ତିଗିରିଆ,୦୮/୦୧: ବହୁ ଚର୍ଚ୍ଚିତ ମଣ୍ଟୁ ବାରିକ ହତ୍ୟା ଘଟଣା। ୩୨ ମାସ ପରେ ପୁଲିସ ହାତରେ ମୁଖ୍ୟ ଅଭିଯୁକ୍ତ। କଟକ ଜିଲ୍ଲା ତିଗିରିଆ ଥାନା ଅଞ୍ଚଳର ବହୁ ଚର୍ଚ୍ଚିତ ମଣ୍ଟୁ ବାରିକ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପୁଲିସ। ପୂର୍ବରୁ ହତ୍ୟାକାଣ୍ଡରେ ସମ୍ପୃକ୍ତ ୯ ଜଣଙ୍କୁ ପୁଲିସ ଗିରଫ୍ କରି କୋର୍ଟ ଚାଲାଣ କରିଥିଲା । ଏବେ ସୁଦ୍ଧା ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୦ରେ ପହଞ୍ଚିଲା ।

ବିଶେଷ ସୂତ୍ରରୁ ଖବରପାଇ ପୁଲିସ ମୁଖ୍ୟ ଅଭିଯୁକ୍ତ ଗୋକର୍ଣ୍ଣଖାଲ ଗ୍ରାମର ପ୍ରଶାନ୍ତ ନାୟକକୁ ତିଗିରିଆ ଥାନା ଅଞ୍ଚଳରେ ଚାକିରୀ କରିଥିବା ସ୍କୁଲରେ ସଦଳବଳେ ଅଚାନକ ଚଢ଼ାଉ କରି ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ଘଟଣା ଦିନଠାରୁ ଫେରାର ଥିଲେ । ତେବେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇ ଥିବା ଭାରପ୍ରାପ୍ତ ଥାନା ଅଧିକାରୀ ଇପସିତା ପ୍ରିୟଦର୍ଶନୀ ସୂଚନା ଦେଇଛନ୍ତି।

ପ୍ରକାଶ ଥାଉକି, ଗତ ୨୦୨୩ ମସିହା ଏପ୍ରିଲ ୧୯ ତାରିଖ ପୂର୍ବାହ୍ନରେ ତିଗିରିଆ ଥାନା ଅନ୍ତର୍ଗତ ଜେମାଦେଇପୁର ଗ୍ରାମର ବିଶ୍ଵନାଥ ବାରିକ ଓରଫ ମଣ୍ଟୁକୁ ପୂର୍ବ ଶତ୍ରୁତାରୁ ବିଭିନ୍ନ ଧାରୁଆ ଅସ୍ତ୍ରରେ ହାଣିବା ସହ ବାଡିରେ ପିଟି ନିର୍ମମ ଭାବେ ହତ୍ୟା କରାଯାଇଥିଲ । ହତ୍ୟାକାଣ୍ଡ ପରେ ମୃତକଙ୍କ ପରିବାର ଓ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ଖୁଣ୍ଟୁଣୀ-ନରସିଂହପୁର ୬୫ନଂ ରାଜ୍ୟ ରାଜପଥ ଉପରେ ମୃତଦେହ ରଖି ରାସ୍ତା ଅବରୋଧ କରି ନ୍ୟାୟ ସହିତ ଦୋଷୀଙ୍କୁ ତୁରନ୍ତ ଗିରଫ ଦାବି କରିଥିଲେ ଓ ଏନେଇ ପରିବାର ଲୋକେ ତିଗିରିଆ ଥାନରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଘଟଣା ତଦନ୍ତ ଜାରି ରଖିଥିଲା।