ନୂଆଦିଲ୍ଲୀ,୨୪।୮:  ବାଂଲାଦେଶରେ ଶାସନ ପରିବର୍ତ୍ତନ ପରେ ମହମ୍ମଦ ୟୁନୁସ୍ ଅନ୍ତରୀଣ ସରକାର ପାକିସ୍ତାନ ସହ ନିକଟତର ହେବାରେ ଲାଗିଛି। ସେଭଳି ଅନ୍ୟପଟେ ଭାରତ ବାଂଲାଦେଶର ସମ୍ପର୍କରେ ଫାଟ ସୃଷ୍ଟି ଆରମ୍ଭ ହୋଇଛି। ୧୯୭୧ ରୁ ପାକିସ୍ତାନକୁ କ୍ଷମା ମାଗିବାର ସର୍ତ୍ତ ରଖିଥବା ବାଂଲାଦେଶ ଏବେ ଆତଙ୍କବାଦୀଙ୍କୁ ପ୍ରଶୟ ଦେଉଥିବା ଦେଶ ଆଡକୁ ବନ୍ଧୁତାର ହାତ ବଢାଇଛି। ଏବେ ବାଂଲାଦେଶ ଛାତ୍ରଛାତ୍ରୀଙ୍କୁ ପାକିସ୍ତାନ ଶିକ୍ଷା ପ୍ରଦାନ କରିବା ଓ ଛାତ୍ରବୃତ୍ତି ଦେବାର ପ୍ରତିଶ୍ରୁତି ଦେଇଛି। ପାକିସ୍ତାନର ଏଭଳି ପ୍ରତିଶ୍ରୁତି ନିହାତି ପକ୍ଷେ ହାସ୍ୟସ୍ପଦ। କାରଣ ନିଜ ଦେଶର ଲୋକଙ୍କ ପେଟ ଭରିବାକୁ ପାକିସ୍ତାନକୁ ଅନ୍ୟ ଦେଶ ପାଖରେ ଆର୍ଥିକ ସହାୟତା ପାଇଁ ଭିକ ମାଗିବାକୁ ପଡୁଛି। 

ଦୁଇ ଦେଶ ଶିକ୍ଷା ଓ ବାଣିଜ୍ୟ କ୍ଷେତ୍ରର ସମ୍ପର୍କକୁ ମଜବୁତ କରିବା ପାଇଁ ପାକିସ୍ତାନ-ବାଂଲାଦେଶ ନଲେଜ କରିଡର ଆରମ୍ଭ କରିଛନ୍ତି। ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ପୋଷ୍ଟ ଅନୁସାରେ, ଆଗାମୀ ୫ ବର୍ଷରେ ପାକିସ୍ତାନରେ ଉଚ୍ଚଶିକ୍ଷା ପାଇଁ ବାଂଲାଦେଶ ଛାତ୍ରଙ୍କୁ ସ୍କଲାରସିପ୍ ଦିଆଯିବ। ଏହାଛଡା ବାଂଲାଦେଶର ପ୍ରଶାସନିକ ଅଧିକାରୀଙ୍କ ପାଇଁ ଟ୍ରେନିଂର ବ୍ୟବସ୍ଥା କରାଯିବ। 

ଉଲ୍ଲେଖନୀୟ ଯେ, ୨୦୧୨ ପରେ ପ୍ରଥମ ଥର କୌଣସି ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ ବାଂଲାଦେଶ ଗସ୍ତରେ ଯାଇଛନ୍ତି। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇଶାକ ଡାର ଓ ମହମ୍ମଦ ୟୁନୁସଙ୍କ ଅନ୍ତରୀଣ ସରକାରଙ୍କ ଭିତରେ ୬ଟି ଚୁକ୍ତି ସାକ୍ଷର ହୋଇଛି। ଏଥିରେ ସାଂସ୍କୃତିକ ଆଦାନ ପ୍ରଦାନ, ଫ୍ରି ଭିସା ଏଣ୍ଟ୍ରି ଓ ଦୁଇ ଦେଶ ଭିତରେ ବିଦେଶ ସେବା ପାଇଁ ଟ୍ରେନିଂର ଚୁକ୍ତି କରାଯାଇଛି। ଇଶାକ ଡାର ବାଂଲାଦେଶ ଯାତ୍ରା ପୂର୍ବରୁ ପୁଣିଥରେ ୧୯୭୧ ଯୁଦ୍ଧକୁ ନେଇ କ୍ଷମା ମାଗିବାର ପ୍ରସଙ୍ଗ ଉଠାଇଥିଲେ। ତେବେ ଏହି ପ୍ରସଙ୍ଗ ଆଗକୁ ଆଉ ବଢିପାରିଲାନି। ୧୯୭୧ ରେ ପାକିସ୍ତାନ ସେନାର ଅତ୍ୟାଚାରରେ ହଜାର ହଜାର ବାଂଲାଦେଶୀଙ୍କ ମୃତ୍ୟୁ ହୋଇଥିଲା। ଢାକାର ବୈଦେଶିକ ବ୍ୟାପାର ପରାମର୍ଶଦାତା ମହମ୍ମଦ ତୋହିଦ ହୁସେନ କହିଛନ୍ତି, ଏହି ପ୍ରସଙ୍ଗର ସମାଧାନ ହୋଇପାରିନି, କିନ୍ତୁ ଦୁଇ ଦେଶ ସମ୍ପର୍କ ମଜବୁତ କରିବା ନେଇ ସହମତି ପ୍ରକାଶ କରିଛନ୍ତି।