ଅପରାଧୀଙ୍କ ପତ୍ତା ପାଉନି ପୁଲିସ୍, ୬ ମାସରେ ୫୦ ସୁନା ଚେନ୍, ୫୦ ଲକ୍ଷ ଲୁଟ୍

ଭୁବନେଶ୍ୱର, ୨୪।୫: ଚୋର ଓ ଲୁଟେରାମାନେ ରାଜାଧାନୀରେ ଆତଙ୍କରାଜ ଚଳାଇଛନ୍ତି । କେଉଁଠି ବନ୍ଧୁକ ଦେଖାଇ ଟଙ୍କା ବ୍ୟାଗ୍ ଝାମ୍ପି ନେଉଛନ୍ତି ପୁଣି କେଉଁ ଘରେ କଳାକନା ବୁଲାଇ ଦେଉଛନ୍ତି । ବସ୍ ଭିତରେ ଯାତ୍ରା କରୁଥିବା ଲୋକ ବି ସୁରକ୍ଷିତ ନାହାନ୍ତି । ଆଉ ରାସ୍ତାରେ ସୁନା ଚେନ୍ ଝାମ୍ପିବା କଥା ସ୍ୱାଭାବିକ ପାଲଟିଛି । ଗତ ୬ ମାସ ଭିତରେ ଭୁବନେଶ୍ୱର କମିଶନରେଟ୍ ପୁଲିସ୍ ଅଞ୍ଚଳରୁ ୫୦ଟି ସୁନା ଚେନ୍ ସହ ପ୍ରାୟ ୫୦ ଲକ୍ଷରୁ ଅଧିକ ଟଙ୍କା ଚୋରି ଓ ଲୁଟ୍ କରିଛନ୍ତି । ପୁଲିସ୍ ମାମଲା ରୁଜୁ କରି ତଦନ୍ତ କରୁଛି ସତ, ହେଲେ ମାତ୍ର ଗୋଟିଏ ୨ ଟି ଘଟଣାରେ ସଫଳତା ମିଳିଛି । ବାକି ଘଟଣାରେ ଅଭିଯୁକ୍ତ ଧରିବା ଦୂର, ସେମାନଙ୍କ ବିଷୟରେ କିଛି ଟେର ମଧ୍ୟ ପାଇନି ପୁଲିସ୍ । ସର୍ବାଧିକ ଚୋରି ବଡ଼ଗଡ଼ ଥାନା ଅଞ୍ଚଳରେ ହୋଇଥିବା ଜଣାପଡ଼ିଛି ।
ମଣ୍ଡପରୁ ୫ ଲକ୍ଷ ଚୋରି
ଗତ ମାର୍ଚ୍ଚ ୧ ତାରିଖରେ ବଡ଼ଗଡ଼ ଥାନା ଅଞ୍ଚଳରେ ଥିବା ଏସ୍ଆର ଭିଲ୍ଳା ମଣ୍ଡପରୁ ଜଣେ ଚୋର ଲକର କାଟି ୫ ଲକ୍ଷ ଟଙ୍କା ଚୋରି କରି ନେଇଥିଲା । ଏନେଇ ଥାନାରେ ଏତଲା ଦେଇଥିଲେ ମାଲିକ ଗଗନ ବିହାରୀ ପ୍ରଧାନ । ପୁଲିସ୍ ମାମଲା ରୁଜୁ କରି ସିସିଟିଭିରେ ଚୋରକୁ ଦେଖିଥିଲା । ଚୋରର ଠିକଣା ବି ମିଳିଥିଲା । ହେଲେ ଏପର୍ଯ୍ୟନ୍ତି ତାକୁ ଗିରଫ କରିବାକୁ ପୁଲିସର ଦମ୍ ପାଉନାହିଁ ।
ନେଇଗଲେ ୧୫୦ ଗ୍ରାମ୍ ସୁନା, ୧.୨ କେଜି ରୂପା
ମାର୍ଚ୍ଚ ୪ତାରିଖରେ ବଡ଼ଗଡ଼ ଥାନା ଅଞ୍ଚଳରେ ସିନ୍ଧିଚୋର ଆତଙ୍କ ଖେଳାଇଥିଲେ । ଘରେ କେହି ନଥିବା ବେଳେ କବାଟ ତାଡ଼ି ଆଲମାରୀରେ ଥିବା ୧୫୦ ଗ୍ରାମ ସୁନା ଅଳଙ୍କାର, ୧ କେଜି ୨ ଶହ ଗ୍ରାମ ରୁପ।।, ୬୫ ହଜାର ଟଙ୍କା, ୫୦ ହଜାର ଟଙ୍କାର ହାତଘଣ୍ଟା ଓ ଘରେ ଥିବା ଅନ୍ୟ ବହୂ ମୂଲ୍ୟବାନ ଜିନିଷପତ୍ର ଚୋରି କରିଥିଲେ । ଏନେଇ ଥାନାରେ ଏତଲା ଦେଇଛନ୍ତି କେଶୁରା ବିନୋରୀ ନଗରର ପଦ୍ମଲୋଚନ ମାଝି । ପୁଲିସ୍ ମାମଲା (୧୧୮/୨୩) ରୁଜୁ କରି ଚୁପ୍ ବସିଛି ।
ଚୋର ନେଇଗଲା ୧୪ ଲକ୍ଷ
ବ୍ରହ୍ମେଶ୍ୱରପାଟଣା ପ୍ଲଟ୍ ନମ୍ବର-୩୪ରେ ସପରିବାର ରହୁଛନ୍ତି ନମିତା ମହାପାତ୍ର । ତାଙ୍କ ଘର ଝରକା ତାଡ଼ି ଚୋରମାନେ ଆଲମାରିରୁ ନଗଦ ୧୪ ଲକ୍ଷ ଟଙ୍କା, ୪୦ ଗ୍ରାମ୍ ଓଜନର ୨ଟି ହାର, ୫ ହଳ ସୁନା କାନ ଫୁଲ, ୧ ସୁନା ବଳା, ୨୨ଟି ସୁନା ମୁଦି, ୧ହଳ ସୁନା ଚୁଡ଼ି, ୩୦ ଗ୍ରାମ୍ ଓଜନର ୨ ହଳ ବାହୁଟି ଓ ୧୦ ଭରି ରୁପା ନେଇ ଯାଇଥିଲେ । ଏଠି ବି ପୁଲିସ ତଦନ୍ତ ଫେଲ୍ ମାରିଛି ।
ସ୍କୁଟିରୁ ୧.୬୦ ଲକ୍ଷ ଲୁଟ୍
ସୁନ୍ଦରପଦାର ସୁନୀଲ କୁମାର ଚମ୍ପତ୍ତି ସାମନ୍ତରାପୁରରେ ଥିବା ମଣପୁରମ୍ ଗୋଲ୍ଡ ଲୋନ୍ ଶାଖାରେ ସୁନା ବନ୍ଧକ ରଖି ୧ ଲକ୍ଷ ୬୦ ହଜାର ଟଙ୍କା ଆଣି ସ୍କୁଟି ଡିକିରେ ରଖିଥିଲେ । ୨ ଲୁଟେରା ଏକ ବାଇକ୍ରେ ଆସି ସ୍କୁଟି ଡିକି ତାଡ଼ି ଟଙ୍କା ନେଇ ଯାଇଥିଲେ । ଏନେଇ ଅଭିଯୋଗ ପରେ ପୁଲିସ୍ ମାମଲା ରୁଜୁ କରି ହାତ ଟେକି ଦେଇଛି ।