ପୁରୀ,୨୨/୮ : ଶ୍ରୀମନ୍ଦିର ଭିତରକୁ ଯାଇ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି , ଶ୍ରୀମନ୍ଦିର ଆନନ୍ଦ ବଜାର ଭିତରେ ପୋଲିସର ଏକ ପୋଷ୍ଟ ଖୋଲାଯିବ । ଶ୍ରୀମନ୍ଦିର ଭିତରେ ଥିବା ବିଭିନ୍ନ ସ୍ଥାନ ଉପରେ କଡ଼ା ନଜର ରଖିବ ପୋଲିସ । ଏ ନେଇ ପୁରୀ ଏସ୍ପିଙ୍କ ସହ ଶ୍ରୀମନ୍ଦିର ଭିତରକୁ ଯାଇ ଅନୁଧ୍ୟାନ କରିଛୁ । ଶ୍ରୀମନ୍ଦିର ଭିତରେ ବିଭିନ୍ନ ମୁଖ୍ୟ ମନ୍ଦିର ଗୁଡିକରେ ଆହୁରି ଫୋର୍ସ ମୁତୟନ କରାଯିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଏସ୍ପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।
ସେପଟେ, ସେପ୍ଟେମ୍ବର ୧୫ରେ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ଦେଇଛନ୍ତି । ତେବେ ଖୁବଶୀଘ୍ର ପରିଚାଳନା କମିଟି ଗଠନ କରାଯାଇ ବୈଠକରେ ଆଲୋଚନା କରି ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯିବ । ସେପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତ ରହିଛି। କିନ୍ତୁ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହେବା ପରେ ଏହା ଉପରେ ନିଷ୍ପତ୍ତି ନିଆଯିବ । ସେହିପରି ଶ୍ରୀମନ୍ଦିର ନାଟ ମଣ୍ଡପରେ ଥିବା ହୁଣ୍ଡି ଗୁଡିକ ମଧ୍ୟ ସ୍ଥାନାନ୍ତର କରାଯିବା ପରେ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ।
ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଖୁବଶୀଘ୍ର ସମସ୍ତ କାର୍ଯ୍ୟ ଶୀଘ୍ର ଶେଷ କରାଯିବ । ଏପଟେ ଆଜିଠାରୁ ରଥଭଙ୍ଗା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ତିନି ରଥ ଭଙ୍ଗା କାର୍ଯ୍ୟ ସରିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଶାଣି ଚଣ୍ଡି ଛକଠାରେ ନିର୍ମାଣ ହୋଇଥିବା ଗୋଦାମ ଘରେ ରଥର ସମସ୍ତ ଅଂଶ ବିଶେଷ ରଖାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି । ଶ୍ରୀମନ୍ଦିରରେ ଶୃଙ୍ଖଳା ଆଣିବା ପାଇଁ ଖୁବଶୀଘ୍ର ପରିଚାଳନା କମିଟି ଗଠନ ସହ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ନିହାତି ଆବଶ୍ୟକ ବୋଲି ବରିଷ୍ଠ ସେବାୟତ କହିଛନ୍ତି । ଆଗକୁ ପାର୍ବଣ ଋତୁ ସାଙ୍ଗକୁ କାର୍ତ୍ତିକ ମାସ ଆସୁଛି । ଏହି ସମୟରେ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହେବ । ଏଣୁ ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ଓ ସୁବିଧାକୁ ଗୁରୁତ୍ବ ଦେଇ ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଉଛନ୍ତି ତାହା ସ୍ବାଗତଯୋଗ୍ୟ ବୋଲି ମତ ରଖିଛନ୍ତି ସେବାୟତ ।