PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ପଶ୍ଚିମବଙ୍ଗରେ ସାମ୍ବିଧାନିକ ସଂକଟ: ସିବିଆଇ-ପୁଲିସ ମୁହାଁମୁହିଁ

କୋଲକାତା,୩ ।୨(ଏଜେନ୍ସି): ପଶ୍ଚିମବଙ୍ଗରେ ଆଜି ହାଇଭୋଲଟେଜ୍‌ ଡ୍ରାମା ଦେଖିବାକୁ ମିଳିଛି । ରାଜ୍ୟ ପୁଲିସ ଓ ସିବିଆଇ ହୋଇଛନ୍ତି ମୁହାଁମୁହିଁ । ସିବିଆଇ କାର୍ଯ୍ୟାଳୟକୁ ରାଜ୍ୟ ପୁଲିସ ଘେରରୁ ମୁକ୍ତ କରିବାକୁ କେନ୍ଦ୍ରୀୟ ବଳ ସିଆରପିଏଫକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି । ଅପରପକ୍ଷେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ବିରୋଧରେ ସାରା ରାତି କୋଲକାତାରେ ସମର୍ଥକଙ୍କ ସହ ଧାରଣାରେ ବସିଛନ୍ତି । ତାଙ୍କୁ ରାହୁଲ ଗାନ୍ଧୀ, ଚନ୍ଦ୍ରବାବୁ ନାଇଡ଼ୁ, ଅଖିଳେଶ ଯାଦବ, ଓମର ଅବଦୁଲ୍ଲା, ମାୟାବତୀ, ଶରଦ ପାୱାର, ତେଜସ୍ୱୀ ଯାଦବ ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ମହାମେଣ୍ଟର ଅନେକ ନେତା ସମର୍ଥନ ଜଣାଇ ଫୋନ ଯୋଗେ କଥା ହୋଇଛନ୍ତି ।
ଘଟଣାଟି ଏହିପରି: ଚିଟ୍‌ଫଣ୍ଡ ସ୍କାମରେ ସଂପୃକ୍ତ କୋଲକାତା ପୁଲିସ କମିଶନର ରାଜୀବ କୁମାରଙ୍କୁ ଗିରଫ କରିବାକୁ ଯାଇଥିବା ସିବିଆଇ ଟିମ୍‌କୁ ଓଲଟା ସିଟି ପୁଲିସ ଗିରଫ କରିଥିଲା । ସିବିଆଇ ଟିମ୍‌ କମିଶନରଙ୍କୁ ଗିରଫ କରିବା ପାଇଁ ତାଙ୍କ ବାସଭବନ ନିକଟରେ ପହଞ୍ଚିଥିଲାବେଳେ ସେଠାରେ ମୁତୟନ କୋଲକାତା ପୁଲିସ ଏବଂ ସେଣ୍ଟ୍ରିମାନେ ସେମାନଙ୍କୁ ଭିତରକୁ ଯିବାକୁ ଦେଇନଥିଲେ । ଏହାକୁ ନେଇ କିଛି ସମୟ କୋଲକାତା ପୁଲିସ ଏବଂ ସିବିଆଇ ଅଧିକାରୀମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପରେ ପୁଲିସ ସିବିଆଇ ଅଧିକାରୀମାନଙ୍କୁ ବଳପୂର୍ବକ ଗାଡ଼ିରେ ବସାଇ ସ୍ଥାନୀୟ ଥାନାକୁ ନେଇଯାଇଥିଲେ । କିଛି ସମୟ ପରେ ପୁଲିସବାହିନୀ ସହରରେ ଥିବା ସିବିଆଇର ଦୁଇଟି କାର୍ଯ୍ୟାଳୟକୁ ଚାରିପଟରୁ ଘେରିଯାଇଥିଲେ । ସିବିଆଇର ୫ ଜଣ ଅଧିକାରୀଙ୍କୁ ମଧ୍ୟ ପୁଲିସ ଉଠାଇ ନେଇ ଥାନାରେ ରଖିଥିଲା । ଅବଶ୍ୟ କିଛି ଘଣ୍ଟା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା । ଏପରିକି ଏକ ପୁଲିସ ଟିମ୍‌ ମଧ୍ୟ ସିବିଆଇର ଯୁଗ୍ମ ନିର୍ଦ୍ଦେଶକଙ୍କୁ ଗିରଫ କରିବା ପାଇଁ ତାଙ୍କ ଘରକୁ ଯାଇଥିଲା । କିନ୍ତୁ ତାଙ୍କୁ ଗିରଫ କରାଯାଇନଥିଲେ ହେଁ ତାଙ୍କ ଘରକୁ ପୁଲିସକର୍ମୀ ଘେରି କରି ରହିଥିଲେ । ଏଭଳି ସ୍ଥିତିରେ ସିବିଆଇ ଅଧିକାରୀମାନେ ଆଶଙ୍କା କରିଥିଲେ କି ପୁଲିସ ସହାୟତାରେ ମମତା ସରକାର ଚିଟଫଣ୍ଡ ସ୍କାମ ସହ ସମ୍ପର୍କିତ ଦସ୍ତାବିଜ୍‌ ଏବଂ ଅନ୍ୟ ପ୍ରମାଣଗୁଡିକୁ ନଷ୍ଟ କରିବାକୁ ଚାହୁଁଛନ୍ତି । ତେଣୁ ସିବିଆଇ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିବା ସହ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସିଙ୍କ ସହାୟତା ମାଗିଥିଲା । କିଛି ଘଣ୍ଟା ପରେ ସିବିଆଇ କାର୍ଯ୍ୟାଳୟ ନିକଟରେ କେନ୍ଦ୍ରୀୟ ଅର୍ଦ୍ଧ-ସାମରିକ ବାହିନୀ ଯବାନ ପହଞ୍ଚିଥିଲେ । ସେମାନେ ସିବିଆଇ କାର୍ଯ୍ୟାଳୟକୁ ଜଗି ରହିଛନ୍ତି । ସିବିଆଇ ମଧ୍ୟ ମମତା ସରକାର ଏବଂ କୋଲକାତା ପୁଲିସର ଏଭଳି ହରକତ ବିରୋଧରେ ଆସନ୍ତାକାଲି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାର ସମ୍ଭାବନା ରହିଛି । କାରଣ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ହିଁ ସିବିଆଇ ଚିଟ-ଫଣ୍ଡ ମାମଲାର ତଦନ୍ତ କରୁଛି । ତେଣୁ ତା’ର କାର୍ଯ୍ୟରେ ବାଧା ଦେଇ ରାଜ୍ୟ ସରକାର ଅଦାଲତ ଅବମାନନା କରିଛନ୍ତି ବୋଲି ଏଜେନ୍ସି ଅଭିଯୋଗ କରିଛି । ଅପରପକ୍ଷରେ ସିବିଆଇ ଅଧିକାରୀମାନେ ମଧ୍ୟ ରାଜ୍ୟପାଳଙ୍କୁ ଭେଟିବା ପାଇଁ ସମୟ ମାଗିଛନ୍ତି । ଆସନ୍ତାକାଲି ସେମାନେ ରାଜ୍ୟ ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିବେ ।
ଅନ୍ୟ ଏକ ଘଟଣାକ୍ରମରେ ମମତା ବାନାର୍ଜୀ ଆଜି ସନ୍ଧ୍ୟାରେ କୋଲକାତା ପୁଲିସ କମିଶନରଙ୍କ ବାସଭବନକୁ ଯାଇ ସେଠାରେ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ । ଏଥିରେ ରାଜ୍ୟ ଡିଜିପି ଏବଂ କୋଲକାତା ମେୟର ବି ଯୋଗ ଦେଇଥିଲେ । ଏହାପରେ ମମତା କହିଥିଲେ କି ମୋଦି ଓ ଶାହଙ୍କ କାର୍ଯ୍ୟକଳାପରେ ଦେଶବାସୀ ଅତିଷ୍ଠ ହୋଇଗଲେଣି । ସେମାନେ ରାଜ୍ୟରେ ବିଦ୍ରୋହ ସୃଷ୍ଟି କରାଇବାକୁ ଉଦ୍ୟମ କରୁଛନ୍ତି । ଚଳିତ ମାସ ୧୯ ତାରିଖରେ ବିରୋଧୀ ଦଳଗୁଡ଼ିକ ରାଲି କରିବା ପର ଠାରୁ ସେମାନେ ଚିନ୍ତିତ ହୋଇପଡ଼ିଛନ୍ତି ଏବଂ ତାଙ୍କ ଉପରେ ଚାପ ପକାଇବାକୁ ସିବିଆଇକୁ ମାଧ୍ୟମ କରୁଛନ୍ତି । ସିବିଆଇକୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଜିତ ଡୋଭାଲ( ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା) ନିର୍ଦ୍ଦେଶ ଦେଇଛନ୍ତି ।
ମମତା ଆହୁରି କହିଥିଲେ କି ସିବିଆଇର କାର୍ଯ୍ୟାନୁଷ୍ଠାନ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ପ୍ରକୃତରେ ରାଜ୍ୟରେ ତୃଣମୂଳ ସରକାର ଗଠନ ହେବା ପରେ ଚିଟ୍‌-ଫଣ୍ଡ ସ୍କାମରେ ଅନେକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ଏବଂ ପ୍ରଭାବିତ ଲୋକଙ୍କୁ ବି କ୍ଷତିପୂରଣ ଦିଆଯାଇଥିଲା । ଏବେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଠାରୁ ବି ଖରାପ ସ୍ଥିତି ଦେଖାଦେଇଛି । ଏଭଳି ସ୍ଥିତିରେ ସେ ପ୍ରଧାନମନ୍ତ୍ରୀଙ୍କ ସହିତ କଥା ହେବାକୁ ଚାହୁଁ ନାହାନ୍ତି, ଯାହାଙ୍କ ହାତ ରକ୍ତରଂଜିତ ହୋଇଛି । ସେ (ମମତା)କାହାକୁ ଭୟ କରନ୍ତି ନାହିଁ । ସେ ରାଜ୍ୟ ପୁଲିସ ବାହିନୀକୁ ପୂରା ସମର୍ଥନ ଜଣାଇବେ । ମୁଁ ମଧ୍ୟ ମୋଦି ସରକାରଙ୍କ ବିରୋଧରେ ଆଜି ଠାରୁ ଧାରଣାରେ ବସିବି । ତଦନୁଯାୟୀ, ରାତି ୯ଟାରୁ ମମତା ମେଟ୍ରୋ ଚ୍ୟାନେଲ ନିକଟରେ ଧାରଣା ଦେଇଛନ୍ତି । ତାଙ୍କୁ ସମର୍ଥନ କରି ତୃଣମୂଳ କଂଗ୍ରେସର କର୍ମୀମାନେ ରାଜ୍ୟବ୍ୟାପୀ ବିକ୍ଷୋଭ ଆରମ୍ଭ କରିଛନ୍ତି । ସେମାନେ ରାଜ୍ୟର ଅନେକ ଭାଗରେ ସଡ଼କ ଏବଂ ରେଳପଥ ଅବରୋଧ କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରୁ ତୃଣମୂଳ କର୍ମୀମାନେ କୋଲକାତା ଆସି ମମତାଙ୍କ ସହ ଧାରଣାରେ ବସିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି । ମହାମେଣ୍ଟର କେତେକ ନେତା ମଧ୍ୟ ମଧ୍ୟ ଭିନ୍ନ ଭିନ୍ନ ରାଜ୍ୟରୁ କୋଲକାତାରେ ପହଞ୍ଚିବା ସମ୍ଭାବନା ରହିଛି । ମମତା ଆସନ୍ତାକାଲି ଧାରଣା ସ୍ଥଳରେ ବିଧାନସଭା ଡକାଇବାକୁ ଯୋଜନା କରୁଛନ୍ତି ।
ଆଜିର ଘଟଣା ଉପରେ ମତ ଦେଇ ସିବିଆଇର କାର୍ଯ୍ୟକାରୀ ନିର୍ଦ୍ଦେଶକ ଏମ ନାଗେଶ୍ୱର ରାଓ କହିଛନ୍ତି କି କୋଲକାତା ପୁଲିସ କମିଶନର ରାଜୀବ କୁମାର ଚିଟଫଣ୍ଡ ସ୍କାମ ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌ ନିଜ କବ୍‌ଜାରେ ରଖିଛନ୍ତି । ବାରମ୍ବାର ନିବେଦନ ସତ୍ତେ୍ୱ ସେ ଏସବୁ ଦସ୍ତାବିଜ୍‌ ସିବିଆଇକୁ ହସ୍ତାନ୍ତର କରୁନାହାନ୍ତି । ଏମିତିକି ସୁପ୍ରିମକୋର୍ଟ ତାଙ୍କୁ ସହଯୋଗ କରିବା ପାଇଁ କହିବା ସତ୍ତେ୍ୱ ବି ସେ ଏହାକୁ ଖାତିର କରୁନାହାନ୍ତି । ସେ ଅନେକ ପ୍ରମାଣକୁ ନଷ୍ଟ କରିଦେଇଥାଇପାରନ୍ତି । ସେହିପରି କୋଲକାତା ସ୍ଥିତ ସିବିଆଇ କାର୍ଯ୍ୟାଳୟରେ ରଖାଯାଇଥିବା ଅନେକ ଦସ୍ତାବିଜ୍‌କୁ ରାଜ୍ୟ ପୁଲିସ ନଷ୍ଟ କରିଦେବାର ଆଶଙ୍କା ରହିଛି । ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ ସହ ବିଚାରବିମର୍ଶ କରି ସିବିଆଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବ ।
ଏହା ପୂର୍ବରୁ ମମତା ଆଜି ସକାଳେ କହିଥିଲେ କି କୋଲକାତା ପୁଲିସ କମିଶନର ରାଜୀବ ହେଉଛନ୍ତି ବିଶ୍ୱର ଶ୍ରେଷ୍ଠ ପୁଲିସ ଅଧିକାରୀମାନଙ୍କ ମଧ୍ୟରୁ ଜଣେ । ସେ ଦିନରାତି ୨୪ ଘଣ୍ଟା କାମ କରିଥାନ୍ତି । ତାଙ୍କର କର୍ତ୍ତବ୍ୟନିଷ୍ଠା, ସଚ୍ଚୋଟତା ଏବଂ ସାହସିକତା ଉପରେ ସନ୍ଦେହ କରାନଯାଇପାରେ । ସେ ନିକଟରେ ମାତ୍ର ଗୋଟିଏ ଦିନ ପାଇଁ ଛୁଟିରେ ଯାଇଥିଲେ । କିନ୍ତୁ ଏହାକୁ ନେଇ ତାଙ୍କ ବିରୋଧରେ ଅପପ୍ରଚାର କରାଯାଉଛି । କିନ୍ତୁ ମିଛ ସବୁବେଳେ ମିଛ ପ୍ରମାଣିତ ହେବ । ମମତା ଟ୍ୱିଟ୍‌ କରି ଆହୁରି କହଥିଲେ କି ବିଜେପିର ନେତୃବୃନ୍ଦ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ହୋଇ ଏଭଳି ପଦକ୍ଷେପ ନେଉଛନ୍ତି । ସେମାନେ କେବଳ ବିରୋଧୀ ରାଜନୈତିକ ଦଳଗୁଡ଼ିକୁ ଟାର୍ଗେଟ କରୁନାହାନ୍ତି । ବରଂ ସେମାନେ ନିଜ କ୍ଷମତାର ଦୁରୁପଯୋଗ କରି ପୁଲିସକୁ ନିଜ ନିୟନ୍ତ୍ରଣକୁ ନେବା ଏବଂ ସମସ୍ତ ସରକାରୀ ସଂସ୍ଥାଗୁଡିକୁ ଧ୍ୱଂସ କରିଦେବାକୁ ପ୍ରୟାସ କରୁଛନ୍ତି ।
ସୂଚନାଯୋଗ୍ୟ, ୧୯୮୯ ମସିହା ବ୍ୟାଚର ଆଇପିଏସ ଅଧିକାରୀ ରାଜୀବ କୁମାର ପଶ୍ଚିମବଙ୍ଗରେ ଶାରଦା ଏବଂ ରୋଜଭ୍ୟାଲି ସ୍କାମର ତଦନ୍ତ ପାଇଁ ଗଠିତ ଏସଆଇଟିର ନେତୃତ୍ୱ ନେଉଥିଲେ । ହେଲେ ଅଭିଯୋଗ ହୋଇଥିଲା କି ସେ ଏହି ସ୍କାମଗୁଡ଼ିକରେ ସଂପୃକ୍ତ ତୃଣମୂଳ କଂଗ୍ରେସର ନେତାମାନଙ୍କୁ ସୁରକ୍ଷା ଦେବା ଲାଗି ତଦନ୍ତ ପ୍ରକ୍ରିୟାକୁ ଶିଥିଳ କରିଦେଇଥିଲେ ଏବଂ ଏ ସମ୍ପର୍କିତ ଅନେକ ପ୍ରମାଣକୁ ନଷ୍ଟ କରିଦେଇଥିଲେ । ତାଙ୍କୁ ଜେରା କରିବା ପାଇଁ ସିବିଆଇ ସମନ ଜାରି କରିଥିଲେ ମଧ୍ୟ ସେ ଗତ ୪ ଦିନ ଧରି ଫେରାର ଅଛନ୍ତି । ଏମିତିକି ନିର୍ବାଚନ ଆୟୋଗଙ୍କ ଦ୍ୱାରା ଆହୂତ ବୈଠକରେ ବି ସେ ଯୋଗ ଦେଇନଥିଲେ ।

ସମ୍ବନ୍ଧିତ ଖବର