କଟକ, ୨୪/୦୨: ସବ୍ଇନ୍ସପେକ୍ଟର୍ (ଏସ୍ଆଇ) ପ୍ରଶ୍ନପତ୍ର କେଳେଙ୍କାରୀ ଘଟଣାରେ ଜାମିନ୍ ଆବେଦନ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ପ୍ରାୟ ୧୨ଜଣ ଅଭିଯୁକ୍ତଙ୍କ ଜାମିନ୍ ମାମଲାରେ ସୋମବାର ସବୁ ରେକର୍ଡପତ୍ର ଦାଖଲ ହୋଇପାରିନଥିଲା । ମାମଲାରେ ଜଡ଼ିତ ଅଭିଯୁକ୍ତଙ୍କ ମଧ୍ୟରୁ କେତେକ ହାଇକୋର୍ଟ ଏଏସ୍ଓ ପରୀକ୍ଷା କେଳେଙ୍କାରୀରେ ମଧ୍ୟ ସାମିଲ ଅଛନ୍ତି । ଉଭୟ ମାମଲା ପୃଥକ ପୃଥକ ସଂସ୍ଥା ଦ୍ୱାରା ତଦନ୍ତ କରାଯାଉଛି । ଏହି ମାମଲା ସହ ଜଡ଼ିତ ସମସ୍ତ ଡକ୍ୟୁମେଣ୍ଟ ହାଇକୋର୍ଟଙ୍କ ହସ୍ତଗତ ହୋଇନଥିବାରୁ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୬କୁ ଘୁଞ୍ଚାଇ ଦିଆଯାଇଛି ।
ଆହୁରି ପଢ଼ନ୍ତୁ:- ରାଉରକେଲା NIT କ୍ୟାମ୍ପସରେ ହାତୀପଲଙ୍କ ଡେରା, ଘଉଡ଼ାଇବାକୁ ବନ ବିଭାଗର କସରତ
ସେହିଦିନ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ହେବ ବୋଲି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଗୌରୀଶଙ୍କର ଶତପଥୀ ଆଦେଶ ଦେଇଛନ୍ତି । ଏସ୍ଆଇ ପ୍ରଶ୍ନପତ୍ର କେଳେଙ୍କାରୀ ଘଟଣାରେ ସିବିଆଇ ୧୬ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ବିଶ୍ୱଜିତ୍ ହରିଚନ୍ଦନ, ଲୋକନାଥ ସାହୁ, ତଫିନ୍ ଅହମ୍ମଦ ଖାଁ, ମୁନା ମହାନ୍ତି, ଶଙ୍କର ପୃଷ୍ଟି, ବିଶ୍ୱରଞ୍ଜନ ବେହେରା, ଅରବିନ୍ଦ ଦାସ, ଶ୍ରୀକାନ୍ତ ମହାରଣା, ଟି. ଅଭିମନ୍ୟୁ ଦୋରା, ପ୍ରିୟଦର୍ଶିନୀ ସାମଲ, ସୁରେଶ ନାୟକ, ସାଗର କୁମାର ଗୌଡ଼, ବିରଞ୍ଚି କୁମାର ନାୟକ, ଅର୍ଜୁନ ନାୟକ, ନିମାଇଁ ଚରଣ ସାହୁ ଏବଂ ନିତିଶ୍ କୁମାର । ଏମାନଙ୍କ ମଧ୍ୟରୁ ୧୨ଜଣ ଜାମିନ୍ ଆବେଦନ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମୁନା ମହାନ୍ତିଙ୍କ ଯକୃତ ଖରାପ ଥିବାରୁ ତାଙ୍କୁ ତ୍ୱରିତ ଜାମିନ୍ ମିଳିସାରିଛି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଘନଶ୍ୟାମ ମୁଦୁଲି ମାମଲା ପରିଚାଳନା କରୁଛନ୍ତି ।