ନୟାଗଡ଼, ୧୪/୦୫ : ନୟାଗଡ଼ ଓଡ଼ଗାଁ ଥାନା କଦଳୀବନ୍ଧ ଅଜିତ ସାହୁ ହତ୍ୟା ମାମଲା। ଧରା ପଡ଼ିଲା ପୁଲିସର ମିଛ। ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଦର୍ଶାଇ ୪ ଜଣଙ୍କ ମୁହଁ ଘୋଡାଇ ପ୍ରେସମିଟ୍ କରିଥିଲେ ଆଇଜି। ପ୍ରେସମିଟ୍ କରିବା ବେଳେ ପ୍ରତିବାଦ କରିଥିଲେ ସମ୍ପୃକ୍ତ ବ୍ୟକ୍ତି। ତ୍ରୁଟି ହୋଇଥିବା ଜାଣି ପାରି ରାତି ଅଧିଆ ଛାଡ଼ିଦେଲା ପୁଲିସ। ଗିରଫ ନୁହେଁ ଅଟକ ରଖାଯାଇଥିଲା ବୋଲି ସଫେଇ ଦେଲେ ନୟାଗଡ଼ ଏସପି। ଜଣେ ନିର୍ଦ୍ଦୋଷର ମୁହଁକୁ ଘୋଡାଇ କିପରି ଅଭିଯୁକ୍ତ ଦର୍ଶାଗଲା ତାହାକୁ ନେଇ ଉଠିଲା ପ୍ରଶ୍ନ।
ସୂଚନାନୁଯାୟୀ, ନୟାଗଡ଼ ଜିଲ୍ଲା ଓଡଗାଁ ଥାନା କଦଳୀବନ୍ଧ ଠାରେ ଗତ ୧୦ତାରିଖ ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ଖଣ୍ଡାରେ ହାଣି ହତ୍ଯା କରାଯାଇଥିଲା। ୨୪ ଘଣ୍ଟା ଭିତରେ ପୁଲିସ ୪ଜଣଙ୍କୁ ଗିରଫ କରିଥିବା ଦର୍ଶାଇ ବାହାବା ନେଇଥିଲା । ୧୨ ତାରିଖ ସନ୍ଧ୍ଯାରେ ଆଇଜି ସତ୍ଯଜିତ ନାୟକ ପ୍ରେସମିଟ୍ କରି ହତ୍ଯାକାଣ୍ଡର କାରଣ ସମ୍ପର୍କରେ ଜଣାଇବା ସହ ୪ ଅଭିଯୁକ୍ତଙ୍କ ନାମ ପ୍ରକାଶ କରିଥିଲେ। ସେମାନଙ୍କ ମଧ୍ୟରେ ମକରପଦାର ଶ୍ରୀଧର ସାହୁଙ୍କ ନାମକ ଜଣେ ବ୍ୟକ୍ତିଙ୍କ ନାମ ରହିଥିଲା। ପ୍ରେସମିଟ୍ ସମୟରେ ଶ୍ରୀଧର ହଠାତ୍ ମୁହଁରୁ ଟାୱାଲ ବାହାର କରି ମୁଁ ନିର୍ଦ୍ଦୋଷ ମତେ ଫସେଇ ଦିଆଯାଇଛି ବୋଲି ପାଟି କରିଥିଲେ। ଏହାପରେ ପୁଲିସ ତରବରିଆ ଭାବେ ରାତିଅଧିଆ ଶ୍ରୀଧରଙ୍କୁ ଛାଡିଦେଇ ଖଣ୍ଡପଡା ଥାନା ଅଞ୍ଚଳର ନରେଶ ବିଶୋଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ତେବେ ଜଣେ ନିର୍ଦ୍ଦୋଷ ବ୍ଯକ୍ତିଙ୍କୁ ପୁଲିସ କାହିଁକି ଫସେଇବାକୁ ଚେଷ୍ଟା କରିଥିଲା ତାକୁ ନେଇ ପ୍ରଶ୍ନ ଉଠିଛି।
ଏହି ଖବରଟିକୁ ପଢନ୍ତୁ- Shocking Incident : ନଦୀରେ ବାସନ ମାଜୁଥିବା ବେଳେ ଟାଣିନେଲା କୁମ୍ଭୀର, ଭାଗ୍ୟ ଜୋର ଥିବାରୁ ଖସି ଆସିଲେ ମହିଳା