PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ୧୧୨୦ ବୋତଲ କଫ ସିରପ୍ ଜବତ, ୫ ଗିରଫ
  • ||
  • କେନ୍ଦୁଝର : ବାଘକୁ ଘେରିଲେଣି ଶିକାରୀ, ଅଟେଇ ଜଙ୍ଗଲରୁ ୯ ଶିକାରୀ ଗିରଫ
  • ||
  • ବୁର୍ଲା : ଉଚ୍ଚ ବେତନ ନିଯୁକ୍ତିରେ ପୁଣି ରେକର୍ଡ କଲା ଆଇଆଇଏମ୍‌ ସମ୍ୱଲପୁର, ଖୁବ୍‌ଶୀଘ୍ର ଆରମ୍ଭ ହେବ ଯୁଗ୍ମ ପାଠ୍ୟକ୍ରମ
  • ||
  • ବୌଦ୍ଧ : ଏସିଏଫଙ୍କ ଗାଡି ଉପରକୁ ଗୁଳିମାଡ଼, ୨ ବନ କର୍ମଚାରୀ ଆହତ
  • ||

ସେଟ୍‌-ଟପ୍‌ ବକ୍ସର ପୋର୍ଟେବିଲିଟି ହେବ,ଗ୍ରାହକ ବାଛିବେ ଅପରେଟର୍‌

ନୂଆଦିଲ୍ଲୀ,୨୭ା୧(ଏଜେନ୍ସି): ଟେଲିକମ୍‌ କମ୍ପାନି ଭଳି ଗ୍ରାହକମାନେ ନିଜ କେବଲ୍‌ ଅପରେଟର୍‌ ଅଥବା ଡିଟିଏଚ୍‌ କମ୍ପାନି ବାଛିପାରିବେ । ଏଥିପାଇଁ ଖୁବ୍‌ଶୀଘ୍ର ପୋର୍ଟେବିଲିଟି ବ୍ୟବସ୍ଥା ଆରମ୍ଭ କରାଯିବ । ଟେଲିକମ୍‌ ନିୟାମକ ପ୍ରାଧିକରଣ (ଟ୍ରାଇ)ର ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି ।
ଟ୍ରାଇ ଯୋଜନା ମୁତାବକ ଗ୍ରାହକମାନେ ଚଳିତବର୍ଷ ଶେଷ ବେଳକୁ ଏହି ସୁବିଧା ପାଇବେ । ଡିଜିଟାଲ୍‌ ବକ୍ସଗୁଡ଼ିକୁ ପରସ୍ପର ସହ ସଂଯୋଗ କରି ପରିଚାଳନା କରିବା ପାଇଁ ଏକ ନୂଆ ଜ୍ଞାନକୌଶଳ ବିକାଶ କରାଯାଉଛି । ଖୁବ୍‌ଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ । ଫଳରେ ଗ୍ରାହକମାନେ କୌଣସି ଅତିରିକ୍ତ ଖର୍ଚ୍ଚ ନ କରି ସେମାନଙ୍କ କେବଲ୍‌ ଅପରେଟର ବା ଡିଟିଏଚ୍‌ ସେବା ପ୍ରଦାନକାରୀ ବଦଳାଇ ପାରିବେ ।
ଏବେ ବି କିଛି ଗ୍ରାହକ ନିଜ ଡିଟିଏଚ୍‌ ବା କେବଲ୍‌ ଅପରେଟରଙ୍କ ମନମୁଖି କାର୍ଯ୍ୟ ଦ୍ୱାରା ଅତିଷ୍ଠ ହୋଇପଡ଼ୁଛନ୍ତି । ଏ ସଂକ୍ରାନ୍ତ ଅଭିଯୋଗମାନ ବଢ଼ିବାରେ ଲାଗିଛି । ତେଣୁ ମୋବାଇଲ୍‌ ଫୋନ୍‌ ସେବାରେ ପୋର୍ଟେବିଲିଟି ବ୍ୟବସ୍ଥା ଦ୍ୱାରା ଗ୍ରାହକମାନେ ଯେଉଁଭଳି ଭାବେ ଉପକୃତ ହେଉଛନ୍ତି, ସେମିତି ଡିଟିଏଚ୍‌ ଏବଂ କେବଲ୍‌ ଟିଭି ସେବାରେ ମଧ୍ୟ ସୁବିଧା ପାଇବେ ।
ଟ୍ରାଇ ଅଧ୍ୟକ୍ଷ ଆର୍‌ ଏସ୍‌ ଶର୍ମା କହିଛନ୍ତି, ପ୍ରସାରଣ କ୍ଷେତ୍ରରେ ଅନ୍ତଃସଂଯୋଗ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ସେଟ୍‌-ଟପ୍‌ ବକ୍ସଗୁଡ଼ିକୁ ଅନ୍ତଃସଂଯୋଗ କରାଯିବା ଦ୍ୱାରା ଗ୍ରାହକମାନେ ଯେଉଁ ସେଟ୍‌ ଟପ୍‌ ବକ୍ସ ବ୍ୟବହାର କରୁଥିଲେ ବି ଅପରେଟର ବଦଳାଇ ପାରିବେ । ଅପରେଟର୍‌ଙ୍କ ସେବାକୁ ନେଇ ସେମାନଙ୍କର ଅଭିଯୋଗ ଥିଲେ ସେମାନେ ନିଜ ଇଚ୍ଛା ଅନୁସାରେ ତାହାକୁ ବଦଳାଇ ପାରିବେ ବୋଲି ଶର୍ମା କହିଛନ୍ତି ।
ଅନ୍ୟପକ୍ଷରେ ଟ୍ରାଇର ଏଭଳି ମହତ୍ତ୍ୱାକାଂକ୍ଷୀ ବ୍ୟବସ୍ଥାକୁ ଡିଟିଏଚ୍‌ ଓ କେବଲ୍‌ ଟିଭି ଅପରେଟରମାନେ ବିରୋଧ କରିପାରନ୍ତି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି । କଣ୍ଟେଣ୍ଟ ବିତରଣକାରୀଙ୍କ କହିବାନୁଯାୟୀ ପ୍ରତ୍ୟେକ ଅପରେଟର୍‌ଙ୍କ ଏସ୍‌ଟିବି (ସେଟ୍‌-ଟପ୍‌ ବକ୍ସ)କୁ ଏନ୍‌କ୍ରିପ୍ଟ କରାଯାଇଛି । ତେଣୁ ପୋର୍ଟେବିଲିଟି ବ୍ୟବସ୍ଥା ଲାଗୁ କରିବା କଷ୍ଟକର ହୋଇପଡ଼ିବ ।
ଶିଳ୍ପ ଅଧିକାରୀଙ୍କ କହିବାନୁଯାୟୀ ପ୍ରତ୍ୟେକ ଏସ୍‌ଟିବିରେ ଭିନ୍ନ ଭିନ୍ନ ସଫ୍ଟୱେର ରହିଛି । ଫଳରେ ଏହା ଭିନ୍ନ କମ୍ପାନିଙ୍କ ଦ୍ୱାରା ବ୍ୟବହୃତ ହୋଇପାରିବ ନାହିଁ । ଏ ବାବଦରେ ଶର୍ମା କହିଛନ୍ତି, ବକ୍ସଗୁଡ଼ିକରେ ଏକ ସ୍ୱତନ୍ତ୍ର ସଫ୍ଟୱେର ଖଞ୍ଜାଯିବ, ଯାହା କ୍ରୟ ପରେ ସଫ୍ଟୱେର ଡାଉନ୍‌ଲୋଡ୍‌କୁ ଅନୁମତି ଦେବ । ଉଦାହରଣସ୍ୱରୂପ ଗ୍ରାହକଙ୍କୁ ପ୍ରଥମେ ଏକ ନ୍ୟୁଟ୍ରାଲ୍‌ ଏସ୍‌ଟିବି କିଣିବାକୁ ହେବ । ଏହାପରେ ଗ୍ରାହକମାନେ ଯେଉଁ ସେବା ପ୍ରଦାନକାରୀଙ୍କୁ ବାଛିବେ, ସେମାନଙ୍କ ସଫ୍ଟୱେରକୁ ଏଥିରେ ଖଞ୍ଜାଯିବ ।
ଏ ବାବଦରେ ଏକ ପ୍ରତିକାର ବ୍ୟବସ୍ଥା ଆଣିବା ପାଇଁ ସରକାରୀ ଏଜେନ୍ସି ଏବଂ ବାହାର ପରାମର୍ଶକାରୀ ସଂସ୍ଥା ସହିତ ଟ୍ରାଇ ଏବେ କାର୍ଯ୍ୟ କରୁଛି । ଏହା ଏକ ବୈଷୟିକ ସମସ୍ୟା ଏବଂ ଏହାକୁ ତୁରନ୍ତ ପ୍ରତିକାର କରାଯିବ ବୋଲି ଶର୍ମା କହିଛନ୍ତି । ତାଙ୍କ କହିବାନୁଯାୟୀ ଚଳିତବର୍ଷ ଶେଷ ସୁଦ୍ଧା ଗ୍ରାହକମାନେ ସମ୍ଭବତଃ ଏହି ସୁବିଧା ପାଇପାରିବେ । ଉଲ୍ଲେଖଯୋଗ୍ୟ, ଦେଶରେ ଏବେ ୧୬ କୋଟିରୁ ଅଧିକ ପେ-ଟିଭି ଉପଭୋକ୍ତା ରହିଛନ୍ତି । ଅନ୍ୟପକ୍ଷରେ ଫେବ୍ରୁଆରୀ ୧ ସୁଦ୍ଧା ଗ୍ରାହକମାନେ ନୂଆ ଟାରିଫ୍‌ ବ୍ୟବସ୍ଥାରେ ସାମିଲ ହେବେ ବୋଲି ଶର୍ମା କହିଛନ୍ତି ।

ସମ୍ବନ୍ଧିତ ଖବର