ଭୁବନେଶ୍ୱର,୧୨/୨: କିଛି ଦିନର ବ୍ୟବଧାନ ପରେ ପୁଣି ଫେରିଲା ପ୍ରଦୂଷଣ ପ୍ରମାଣପତ୍ର ଟେନ୍ସନ୍ । PUCC ନେଇ ଗାଡ଼ି ଚାଳକଙ୍କୁ ଚେତାଇ ଦେଇଛନ୍ତି ସରକାର । ବକେୟା ଜରିମାନା ନ ଭରିଥିଲେ ପିୟୁସିସି ମିଳିବନି । ପୂର୍ବରୁ ବକେୟା ଜରିମାନା ବାଧ୍ୟତାମୂଳକ ନଥିଲା । ଯାଞ୍ଚ କେନ୍ଦ୍ରରେ ପିୟୁସିସି କରିବା ବେଳେ ଦରକାର ପଡୁନଥିଲା । ବାରମ୍ବାର ନିୟମ ବଦଳୁଥିବାରୁ ଗାଡି ମାଲିକ ଦ୍ୱନ୍ଦ୍ୱରେ ପଡିଛନ୍ତି । ତଥାପି ଜରିମାନା ଯନ୍ତ୍ରଣାରୁ ବର୍ତ୍ତିବାକୁ ଯାଞ୍ଚ କେନ୍ଦ୍ରରେ ଧାଡି ବାନ୍ଧୁଛନ୍ତି । ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି, ପିୟୁସିସି କରିବା ପୂର୍ବରୁ ଫାଇନ୍ ଭରିବା ନିୟମକୁ ଉଚ୍ଚ ନ୍ୟାୟାଳୟ ଠିକ୍ ବୋଲି ଦର୍ଶାଇଛନ୍ତି । ରାଜ୍ୟରେ ପ୍ରାୟ ୧ କୋଟିରୁ ଅଧିକ ଗାଡି ଗଡୁଛି । ଜରିମାନା ଅର୍ଥରେ ସରକାର ଚଳାଇବାକୁ ଆମେ ଆଦୌ ପ୍ରାଥମିକତା ଦେଉନାହୁଁ । କିନ୍ତୁ ରାଜ୍ୟରେ ପ୍ରଦୂଷଣ ମାତ୍ରା ବଢ଼ୁଥିବାରୁ ଏହି ନିୟମକୁ କଡ଼ାକଡି କରାଇନେବା ବେଳ ଆସିଛି । ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ଏପ୍ରିଲ ପହିଲା ଯାଏ ନିୟମକୁ କୋହଳ କରାଯାଇଛି । ଟୋଲଗେଟ୍ରେ ପାର୍ ବେଳେ ପ୍ରଦୂଷଣ ଜରିମାନା ରାଶିକୁ ୧୦ ହଜାର ଟଙ୍କାରୁ କମ୍ କରିବାକୁ ସରକାର ବିଚାର କରୁଛନ୍ତି । ପ୍ରଥମେ ଯେତେବେଳେ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ, ପେଟ୍ରୋଲ ମନା ବୋଲି ନିୟମ କଷାଯାଇଥିଲା, ସେତେବେଳେ ଗାଡିଚାଳକମାନେ ଛାନିଆ ହୋଇପଡିଥିଲେ । ରାଜ୍ୟରେ ପ୍ରର୍ଯ୍ୟାପ୍ତ ଯାଞ୍ଚ କେନ୍ଦ୍ର ନଥିବାରୁ ସେମାନେ ଢ଼େର୍ ଅସୁବିଧା ଭୋଗିଥିଲେ । ସକାଳୁ ସଞ୍ଜ ଯାଏ ଯାଞ୍ଚ କେନ୍ଦ୍ରରେ ଧାଡି ବାନ୍ଧିଥିଲେ ।
ଅଧିକ ପଢ଼ନ୍ତୁ-ପିୟୁସିସିକୁ ନେଇ ପରିବହନ ମନ୍ତ୍ରୀଙ୍କ ପ୍ରତିକ୍ରିୟା; କହିଲେ, ସମସ୍ତଙ୍କୁ PUCC ବାଧ୍ୟତାମୂଳକ
ସେପଟେ ବକେୟା ଜରିମାନା ଭରିବା ପାଇଁ ଟ୍ରାଫିକ୍ ଥାନାରୁ ଆର୍ଟିଓ ଅଫିସକୁ ଚକ୍କର କାଟିଥିଲେ । ପ୍ରାୟ ମାସ ଧରି ରାଜ୍ୟରେ ଏଭଳି ଅଭାବନୀୟ ସ୍ଥିତି ଉପୁଜିବା ପରେ ସରକାର ଚେତିଥିଲେ । ପ୍ରଦୂଷଣ ପ୍ରମାଣପତ୍ର ହାତେଇବାର ସମୟ ଅବଧିକୁ ବାରମ୍ବାର ଗଡ଼େଇ ଚାଲିଲେ । ବାରମ୍ବାର ନିୟମ ବଦଳିବାକୁ ନେଇ ଗାଡିଚାଳକମାନେ ଅସନ୍ତୋଷ ଜାହିର୍ କରିଛନ୍ତି । ବରମୁଣ୍ଡା ରମାମଣୀ ପେଟ୍ରୋଲ ପମ୍ପରେ ଥିବା ଯାଞ୍ଚ କେନ୍ଦ୍ରରେ କାର ଚାଳକ ପ୍ରମୋଦ ପଟ୍ଟନାୟକ କହିଛନ୍ତି, ପରିବହନ ବିଭାଗ ନିକଟରେ ଭିତ୍ତିଭୂମିର ଅଭାବ ଥିଲା ବୋଲି ପୂର୍ବରୁ ପ୍ରମାଣିତ ହୋଇଥିଲା । ଏବେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୂରଦୃଷ୍ଟି ଅଭାବ ରହିଛି ବୋଲି ସ୍ପଷ୍ଟ ହୋଇଛି । କାହିଁକି ନା, ଆମେ ସୁବିଧା ଓ ସହଜରେ ଯା’ଆସ କରିବା ପାଇଁ ଗାଡି ଖଣ୍ଡେ କିଣିଛୁ । କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ମନଇଚ୍ଛା ନିୟମ ବଦଳାଉଛନ୍ତି । ପ୍ରଦୂଷଣ ପ୍ରମାଣପତ୍ର ନିୟମ କାର୍ଯ୍ୟକାରୀ କରିବା ପୂର୍ବରୁ କିଛି ସ୍ପଷ୍ଟ ଗାଇଡ୍ ଲାଇନ୍ ଜାରି କଲେନି । ଦୁର୍ବଳ ଭିତ୍ତିଭୂମିର ଯାଞ୍ଚ କଲେନି କି ସଜାଡିବାକୁ କୌଣସି ପଦକ୍ଷେପ ନେଲେନି । ଯଦି ଟୋଲଗେଟ୍ରେ ଜରିମାନା ରାଶି ଅଧିକ ହେଉଛି, ତାକୁ କମାଇବା ପାଇଁ ଥରଟିଏ ବି ଭାବିଲେନି । ତରବରିଆ ଭାବେ ନିୟମ ଲାଗୁ କରି ନିଜ ଦୁର୍ବଳତାକୁ ପଦାରେ ପକାଉଛନ୍ତି ।