ଦିନେ କାମକୁ ନଗଲେ ଆରଦିନ ଉପାସ; ଗରିବଙ୍କର କି ରଜ?

ଭୁବନେଶ୍ୱର, ୧୫ା୬(ବ୍ୟୁରୋ): ରଜରେ ଗାଁ ଗହଳିଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଗହଳି । କାହା ଘରେ ବନ୍ଧୁବାନ୍ଧବ ହାଉଜାଉ ତ’ ଆଉ କିଏ ପରିବାର ଲୋକଙ୍କ ସହ ବୁଲିବାକୁ ଯୋଜନା କରୁଛନ୍ତି । କିନ୍ତୁ ଏହି ସ୍ମାର୍ଟ ସିଟିରେ ଆଜିବି ଏମିତି ଲୋକ ଅଛନ୍ତି ଯେଉଁମାନଙ୍କ ପାଇଁ ରଜ କିଛି ବି ଗୁରୁତ୍ୱ ରଖେନି । ନା ଭଲ ପୋଷାକ କିଣିବା ପାଇଁ ଅର୍ଥ ଅଛି ନା ଖାଇବା ପାଇଁ । କିଛି ଲୋକଙ୍କ ପାଇଁ ରଜ ସ୍ୱପ୍ନ ପାଲଟି ଯାଇଛି । ଘରର ଜଞ୍ଜାଳ ବୁଝିବା ପାଇଁ ପିଲାମାନଙ୍କୁ ଉପାସରେ ନରଖିବା ପାଇଁ ଏମିତି ଅନେକ ଲୋକ ଆଜି ବି ସଂର୍ଘଷ କରି ଚାଲିଛନ୍ତି । ସେମାନଙ୍କ ଜୀବନରେ ଖୁସି ସାତ ସପନ ପାଲଟିଛି । ଏମିତି ଜଣେ ଦୁଇ ଜଣ ବ୍ୟକ୍ତିଙ୍କୁ ଭେଟିଥିଲୁ ରଜରେ । ଜଣେ ଥିଲେ ରମା ନାହାକ ଆଉ ଜଣେ ଅଚ୍ୟୁତାନନ୍ଦ ରାଉତ ।

ସଜବାଜ ସନ୍ଧ୍ୟା ୫ଟା ପାଖା ପାଖି । ସିଆରପି ପାଖରେ ମୁଣ୍ଡରେ ହାତ ଦେଇ ବସିଥାଆନ୍ତି ରମା । ପାଖରେ ବାଲି ସିମେଣ୍ଟ ଉଠାଇବା ଝୁଡ଼ି ଥୁଆ ହୋଇଥାଏ । ଲାଗୁଥାଏ ଦିନସାରା କେଉଁଠୁ କାମ କରି ଫେରିଥିବେ । ତାଙ୍କ ପାଖକୁ ଯାଇ ପଚାରିଲୁ ମାଉସୀ ମନ କାଇଁ ଦୁଃଖ କରିଛ । କାଲି ବା ରଜ । ସେ କହିଲେ ମୋର ଆଉ ରଜ କ’ଣ? ସ୍ୱାମୀ ଆଉ ଝିଅକୁ ନେଇ ମୋ ସଂସାର । କିନ୍ତୁ ଅଭାବ ଏମିତି ଯେ ସ୍ୱାମୀ, ସ୍ତ୍ରୀ ଗୋଟିଏ ଦିନ ମୂଲ ନଲାଗିଲେ ଘର ଅସମ୍ଭାଳ । ଝିଅଟି ବଡ଼ ହେଲାଣି, ତା’ ଖର୍ଚ୍ଚ ବଢ଼ି ବଢ଼ି ଚାଲିଛି । ଆଉ ଭୁବନେଶ୍ୱରରେ ରହି ଚଳିବା ଯେ କେତେ କଷ୍ଟ ଏବେ ଜଣାପଡ଼ୁଛି । ସାଲିଆ ସାହିରେ ଘରଭଡ଼ା ନେଇ ରହୁଛୁ । ଦିନେ କାମକୁ ନଗଲେ ଆର ଦିନକୁ ଉପାସ । ରଜ କେମିତି ପାଳିବୁ । ଝିଅ ପାଇଁ ତ ଡ୍ରେସ ଖଣ୍ଡେ କରି ପାରିଲୁନି ଆମେ ଦୁଇଜଣ । ରଜ ପାଇଁ ସବୁ ପିଲାଙ୍କର ଖୁସି କାହିଁରେ କେତେ । ଆମର ପୋଡ଼ା କପାଳ । ସମସ୍ତଙ୍କ ଘର ପିଠା ମିଠାରେ ଭାସୁଥିବା ବେଳେ ଆମର ପିଠା କରିବା ପାଇଁ ଚାଉଳ କୁଞ୍ଚେ ନାହିଁ ବୋଲି କୋହ ଭରା କଣ୍ଠରେ କହୁଥିଲେ ରମା । ସକାଳ ହେଲେ ରଜ ପାଇଁ କାହାର କେଉଁ ଚିନ୍ତା ମୋର କିନ୍ତୁ ଛୁଟି ନାହିଁ । ମୁଁ ୮ଟାରୁ କାମକୁ ଯିବି ଆସିବି ସନ୍ଧ୍ୟାରେ । ପ୍ରଥମ ରଜ ଶୁକ୍ରବାର ପଡ଼ୁଥିଲେ ବି ମୋ ଛୁଆ ମୁହଁରେ ଆମିଷ ଟିକେ ବାଜିବନି । ଏମିତି ଦୁଃଖ କାହାକୁ କହିବି, ଯାହା ଖାଲି ଭୋଗିବା କଥା । ରଜରେ ପିଲାଟାକୁ ଟିକେ ଖୁସି ଦେଇପାରୁନି । ଦନି ରାତି ଝାଳ ବୁହା ପରିଶ୍ରମ କରି ଲାଭ କିଛି ନାହିଁ ।

ପିଲା ଦିନୁ ଆଖି ନାହିଁ । ଗରିବ ପରିବାରରେ ଜନ୍ମ । ବଡ଼ମ୍ବା ନରସିଂପୁରରେ ମୋ’ ଘର । ବାପା, ମା’ ଆର ପାରିକୁ ଚାଲିଗଲେଣି । ଗାଁରେ ମୋ ସ୍ତ୍ରୀ ଆଉ ଝିଅ । ବାପା ମା’ଙ୍କ ପରେ ଏକୁଟିଆ କେମିତି ରହିବି ବୋଲି ଭାବି ଜବରଦସ୍ତି ବାହାଘର କରାଇ ଦେଲେ । ଅନ୍ଧ ଲୋକ ନିଜ ପେଟ ପୋଷିବାକୁ ବି ଅର୍ଥ ନାହିଁ, ରଜ ପାଳିବି କେମିତି ବୋଲି ଦୁଃଖ ଭରା କଣ୍ଠରେ ମାର୍କେଟ ବିଲଡିଂରେ ଛୋଟ ବ୍ୟବସାୟ କରୁଥିବା ରମେଶଚନ୍ଦ୍ର ମହାପାତ୍ର କହିଛନ୍ତି । ଟଙ୍କା ନାହିଁ ବୋଲି ରଜ ପାଳିବାକୁ ଗାଁକୁ ଯାଉନି । ଖାଲି ଏଥର ନୁହେଁ ଏମିତି ଅନେକ ରଜ ମୋ ପରିବାର ବିନା ଭୁବନେଶ୍ୱରରେ କଟିଛି । ସେମାନେ ତ ସେଠି ବି ରଜ ପାଳୁ ନାହାନ୍ତି । ଏତେ ଦୁଃଖରେ କ’ଣ ରଜ ପାଳି ହେବ? ଗଣ୍ଡେ ଖାଇବାକୁ ତ ମିଳୁନି ରଜ କେମିତି କଟିବ ।
ସେ ଆହୁରି ମଧ୍ୟ କୁହନ୍ତି, ପିଲା ଦିନୁ ଆଜି ଯାଏ ଶୁଣି ଆସୁଛି ରଜରେ ଦୋଳି, ତାସ୍, କବାଡ଼ି ଓ ଲୁଡୁ ଖେଳରେ ଭାରି ମଜା ଆସେ । କିନ୍ତୁ ସେହି ଭାଗ୍ୟ ଆମକୁ ଠାକୁର ଦେଇ ନାହାନ୍ତି । ନା ରଜ ପର୍ବ ଆଖିରେ ଦେଖି ହଉଛି ନା ପିଠା ପଣା ଟିକେ ଖାଇ ହଉଛି । ଆଖି ନଥିବା ଲୋକର ରଜ ବୋଲି କିଛି ନାହିଁ । ପରିବାର ଲୋକଙ୍କୁ ଭଲରେ ଟିକେ ରଖିବା ପାଇଁ ଭୁବନେଶ୍ୱର ପଳେଇ ଆସିଛି । ସ୍ତ୍ରୀ ଆଉ ପିଲା ଗାଁରେ ଅଛନ୍ତି । ଆଶ୍ରୟସ୍ଥଳୀରେ ରହି ଏହି ମାର୍କେଟ ବିଲଡିଂରେ ଓଜନ ମାପିବା ସହ କିଛି ଛୋଟମୋଟ ଜିନିଷ ବିକ୍ରି କରି ପେଟ ପୋଷୁଛନ୍ତି ରମେଶ ।
ସେମିତି ଏକାମ୍ର କାନନ ଶ୍ୟାମାକାଳୀ ମନ୍ଦିର ପାଖରେ ଛୋଟିଆ ଫୁଲ ଦୋକାନ ଦେଇଥିବା ଅଚ୍ୟୁତାନନ୍ଦ ରାଉତ କୁହନ୍ତି, ବୁଢ଼ା ହେଲିଣି ରଜ ଆଉ କ’ଣ ଅଛି । ପରିବାର ଜଞ୍ଜାଳ ଭିତରେ ରଜ କେବେଠୁ ଭୁଲି ଗଲିଣିି । ମୋର ବାର ମାସରେ ଏହି ଫୁଲ ଦୋକାନ ହିଁ ଭରସା । ଖାଇବା ସିନା ଦିନେ ବନ୍ଦ କରିଦେବି କିନ୍ତୁ ଓଷାବାର ବ୍ରତରେ ଦୋକାନ ଖୋଲା ରଖିବି । ନହେଲେ ଗଣ୍ଡେ ଖାଇବାକୁ ମିଳିବନି । ରଜରେ ବନ୍ଧୁବାନ୍ଧବଙ୍କ ସହିତ ଗପିବା, ଗାଁରେ ତାସ୍ ଖେଳ ସେ ସବୁ ଏଠି ହଉନି । ବେଳେ ବେଳେ ମନ ହୁଏ ପାରିବାରିକ ଜଞ୍ଜାଳ ଭିତରେ କାହିଁକି ଛନ୍ଦି ହେଲି । ଏତେ ଅଭାବ ଅସୁବିଧା ଭିତରେ ଜୀବନ ବ୍ୟସ୍ତ ବିବ୍ରତ ହୋଇଗଲାଣି । ଗାଁରେ ରଜ ପାଳିବାର ଯେଉଁ ମଜା ଏଠି ନାହିଁ । ଦିନ ଦିନ ଉପାସ ରହିଲେ ତ କେହି ଜାଣି ପାରିବେ ନାହିଁ ସେମାନଙ୍କ ସହ ରଜ କେମିତ ପାଳିବୁ । ମୋର ଆଉ ସେ ଆଗ୍ରହ ମଧ୍ୟ ନାହିଁ । ଏବେ ରଜ ମୋ ପାଇଁ ସ୍ୱପ୍ନ ।