‘ୟୁପି ପୁଲିସ ଅଭିଯୁକ୍ତଙ୍କୁ ବଞ୍ଚାଇବା ପାଇଁ ଜାଣିଶୁଣି ତଦନ୍ତରେ ହସ୍ତକ୍ଷେପ କରୁଛି’, ଟିଭି ଆଙ୍କର ମାମଲାରେ ବିଜେପି ଉପରେ ବର୍ଷିଲେ ଜୟରାମ

pic- internet
ଲକ୍ଷ୍ନୌ: ‘ୟୁପି ପୁଲିସ ଜଣେ ଅଭିଯୁକ୍ତଙ୍କୁ ବଞ୍ଚାଇବା ପାଇଁ ଜାଣିଶୁଣି ତଦନ୍ତତରେ ହସ୍ତକ୍ଷେପ କରୁଛି।‘ ବିଜେପି ଓ ଉତ୍ତର ପ୍ରଦେଶ ପୁଲିସକୁ ଟାର୍ଗେଟ କରି ଏପରି କହିଛନ୍ତି କଂଗ୍ରେସ ମହାସଚିବ ତଥା ସାଂସଦ ଜୟରାମ ରମେଶ। ସେ କହିଛନ୍ତି, ଗୁତୁର ଅପରାଧର ଜଣେ ଅଭିଯୁକ୍ତଙ୍କୁ ବଞ୍ଚାଇବା ପାଇଁ କୌଣସି କାରଣ ନଥାଇ ରାଜ୍ୟ ମେସିନାରୀକୁ ନିୟୋଜିତ କରାଯାଉଛି।
ଜୟରାମ ରମେଶ ପ୍ରଶ୍ନ କରିଛନ୍ତି, ଏଭଳି କ’ଣ ରହିଛି ଯେ ତାଙ୍କର ରାଜନୈତିକ ପରାମର୍ଶଦାତା ତଦନ୍ତରେ ସହଯୋଗ କରିବାକୁ ଡରୁଛନ୍ତି ? ସୂଚନା ଥାଉକି, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏକ ଫେକ୍ ଭିଡିଓକୁ ନେଇ ଖବର ପ୍ରସାରଣ କରିବା ଅଭିଯୋଗରେ ଆଙ୍କର ରୋହିତ ରଞ୍ଜନଙ୍କୁ ଛତିଶଗଡ଼ ପୁଲିସ ଗିରଫ କରିବା ପାଇଁ ଆସିଥିବା ବେଳେ ୟୁପି ପୁଲିସ ସହ ଜୋର୍ଦାର ଯୁକ୍ତି ହେବା ସହ ଠେଲା ପେଲା ଭଳି ପରିସ୍ଥିତି ଉପୁଜିଥିଲା।
ଏନେଇ ଜୟରାମ ରମେଶ କହିଛନ୍ତି, ସାର୍ବଜନୀନ ଡୋମେନରେ ଉପଲବ୍ଧ ତଥ୍ୟ ସହିତ କରାଯାଇଥିବା ଆବେଦନ ଉପରେ କୋର୍ଟ ୱାରେଣ୍ଟ ଜାରି କରିଥିଲେ। କ’ଣ ବିଜେପି ଏହା ବି ଦାବି କରିବ କି କୋର୍ଟଙ୍କୁ ମଧ୍ୟ ରାଜନୀତିକରଣ କରାଯାଉଛି ? ଯଦି ଏଭଳି ହେଉଛି ଏବଂ ବିଜେପି ଅଭିଯୁକ୍ତଙ୍କୁ ବଞ୍ଚାଇବା ପାଇଁ ଏତେ ଆଗ୍ରହୀ ତେବେ କାହିଁକି କୋର୍ଟର ଆଶ୍ରୟ ନେଉ ନାହିଁ? ଏହା ୟୁପି ପୁଲିସ ତାଙ୍କର ରାଜନୈତିକ ପରାମର୍ଶଦାତା ଦ୍ୱାରା ଜାଣିଶୁଣି କୋର୍ଟଙ୍କ ୱାରେଣ୍ଟକୁ ଅବମାନନା କରାଯାଇଛି ବୋଲି ଜୟରାମ ରମେଶ ଅଭିଯୋଗ କରିଛନ୍ତି।