ମୁମ୍ବାଇ, ୨୭/୫ : ହିନ୍ଦୀ ସିନେମାରେ "ଡନ୍" ଫ୍ରାଞ୍ଚାଇଜ ମାଧ୍ୟମରେ ଏ ପର୍ଯ୍ୟନ୍ତ ତିନୋଟି ଫିଲ୍ମ ନିର୍ମାଣ ହୋଇଛି । ପ୍ରଥମ "ଡନ୍" ୧୯୭୮ମସିହାରେ ମୁକ୍ତିଲାଭ କରିଥିଲା । ଯେଉଁଥିରେ ବଲିଉଡ଼ର ବିଗ୍ ବି ତଥା ଅମିତାଭ ବଚ୍ଚନ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଯାହା ଫଳରେ ବଲିଉଡ଼କୁ ତା’ର ପ୍ରଥମ "ଡନ୍" ମିଳିଥିଲା। ଏହାର ପ୍ରାୟ ୨୮ ବର୍ଷ ପରେ, ଫରହାନ୍ ଅଖତର "ଡନ୍"ର ରିମେକ୍ କରିଥିଲେ। ମାତ୍ର ସେଥିରେ ଅମିତାଭଙ୍କ ବଦଳରେ ବଲିଉଡ଼ର ବାଦଶାହା ଶାହରୁଖ ଖାନଙ୍କୁ "ଡନ୍" ଭାବେ କାଷ୍ଟ କରାଯାଇଥିଲା। ଉଭୟ ଫିଲ୍ମ ଭଲ ଭାବେ ଦର୍ଶକାଦୃତ ହୋଇଥିଲା ଏବଂ ଅମିତାଭ ଏବଂ ଶାହରୁଖଙ୍କ "ଡନ୍" ଉଭୟ ଆୟ ଦୃଷ୍ଟିରୁ ଉତ୍କୃଷ୍ଟ ହୋଇଥିଲା । ପରିସଂଖ୍ୟାନ ଦର୍ଶାଏ ଯେ ଶାହରୁଖଙ୍କ "ଡନ୍" ଅମିତାଭଙ୍କ "ଡନ୍" ଅପେକ୍ଷା ପ୍ରାୟ ୯୭ କୋଟି ଅଧିକ ବ୍ୟବସାୟ କରିଥିଲା। ତଥାପି, ବଜେଟ୍ ତୁଳନାରେ ଆୟକୁ ଦେଖିଲେ, ଅମିତାଭଙ୍କ "ଡନ୍" ଆଗରେ ଥିବା ଦେଖାଯାଇଥାଏ।
ଅମିତାଭ ବଚ୍ଚନଙ୍କ "ଡନ୍" ୧୯୭୮ମସିହାରେ ୭ କୋଟିରୁ ଅଧିକ କଲେକ୍ସନ କରିଥିଲା। ଚଳଚ୍ଚିତ୍ରର ପ୍ରଯୋଜକ ଏହାର ନିର୍ମାଣରେ ପ୍ରାୟ ୭୦ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ଯାହା ଏହାର ବଜେଟର ୧୦ଗୁଣ କଲେକ୍ସନ କରିଥିଲା। ଅମିତାଭଙ୍କ ‘ଡନ’ର ନିର୍ଦ୍ଦେଶନା ଚନ୍ଦ୍ରା ବରୋଟ ଦେଇଥିବାବେଳେ ପ୍ରଯୋଜନାରେ ଥିଲେ ନରିମନ ଇରାନୀ । ଫିଲ୍ମକୁ ଆଇକନିକ୍ ରାଇଟର ସଲିମ୍ ଖାନ ଏବଂ ଜାଭେଦ ଅଖତର ଏକାସାଥିରେ ଲେଖିଥିଲେ ।
ଜାଭେଦ ଅଖତରଙ୍କ ପୁଅ ଫରହାନ ଅଖତର ଏକ୍ସେଲ ଏଣ୍ଟରଟେନମେଣ୍ଟ ବ୍ୟାନରରେ ୨୦୦୬ ମସିହାରେ ଶାହରୁଖ ଖାନଙ୍କ ସହ "ଡନ୍" ନିର୍ମାଣ କରିଥିଲେ । ଏହା ଏକ ବଡ଼ ଚ୍ୟାଲେଞ୍ଜ ଥିଲା, କାରଣ ଲୋକମାନେ ଅମିତାଭ ବଚ୍ଚନଙ୍କୁ "ଡନ୍" ଭାବରେ ପସନ୍ଦ କରିଥିଲେ। ତଥାପି ଶାହରୁଖ ଖାନ ଫ୍ୟାନ୍ସଙ୍କ ମନ ଜିଣିଥିଲେ। ରିମେକ୍ ମଧ୍ୟ ବକ୍ସ ଅଫିସରେ ବମ୍ପର କଲେକ୍ସନ କରିଥିଲା । ରିପୋର୍ଟ ଅନୁଯାୟୀ, ଆଜକୁ ପ୍ରାୟ ୨୦ବର୍ଷ ପୂର୍ବେ ଏହି ଫିଲ୍ମଟି ଘରୋଇ ବକ୍ସ ଅଫିସରେ ୫୦.୧୬ କୋଟି କଲେକ୍ସନ କରିଥିଲା। ସେହିଭଳି ଓ୍ବାର୍ଲ୍ଡ ଓ୍ବାଇଡ୍ ଏହି ଫିଲ୍ମ ୧୦୪.୬୪ କୋଟି ଟଙ୍କା କଲେକ୍ସନ କରିଥିଲା । ଶାହରୁଖ ଖାନଙ୍କ "ଡନ୍" ର ବଜେଟ୍ ପ୍ରାୟ ୪୦କୋଟି ଥିଲା। ଏହାର ଅର୍ଥ ହେଉଛି ଏହି ଫିଲ୍ମଟି ଏହାର ବଜେଟର ପ୍ରାୟ ଅଢ଼େଇ ଗୁଣ କଲେକ୍ସନ କରିଥିଲା।
ଶାହରୁଖ ଖାନ 'ଡନ୍' ଭାବେ ଦୁଇଟି ଫିଲ୍ମରେ ଅଭିନୟ କରିଥିଲେ । ୨୦୦୬ ପରେ ସେ ୨୦୧୧ରେ ପୁଣି ଥରେ 'ଡନ୍' ଭୂମିକାରେ ଅଭିନୟ କରିଥିଲେ । 'ଡନ୍ ୨' ମଧ୍ୟ ଭଲ କଲେକ୍ସନ କରିଥିଲା । କିନ୍ତୁ ଯେତେବେଳେ ତୃତୀୟ 'ଡନ୍' ନିର୍ମାଣ କରିବାକୁ କଥା ହେଲା ଶାହରୁଖ କାମ କରିବାକୁ ମନା କରିଦେଲେ। ପରେ ଏହି ଭୂମିକାର ଅଫର୍ ରଣବୀର ସିଂହଙ୍କ ପାଖକୁ ଗଲା। କିନ୍ତୁ ଏବେ ସେ ମଧ୍ୟ ଫିଲ୍ମ ଛାଡି ଦେଇଛନ୍ତି। ଫରହାନ ଅଭିଯୋଗ କରିଛନ୍ତି ଯେ, ରଣବୀରଙ୍କ ଫିଲ୍ମ ଛାଡିବା ଦ୍ୱାରା ତାଙ୍କ କମ୍ପାନୀ ଏକ୍ସେଲ୍ ଏଣ୍ଟରଟେନମେଣ୍ଟକୁ ପ୍ରାୟ ୪୫କୋଟି ଟଙ୍କାର କ୍ଷତି ହୋଇଛି। ସେ ଏହି ବିଷୟରେ ଫେଡେରେସନ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲଇଜ୍ (FWICE) ନିକଟରେ ଅଭିଯୋଗ କରିଥିଲେ । ଯାହା ପରେ ଏହି ସଂଗଠନ ରଣବୀରଙ୍କ ବିରୁଦ୍ଧରେ ଅସହଯୋଗ ଆଦେଶ ଜାରି କରିଛି ।