ନୂଆଦିଲ୍ଲୀ, ୧୩/୦୧ : ପୋଷ୍ଟ ଅଫିସର ଜବରଦସ୍ତ ସ୍କିମ୍। ସୁରକ୍ଷିତ ନିବେଶ, ଢାସୁ ରିଟର୍ଣ୍ଣ। ଟଙ୍କା ବୁଡ଼ିବନି କି ସୁଧ କମିବନି। ଟୋଟାଲ୍ ରିସ୍କ ଫ୍ରି। ଦିନକୁ ମାତ୍ର ୨୦୦ ଟଙ୍କା ସଞ୍ଚୟ କରିଦେବ ଲକ୍ଷପତି। ଯୁବକ ହୁଅନ୍ତୁ କି ବୃଦ୍ଧ ଅବା ମହିଳା ସମସ୍ତଙ୍କ ପାଇଁ ଏହି ସ୍କିମ୍। ଗ୍ୟାରେଣ୍ଟି ଦେବେ ଖୋଦ ସରକାର। ଆଖିବୁଜି କରିପାରିବେ ନିବେଶ। ଏମିତି ସ୍କିମ୍ ସନ୍ଧାନରେ ଅଛନ୍ତି କି ? ତାହେଲେ ଦେଖନ୍ତୁ ଏହି ଖବର... ଆପଣଙ୍କୁ ଲକ୍ଷପତି କରିଦେବ ଭାରତୀୟ ଡାକ।

ପୋଷ୍ଟ ଅଫିସ୍ ରିକରିଂ ଡିପୋଜିଟ୍ ସ୍କିମ୍... ଏହି ସ୍କିମ୍ରେ ୧୮ ବର୍ଷରୁ ଉର୍ଦ୍ଧ୍ଵ ମାତ୍ର ୧୦୦ ଟଙ୍କା ଦେଇ ଆକାଉଣ୍ଟ ଖୋଲି ପାରିବେ। ଦିନକୁ ମାତ୍ର ୨୦୦ ଟଙ୍କା ଥୋଇବାକୁ ପଡ଼ିବ। ଏହାର ମାଚ୍ୟୁରିଟି ପିରିୟଡ୍ ୫ ବର୍ଷ। ଚାହିଁଲେ ଆହୁରି ୫ ବର୍ଷ ଯାଏଁ ବଢାଇପାରିବେ। ଏହି ସ୍କିମ୍ ରେ ନିବେଶକ ଋଣ ବି ନେଇପାରିବେ। ଏଥିପାଇଁ କିଛି ନିୟମ ରହିଛି। ବର୍ଷେ ଯାଏଁ ଆକାଉଣ୍ଟ ଚାଲୁ ରହିବା ଦରକାର। ଏହାପରେ ଯାଇ ଜମା ରାଶିର ୫୦ ପ୍ରତିଶତ ଋଣ ନେଇପାରିବେ। ଏହା ଉପରେ ମାତ୍ର ୨ ପ୍ରତିଶତ ସୁଧ ଲାଗିବ। ରିକରିଂ ଡିପୋଜିଟ୍ ସ୍କିମ୍ ରେ ନିବେଶକଙ୍କୁ ପ୍ରି-ମାଚ୍ୟୁଓର କ୍ଲୋଜର ସୁବିଧା ବି ମିଳିବ। ଅର୍ଥାତ୍ ମାଚ୍ୟୁରିଟି ପିରିୟଡ୍ ପୂର୍ବରୁ ଚାହିଁଲେ ଟଙ୍କା ଉଠାଇ ପାରିବେ। ନିବେଶ କରିବାର ୩ ବର୍ଷ ପରେ ଟଙ୍କା ଉଠାଇ ହେବ। ଯଦି ନିବେଶକଙ୍କ ମୃତ୍ୟୁ ହୁଏ, ତାହେଲେ ନୋମିନି ଟଙ୍କା କ୍ଲେମ୍ କରିପାରିବେ କିମ୍ଵା ନିବେଶ ଜାରି ରଖିପାରିବେ। ତେବେ ଜାଣନ୍ତୁ ୨୦୦ ଟଙ୍କାରେ ୧୦ ଲକ୍ଷ ଟଙ୍କାର ହିସାବ।

ନିବେଶକ ଦିନକୁ ୨୦୦ ଟଙ୍କା ସଞ୍ଚୟ କଲେ ମାସକୁ ୬୦୦୦ ଟଙ୍କା ସେଭିଂ କରିବେ। ଏହିପରି ଭାବେ ୫ ବର୍ଷରେ ୩ ଲକ୍ଷ ୬୦ ହଜାର ଟଙ୍କା ଜମା କରିବେ। ସରକାର ଏଥିରେ ୬୮ ହଜାର ୧୯୭ ଟଙ୍କା ସୁଧ ଦେବେ। ଆପଣଙ୍କର ଫଣ୍ଡ ୪ ଲକ୍ଷ ୨୮ ହଜାର ୧୯୭ ଟଙ୍କା ହେବ। ଏହାପରେ ଇନଭେଷ୍ଟର୍ସ ଆସନ୍ତା ୫ ବର୍ଷ ଯାଏଁ ଏହାକୁ ବଢାଇବେ। ୧୦ ବର୍ଷ ପରେ ମୋଟ ଜମା ରାଶି ୭.୨୦ ଲକ୍ଷ ହେବ। ଆପଣଙ୍କୁ କେବଳ ସୁଧ ୨ ଲକ୍ଷ ୫ ହଜାର ୧୩୧ ଟଙ୍କା ମିଳିବ। ସବୁ ମିଶାଇଲେ ୧୦ ବର୍ଷରେ ୧୦ ଲକ୍ଷ ୨୫ ହଜାର ୧୩୧ ଟଙ୍କା ମିଳିବ।