର ପରବର୍ତ୍ତୀ ମ୍ୟାଚ୍ରେ ମେକ୍ସିକୋ ଏବଂ ଆର୍ଜେଣ୍ଟିନା ମଧ୍ୟରେ ମୁକାବିଲା ହେବ । ପ୍ରଥମ ମ୍ୟାଚରେ ସାଉଦି ଠାରୁ ପରାସ୍ତ ହୋଇଥିଲା ଭେଟେରାନ୍ ଲିଓନେଲ୍ ମେସିଙ୍କ ଆର୍ଜେଣ୍ଟିନା । ପୂର୍ବରୁ ପୋଲାଣ୍ଡ ଏବଂ ମେକ୍ସିକୋ ମ୍ୟାଚ୍ ଡ୍ର’ ଭାବେ ଶେଷ ହୋଇଥିଲା । ଗ୍ରୁପ୍-ସିରେ ବର୍ତ୍ତମାନ ପୋଲାଣ୍ଡ ଦୁଇଟିରୁ ଗୋଟିଏ ବିଜୟ ଏବଂ ଗୋଟିଏ ଡ୍ର ସହିତ ୪ ପଏଣ୍ଟ ପାଇ ଟେବୁଲ ଶୀର୍ଷରେ ଥିବା ବେଳେ ସାଉଦି ଆରବ ୨ଟି ମ୍ୟାଚ୍ ଖେଳି ଗୋଟିଏ ବିଜୟ ସହ ୩ ପଏଣ୍ଟ ପାଇ ଦ୍ବିତୀୟ ସ୍ଥାନରେ ରହିଛି । ସେହିଭଳି ମେକ୍ସିକୋ ଗୋଟିଏ ମ୍ୟାଚ୍ ଖେଳିଥିବା ବେଳେ ତାହା ଡ୍ର’ ଭାବେ ଶେଷ ହୋଇଛି ଏବଂ ଆର୍ଜେଣ୍ଟିନା ଗୋଟିଏ ମ୍ୟାଚ୍ ଖେଳି ପରାଜିତ ହେବା ସହିତ ଟେବୁଲ ଶେଷରେ ରହିଛି ।