ନୂଆଦିଲ୍ଲୀ, ୨୮।୫: ଭାରତୀୟ ଟେଲିଭିଜନ ଜଗତରେ ଏମିତି ଅନେକ ସିରିଏଲ୍ ଆସିଛି, ଯାହା ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ବିଶେଷ କରି ୯୦ ଦଶକରେ ଛୋଟ ପରଦାର ଲୋକପ୍ରିୟତା ଏଭଳି ବୃଦ୍ଧି ପାଇଥିଲା ଯେ, ସେଗୁଡ଼ିକ ଚଳଚ୍ଚିତ୍ର ଭଳି ଲୋକଙ୍କ ମନୋରଞ୍ଜନର ଏକ ପ୍ରମୁଖ ମାଧ୍ୟମ ପାଲଟିଥିଲା । ଯେତେବେଳେ ଟେଲିଭିଜନରେ ଲୋକପ୍ରିୟତାର କଥା ଉଠେ, ସେତେବେଳେ ସର୍ବପ୍ରଥମେ ‘ରାମାୟଣ’ କିମ୍ବା ‘ମହାଭାରତ’ ଭଳି ପୌରାଣିକ ଶୋ’ର ନାମ ମନକୁ ଆସେ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ସେହି ସମୟରେ ଏକ ସାଂସ୍କୃତିକ ଶୋ’ ମଧ୍ୟ ଆସିଥିଲା, ଯାହା ଲୋକପ୍ରିୟତା ମାମଲାରେ ‘ରାମାୟଣ’କୁ ଚ୍ୟାଲେଞ୍ଜ ଦେଇଥିଲା । ଏହି ସୁପରହିଟ୍ ଶୋ’ଟି ଥିଲା ‘ସୁରଭି’ । ଏହି ଶୋ’ର କ୍ରେଜ୍ ଏତେ ଅଧିକ ଥିଲା ଯେ, ସେହି ସମୟରେ ପ୍ରତି ଘରେ ଲୋକମାନେ ନିଜ ନବଜାତ କନ୍ୟା ସନ୍ତାନଙ୍କ ନାଁ ‘ସୁରଭି’ ରଖିବା ଆରମ୍ଭ କରିଦେଇଥିଲେ । ଦୀର୍ଘ ୧୧ ବର୍ଷ ଧରି ଟିଭି ଦୁନିଆରେ ରାଜ୍ କରିଥିବା ଏହି ଶୋ’ ଭାରତୀୟ ଗଣମାଧ୍ୟମ ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲା ।

୧୧ ବର୍ଷର ସଫଳ ଯାତ୍ରା ଏବଂ ୪୧୫ଟି ଏପିସୋଡ୍:

ଏହି ସାଂସ୍କୃତିକ ମାଗାଜିନ୍ ଶୋ’ର ପ୍ରଯୋଜକ ତଥା ସୂତ୍ରଧର ଥିଲେ ବିଶିଷ୍ଟ ବ୍ୟକ୍ତିତ୍ୱ ସିଦ୍ଧାର୍ଥ କାକ । ଏହି ଶୋ’ରେ ମୁଖ୍ୟ ଆଙ୍କର୍ ବା ହୋଷ୍ଟ ଭାବେ ତାଙ୍କୁ ସହଯୋଗ କରିଥିଲେ ଜଣାଶୁଣା ଅଭିନେତ୍ରୀ ରେଣୁକା ସହାନେ, ଯିଏକି ପରବର୍ତ୍ତୀ ସମୟରେ ବ୍ଲକବଷ୍ଟର ଚଳଚ୍ଚିତ୍ର ‘ହମ୍ ଆପକେ ହୈ କୌନ୍’ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ । ଅଭିଳାଷ ଭଟ୍ଟାଚାର୍ଯ୍ୟଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଶୋ’କୁ ଦର୍ଶକଙ୍କ ପକ୍ଷରୁ ଏତେ ଭଲପାଇବା ମିଳିଥିଲା ଯେ ଏହା ଦୀର୍ଘ ୧୧ ବର୍ଷ ଧରି ଚାଲିଥିଲା । ପ୍ରାୟ ୯ଟି ସିଜନ୍‌ରେ ଏହାର ମୋଟ୍ ୪୧୫ଟି ଏପିସୋଡ୍ ପ୍ରସାରିତ ହୋଇଥିଲା, ଯାହା ସେହି ସମୟର ସବୁଠାରୁ ଦୀର୍ଘତମ ଟେଲିଭିଜନ ଶୋ’ ମଧ୍ୟରୁ ଅନ୍ୟତମ ଥିଲା । ଏହା ପ୍ରଥମେ ଜାତୀୟ ଚ୍ୟାନେଲ୍ ଦୂରଦର୍ଶନ (DD National) ଏବଂ ପରେ ଷ୍ଟାର୍ ପ୍ଲସରେ ମଧ୍ୟ ପ୍ରସାରିତ ହୋଇଥିଲା ।

ରେଣୁକାଙ୍କ ଷ୍ଟାଇଲ୍ କୁ କପି କରୁଥିଲେ ମହିଳା:

‘ସୁରଭି’ ଶୋ’ ମାଧ୍ୟମରେ ରେଣୁକା ସହାନେ ଘରେ ଘରେ ପରିଚିତ ହୋଇପାରିଥିଲେ । ସଲମାନ ଖାନଙ୍କ ଫିଲ୍ମ ‘ହମ୍ ଆପକେ ହୈ କୌନ୍’ ପୂର୍ବରୁ ହିଁ ସେ ଏହି ଶୋ’ ଜରିଆରେ ସେଲିବ୍ରିଟି ବନିଯାଇଥିଲେ । ଶୋ’ରେ ତାଙ୍କର ସ୍ମିତହାସ୍ୟ ଏବଂ ସୁନ୍ଦର ଉପସ୍ଥାପନା ଶୈଳୀ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରୁଥିଲା । ଏକ ସାକ୍ଷାତକାରରେ ରେଣୁକା କହିଥିଲେ ଯେ, ସେହି ସମୟରେ ମହିଳାମାନେ ତାଙ୍କ ଷ୍ଟାଇଲକୁ କପି କରୁଥିଲେ ଏବଂ ତାଙ୍କ ଭଳି ପୋଷାକ ପିନ୍ଧିବାକୁ ପସନ୍ଦ କରୁଥିଲେ। ଆଜି ବି ଯଦି କେହି ପୁରୁଣା ଦର୍ଶକ ତାଙ୍କୁ ଭେଟନ୍ତି, ତେବେ ସେମାନେ ‘ସୁରଭି’ ଶୋ’ର ସ୍ମୃତି ଚାରଣ କରି କୁହନ୍ତି ଯେ ସେମାନେ ଏଭଳି ଶୋ’ ଦେଖି ବଡ଼ ହୋଇଛନ୍ତି ।

ଭାରତୀୟ ସଂସ୍କୃତିର ପ୍ରଚାର ଏବଂ ସୁପ୍ରସିଦ୍ଧ ସଙ୍ଗୀତ:

‘ସୁରଭି’ ଶୋ’ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଭାରତର ସମୃଦ୍ଧ ସଂସ୍କୃତି, ପରମ୍ପରା, କଳା, ଏବଂ ସଭ୍ୟତାକୁ ଅତି ସରଳ ଭାବରେ ଲୋକମାନଙ୍କ ପାଖରେ ପହଞ୍ଚାଇବା । ସାରା ଭାରତର କୋଣ ଅନୁକୋଣରୁ ଅଜଣା ସାଂସ୍କୃତିକ ତଥ୍ୟ ଏବଂ ଐତିହ୍ୟକୁ ଏହି ଶୋ’ ମାଧ୍ୟମରେ ସାମ୍ନାକୁ ଅଣାଯାଉଥିଲା । ଏହି ଶୋ’କୁ ଦୀର୍ଘ ସମୟ ଧରି ଦେଶର ପ୍ରସିଦ୍ଧ ବ୍ରାଣ୍ଡ ‘ଅମୂଲ’ ସ୍ପନ୍ସର କରୁଥିଲା । ସବୁଠାରୁ ଖାସ୍ କଥା ହେଉଛି, ଏହାର ମନଛୁଆଁ ଟାଇଟଲ୍ ମ୍ୟୁଜିକ୍ ପ୍ରସିଦ୍ଧ ବେହେଲା ବାଦକ ଏଲ୍. ସୁବ୍ରମଣ୍ୟମ ପ୍ରସ୍ତୁତ କରିଥିଲେ, ଯାହା ଆଜି ବି ଅନେକଙ୍କ ମନରେ ସତେଜ ରହିଛି ।

ଭାରତୀୟ ଡାକ ବିଭାଗକୁ ନେବାକୁ ପଡ଼ିଥିଲା ବଡ଼ ପଦକ୍ଷେପ:

ଏହି ଶୋ’ର ସବୁଠାରୁ ଲୋକପ୍ରିୟ ଭାଗ ଥିଲା ଏହାର ସାପ୍ତାହିକ କୁଇଜ୍ । ଏହି କୁଇଜ୍ ପ୍ରତିଯୋଗିତା ମାଧ୍ୟମରେ ଦର୍ଶକମାନେ ସିଧାସଳଖ ଶୋ’ ସହିତ ଯୋଡ଼ି ହୋଇପାରୁଥିଲେ । ଯେହେତୁ ସେହି ସମୟରେ ଇଣ୍ଟରନେଟ୍ କିମ୍ବା ମୋବାଇଲ୍ ଫୋନର ସୁବିଧା ନଥିଲା, ତେଣୁ ଦର୍ଶକମାନେ ମାତ୍ର ୧୫ ପଇସାର ପୋଷ୍ଟକାର୍ଡରେ ନିଜର ଉତ୍ତର ଲେଖି ପଠାଉଥିଲେ । ଧୀରେ ଧୀରେ ଚିଠି ସଂଖ୍ୟା ଏତେ ମାତ୍ରାରେ ବଢ଼ିଗଲା ଯେ ଭାରତୀୟ ଡାକ ବିଭାଗ ଉପରେ ଚାପ ସୃଷ୍ଟି ହେଲା । ପରିସ୍ଥିତିକୁ ଦେଖି ଡାକ ବିଭାଗକୁ ବାଧ୍ୟ ହୋଇ ‘କମ୍ପିଟିସନ ପୋଷ୍ଟକାର୍ଡ’ ନାମରେ ଏକ ସ୍ୱତନ୍ତ୍ର କାଟେଗୋରୀ ବାହାର କରିବାକୁ ପଡ଼ିଥିଲା, ଯାହାର ମୂଲ୍ୟ ୧୫ ପଇସାରୁ ବଢ଼ାଇ ୨ ଟଙ୍କା ରଖାଯାଇଥିଲା । ସେହି ସମୟରେ ୨ ଟଙ୍କାର ମୂଲ୍ୟ ବହୁତ ଅଧିକ ଥିଲା ।

ଲିମକା ବୁକ୍ ଅଫ୍ ରେକର୍ଡସରେ ସ୍ଥାନ:

‘ସୁରଭି’ର ଲୋକପ୍ରିୟତା କେତେ ଥିଲା, ତାହା ଏହି ଗୋଟିଏ ତଥ୍ୟରୁ ଜଣାପଡ଼େ ଯେ ଶୋ’ ନିକଟକୁ ପ୍ରତି ସପ୍ତାହରେ ୧୪ ଲକ୍ଷରୁ ଅଧିକ ଚିଠି ଆସୁଥିଲା । ଭାରତୀୟ ଟେଲିଭିଜନ ଇତିହାସରେ କୌଣସି ଗୋଟିଏ ଶୋ’କୁ ଏତେ ବଡ଼ ସଂଖ୍ୟାରେ ଜନସାଧାରଣଙ୍କ ପ୍ରତିକ୍ରିୟା ମିଳିବା ଏକ ବିରଳ ଘଟଣା ଥିଲା । ଏହି କାରଣରୁ ଏହି ଶୋ’ର ନାମ ‘ଲିମକା ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ’ ରେ ସ୍ଥାନ ପାଇଥିଲା ।

​​​​​​​

ବର୍ତ୍ତମାନ କେଉଁଠି ଅଛନ୍ତି ଶୋ’ର କଳାକାର ?

ସମୟ ବଦଳିବା ସହ ଶୋ’ ବନ୍ଦ ହୋଇଯାଇଥିଲେ ମଧ୍ୟ ଏହାର କଳାକାରମାନେ ଆଜି ବି ମନୋରଞ୍ଜନ ଦୁନିଆ ସହ ଜଡ଼ିତ ଅଛନ୍ତି । ରେଣୁକା ସହାନେ ବର୍ତ୍ତମାନ ମଧ୍ୟ ସେ ଫିଲ୍ମ ଦୁନିଆରେ ସକ୍ରିୟ ଅଛନ୍ତି ଏବଂ ଥିଏଟର ସହିତ ଜଡ଼ିତ ରହି ଅଭିନୟ ଓ ନିର୍ଦ୍ଦେଶନା ଜାରି ରଖିଛନ୍ତି । ସିଦ୍ଧାର୍ଥ କାକ୍ ଏବେ ଚଳଚ୍ଚିତ୍ର ଜଗତରେ ବହୁତ କମ୍ ନଜର ଆସୁଛନ୍ତି । ୨୦୨୦ରେ ଆସିଥିବା ଫିଲ୍ମ ‘ଲଭ୍ ଆଜ୍ କଲ୍ ୨’ ଏବଂ ୨୦୨୯ରେ ଆସିଥିବା ୱେବ୍ ସିରିଜ୍ ‘କ୍ରାଶ୍ କୋର୍ସ’ ରେ ସେ ଅଭିନୟ କରିଥିଲେ । ଆଜିର ସୋସିଆଲ ମିଡିଆ ଏବଂ ଓଟିଟି ଯୁଗରେ ମଧ୍ୟ ‘ସୁରଭି’ ଶୋ’ ଭାରତୀୟ ଟେଲିଭିଜନର ସେହି ସୁବର୍ଣ୍ଣ ଏବଂ ସଂସ୍କୃତି ସମ୍ପନ୍ନ ସମୟର ପ୍ରତୀକ ଭାବେ ସ୍ମରଣୀୟ ହୋଇ ରହିବ ।

ଆହୁରି ପଢ଼ନ୍ତୁ... ଅମିତାଭ ବଚ୍ଚନ କି ଶାହରୁଖ ଖାନ, କାହାର ‘ଡନ୍’ ଅଧିକ କଲେକ୍ସନ କରିଥିଲା ?