PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ରିମାଣ୍ଡରେ ଛୋଟା, ଖୋଲୁଛି ଗୁମର

ଭୁବନେଶ୍ୱର,୧୮ା୭(ବ୍ୟୁରୋ): ପୂର୍ବ ଓଡ଼ିଶାର ବ୍ରାଉନ୍‌ସୁଗର ମାଫିଆ ଛୋଟା ଓରଫ ପ୍ରକାଶ ଓରଫ ଶୁଭ୍ରାଂଶୁ ପରିଡ଼ାଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ । ପ୍ରଥମ ଦିନରେ ଏସ୍‌ଟିଏଫ୍‌ ଅଧିକାରୀମାନେ ଛୋଟା ଠାରୁ ବିସ୍ଫୋରକ ତଥ୍ୟ ହାସଲ କରିଛନ୍ତି । ଅବକାରୀ ବିଭାଗ, କମିଶନରେଟ୍‌ ପୁଲିସ୍‌ ଓ ଖୋର୍ଦ୍ଧା ପୁଲିସ୍‌ର ଅନେକ କର୍ମଚାରୀ ଛୋଟାର ବେପାର ବଢ଼ାଇବା ପାଇଁ ପୂର୍ଣ୍ଣ ସହଯୋଗ କରୁଥିଲେ । ତା’ଛଡା ସେ ନେତାଙ୍କୁ ମଧ୍ୟ ପୋଷୁଥିଲା । ସେଥିପାଇଁ ଛୋଟାର ସବୁ ବେପାର ନିରଙ୍କୁଶ ଭାବେ ଚାଲିଥିଲା ବୋଲି ଏସ୍‌ଟିଏଫ୍‌ ଜେରା ବେଳେ ଜାଣିବାକୁ ପାଇଛି ।

ଜେରା ସମୟରେ ଛୋଟା ମାନିଛି ବାଲେଶ୍ୱରର ଜଣେ ଲୋକ ତାକୁ ବ୍ରାଉନସୁଗର ଯୋଗାଉଥିଲା । ପ୍ରତି ମାସରେ ଛୋଟା ତା’ଠାରୁ ଏକ କେଜି ବ୍ରାଉନସୁଗର ଆଣୁଥିଲା । ସେଥିରେ ୩୦ ପ୍ରତିଶତ ମଶା କଏଲ ପାଉଁଶ ମିଶାଉଥିଲା । ଏହି ପାଉଁଶମିଶ୍ରିତ ବ୍ରାଉନସୁଗରକୁ ୧୦ ଗ୍ରାମ୍‌ରୁ ୫୦ ଗ୍ରାମ୍‌ ପ୍ୟାକେଟ୍‌ କରି ଛୋଟ ବେପାରୀଙ୍କୁ ଯୋଗାଉଥିଲା । ବେପାରୀମାନେ ସେଥିରେ ପୁଣି ମଶା କଏଲ ପାଉଁଶ ମିଶାଇ ୧୫୦ ଟଙ୍କା ଓ ୨୦୦ ଟଙ୍କିଆ ପୁଡ଼ିଆ କରି ଗ୍ରାହକଙ୍କୁ ବିକୁଥିଲେ । ଛୋଟା ଜାନୁଆରୀରୁ ଜୁନ୍‌ ମଧ୍ୟରେ ୫ କେଜି ବ୍ରାଉନ ସୁଗର ଆଣି ବିକ୍ରି କରିସାରିଛି । ଏ ସମ୍ପର୍କରେ ଏସ୍‌ଟିଏଫ୍‌ର ଜଣେ ଅଧିକାରୀ କହିଛନ୍ତି ବାଂଲାଦେଶରୁ କୋଲକାତା ଦେଇ ଓଡ଼ିଶାକୁ ବ୍ରାଉନସୁଗର ଆସୁଛି । ଆନ୍ଧ୍ର ପ୍ରଦେଶରୁ ବ୍ରହ୍ମପୁର ଦେଇ ମଧ୍ୟ ବ୍ରାଉନସୁଗର ଏଠାରେ ପହଞ୍ଚୁଛି ।

ଛୋଟା ଗତ ୯ ତାରିଖରେ ଖୋର୍ଦ୍ଧା ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଆତ୍ମସମର୍ପଣ କରିଥିଲା । ତେବେ ତାକୁ ୭ ଦିନ ରିମାଣ୍ଡରେ ଆଣିବାକୁ ଏସ୍‌ଟିଏଫର ଡିଏସ୍‌ପି ପ୍ରବୀଣ ଚନ୍ଦ୍ର ତ୍ରିପାଠୀ ମଙ୍ଗଳବାର କୋର୍ଟଙ୍କୁ ଆବେଦନ କରିଥିଲେ । ହେଲେ କୋର୍ଟ ୭ଦିନ ବଦଳରେ ୩ ଦିନ ମଞ୍ଜୁର କରିଥିଲେ । ଗୁରୁବାର ଦିନ ତାକୁ କୋର୍ଟରୁ ଆଣି ଜେରା ଆରମ୍ଭ କରିଥିଲେ । ଜେରା ବେଳେ ପୁଲିସ୍‌ ଓ ଅବକାରୀ ବିଭାଗର କିଛି କର୍ମଚାରୀଙ୍କ ସହଯୋଗ ବିଷୟରେ ସେ କହିଥିଲା । ଫଳରେ ଗିରଫ ହେଉଥିବା ନିଶା ବେପାରୀଙ୍କ ଠାରୁ କିଛି ଜବତ ହୋଇ ପାରୁନଥିଲା । ଏହା ବଦଳରେ ପୁଲିସ ଓ ଅବକାରୀ ବିଭାଗରେ କାହାର ଗୋଡ଼ି ପଥର ଦରକାର ହେଲେ ମାଗଣାରେ ଯୋଗାଇ ଦେଉଥିଲା । ଗୁରୁବାର ଦିନ ତାକୁ ଏସ୍‌ଟିଏଫ୍‌ର ୫ଜଣ ଅଧିକାରୀ ଜେରା କରିଥିବା ଜଣାପଡ଼ିଛି ।

ବ୍ରାଉନ ସୁଗର କାରବାର ପାଇଁ ସେ ୪୦ ଜଣ ପିଲାଙ୍କୁ ନୂଆ ବାଇକ୍‌ କିଣି ଦେଇଥିଲା । ଜଣେ ପୁଲିସ ଅଧିକାରୀଙ୍କୁ ଏକ ଦାମୀ କାର୍‌ ଉପହାର ଦେଇଥିଲା । ଛୋଟା ଠାରୁ ଏହି ସୂଚନା ହାସଲ ପରେ ତା’ର ସମସ୍ତ ସହଯୋଗୀଙ୍କୁ ଧରିବା ପାଇଁ ଯୋଜନା କରିଛି ଏସ୍‌ଟିଏଫ୍‌ । ଏ ଖବର ଶୁଣି ଛୋଟାର ସହଯୋଗୀମାନଙ୍କ ଛାତି ଧଡ଼ଧଡ଼ ହେଲାଣି । ସୂଚନାଯୋଗ୍ୟ, ସରକାରୀ ଜମିରେ ଘର କରିଥିବାରୁ ୧୨ ତାରିଖରେ ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଛୋଟାର ଘର ଭଙ୍ଗା ଯାଇଥିଲା । ଏଥିସହିତ ଛୋଟାର ୫ ଜଣ ସହଯୋଗୀଙ୍କୁ ମଧ୍ୟ ଏସ୍‌ଟିଏଫ୍‌ ଗିରଫ କରି ସାରିଛି ।