ଆରମ୍ଭ ହେଲା ପୁଲିସ ଶିକ୍ଷାର୍ଥୀ ବାହିନୀ

ଭୁବନେଶ୍ୱର,୨୪ା୧(ବ୍ୟୁରୋ): ଏଥର ଅଷ୍ଟମ ଶ୍ରେଣୀରୁ ଜଣେ ଛାତ୍ର ପୁଲିସ ଆଚରଣ ସମ୍ପର୍କିତ ଶିକ୍ଷା ପାଇ ପାରିବ । ଦେହରେ ଖାକି ବର୍ଦ୍ଦି ସାଙ୍ଗକୁ ମୁଣ୍ଡରେ ଟୋପି ଆଉ ଛାତିରେ ବ୍ୟାଜ୍ ପିନ୍ଧି ପୁଲିସର କାର୍ଯ୍ୟଧାରା ଶିଖିପାରିବ । ସହପାଠୀଙ୍କୁ ଆଇନ ବ୍ୟବସ୍ଥା ଓ ଶୃଙ୍ଖଳାର ଜ୍ଞାନ ବାଣ୍ଟି ସୁନାଗରିକ ହେବାରେ ମାଗଦର୍ଶକ ସାଜିବ । ଦାୟିତ୍ୱବୋଧ ଓ ଦେଶପ୍ରେମ ଜାଗ୍ରତ କରାଇ ଉଗ୍ରବାଦ ଓ ଅପରାଧୀକ କାର୍ଯ୍ୟରୁ ନିବୃତ୍ତ ରହିବାକୁ ସଚେତନ କରିବେ । ଏହି ଲକ୍ଷ୍ୟରେ ଓଡି଼ଶା ପୁଲିସ ଆଜିଠୁ ଆରମ୍ଭ କରିଛି ପୁଲିସ ଶିକ୍ଷାର୍ଥୀ ବାହିନୀ (ଏସ୍ପିସି) ।
ଉନ୍ନୟନ କମିଶନର ତଥା ସ୍ୱରାଷ୍ଟ୍ର ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏହି ବ୍ୟବସ୍ଥାର ଉଦ୍ଘାଟନ କରିଛନ୍ତି । ଶ୍ରୀ ତ୍ରିପାଠୀ କହିଛନ୍ତି, ଠିକଣା ସମୟରେ ଗାଇଡ୍ ନ କରାଯିବାରୁ ଛାତ୍ରସମାଜ ପଥଭ୍ରଷ୍ଟ ହେଉଛି । ଛାତ୍ରଛାତ୍ରୀମାନେ ବେଆଇନ୍ ଓ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହି ଭବିଷ୍ୟତ ନଷ୍ଟ କରୁଛନ୍ତି । ଏହି ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ କରି ସୁନାଗରିକ ଭାବେ ଗଢ଼ି ତୋଳିବ ।
ଆଜି କ୍ୟାପିଟାଲ ହାଇସ୍କୁଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୪୪ଜଣ ଛାତ୍ରଛାତ୍ରୀ ଏସ୍ପିସି ଭାବେ ଯୋଗ ଦେଇଛନ୍ତି । ସେମାନଙ୍କୁ ପୁଲିସ ପୋଷାକ ଓ ବ୍ୟାଜ୍ ଦିଆ ଯାଇଥିଲା । ପୁଲିସ ମହାନିର୍ଦ୍ଦେଶକ ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି, ଏହି ଦୁଇ ବର୍ଷିିଆ ସ୍କିମ୍ରେ କେବଳ ଅଷ୍ଟମ ଓ ନବମ ଶ୍ରେଣୀ ଛାତ୍ରଛାତ୍ରୀ ଯୋଗ ଦେଇପାରିବେ । ଏସ୍ପିସିମାନେ ସପ୍ତାହକୁ ଦୁଇଥର ନିକଟସ୍ଥ ଥାନାକୁ ଯିବେ । ଥାନାରେ ଇନ୍ଡୋର ଓ ଆଉଟ୍ ଡୋରରେ ପୁଲିସର କାର୍ଯ୍ୟଶୈଳୀର ଶିକ୍ଷା ଦିଆଯିବ । ପୁଲିସର କଠିନ କାର୍ଯ୍ୟବ୍ୟବସ୍ଥା ଓ ନିୟମକାନୁନ ବାବଦରେ ସଚେତନ କରାଯିବ । ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ବଢ଼ୁଥିବା ଉଗ୍ରବାଦ, ଅପରାଧିକ ପ୍ରବୃତ୍ତି, ଅସାମାଜିକ କାର୍ଯ୍ୟକଳାପ ରୋକିବାରେ ଏହା ସହାୟକ ହେବ ।
ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟର ୪୦ଟି ସ୍କୁଲରେ ଏହା ଲାଗୁ କରାଯାଇଛି । ଏଥିରୁ ୩୩ଟି ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସ୍କୁଲ ଓ ୭ଟି ନବୋଦୟ ବିଦ୍ୟାଳୟ ରହିଛି । ପ୍ରତି ସ୍କୁଲରୁ ୪୪ ଜଣ ଛାତ୍ରଛାତ୍ରୀ ଏଥିରେ ଭାଗ ନେବେ । ଆଗକୁ ୭୦ ହଜାର ସ୍କୁଲରେ ଏହି ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା ଚାଲିଛି । ସୂଚନା ଥାଉ କି, ଏହି ବ୍ୟବସ୍ଥା ପ୍ରଥମେ ପାଇଲଟ ପ୍ରୋଜେକ୍ଟ ଭାବେ କେରଳ ସରକାର ଆରମ୍ଭ କରିଥିଲେ । ତୃଣମୂଳସ୍ତରରେ ସଫଳତା ମିଳିବା ପରେ କର୍ଣ୍ଣାଟକ, ତାମିଲନାଡୁ, ତେଲେଙ୍ଗାନାରେ ମଧ୍ୟ ଏହି ବ୍ୟବସ୍ଥା ଲାଗୁ କରାଯାଇଛି ।
ପୁଲିସ କମିଶନର ସତ୍ୟଜିତ ମହାନ୍ତି ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏସ୍ପିସିର ରାଜ୍ୟ ସଂଯୋଜକ ଅସିତ ପାଣିଗ୍ରାହୀ ସ୍ୱାଗତ ଭାଷଣ ଦେଇଥିଲେ । କ୍ୟାପିଟାଲ ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ସୋନାଲିକା ରାୟ ଧନ୍ୟବାଦ ଦେଇଥିଲେ ।