କୋଲକାତା, ୬।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ସମଗ୍ର ରାଜ୍ୟରେ ଏକ ଭୟଙ୍କର ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି । ଶାସକ ତୃଣମୂଳ କଂଗ୍ରେସ (ଟିଏମସି) ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ଚାଲିଥିବା ରକ୍ତାକ୍ତ ସଂଘର୍ଷରେ ଅତିକମରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶତାଧିକ କର୍ମୀ ଗୁରୁତର ଭାବେ ଆହତ ହୋଇଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦଳୀୟ କାର୍ଯ୍ୟାଳୟଗୁଡ଼ିକୁ ଭଙ୍ଗାରୁଜା କରିବା ସହ ଜଳାଇ ଦିଆଯାଇଛି, ଯାହାକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।
କୋଲକାତାରେ ୨୪ ଘଣ୍ଟା ମଧ୍ୟରେ ଦୁଇଟି ହତ୍ୟାକାଣ୍ଡ:
ରାଜଧାନୀ କଲକାତାରେ ମାତ୍ର ୨୪ ଘଣ୍ଟା ମଧ୍ୟରେ ଦୁଇଟି ମୃତ୍ୟୁ ଖବର ସାମ୍ନାକୁ ଆସିଛି । ବେଲେଘାଟା ଅଞ୍ଚଳରେ ୪୫ ବର୍ଷୀୟ ତୃଣମୂଳ ନିର୍ବାଚନ ଏଜେଣ୍ଟ ବିଶ୍ୱଜିତ ପଟ୍ଟନାୟକଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶରୀର ତାଙ୍କ ଘର ଦୁଆର ମୁହଁରୁ ଉଦ୍ଧାର କରାଯାଇଛି । ପୁଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, ଦୁର୍ବୃତ୍ତମାନେ ତାଙ୍କୁ ଗୋଡ଼ାଇବାରୁ ସେ ଛାତ ଉପର ଦେଇ ଖସିଯିବାକୁ ଚେଷ୍ଟା କରିବା ବେଳେ ତଳକୁ ପଡ଼ିଯାଇଥିଲେ । କିନ୍ତୁ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଘରୁ ଟାଣି ନେଇ ନିର୍ମମ ଭାବେ ପିଟି ପିଟି ହତ୍ୟା କରାଯାଇଛି । ଏହି ଘଟଣା ୨୦୨୧ ମସିହାରେ ହୋଇଥିବା ବିଜେପି କର୍ମୀ ଅଭିଜିତ ସରକାରଙ୍କ ହତ୍ୟାକାଣ୍ଡର ସ୍ମୃତିକୁ ତାଜା କରିଦେଇଛି । ଅନ୍ୟପଟେ ନ୍ୟୁ ଟାଉନ ଅଞ୍ଚଳରେ ୪୬ ବର୍ଷୀୟ ବିଜେପି କର୍ମୀ ମଧୁ ମଣ୍ଡଳଙ୍କର ତୃଣମୂଳ ସମର୍ଥକଙ୍କ ସହ ହୋଇଥିବା ସଂଘର୍ଷରେ ମୃତ୍ୟୁ ହୋଇଛି । ଦଳୀୟ କାର୍ଯ୍ୟାଳୟର ଦଖଲକୁ ନେଇ ହୋଇଥିବା ଧସ୍ତାଧସ୍ତିରେ ତାଙ୍କୁ ଲାତ ମରାଯିବା ସହ ଠେଲି ଦିଆଯାଇଥିଲା, ଯାହା ପରେ ସେ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ବି ହିଂସା:
ହିଂସାର ନିଆଁରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ବାଚନ ମଣ୍ଡଳୀ ଭବାନୀପୁର ମଧ୍ୟ ବାଦ୍ ପଡ଼ିନାହିଁ । ସେଠାରେ ଜଣେ କାଉନସିଲରଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା କରାଯାଇ ନିଆଁ ଲଗାଇ ଦିଆଯାଇଛି । କେବଳ ସେତିକି ନୁହେଁ, କଲକାତା ବିଶ୍ଵବିଦ୍ୟାଳୟ କ୍ୟାମ୍ପସରେ ମଧ୍ୟ ଛାତ୍ର ସଂଗଠନଗୁଡ଼ିକ ମଧ୍ୟରେ ମାରପିଟ୍ ହୋଇଥିବା ଖବର ମିଳିଛି । ବେହାଲା, କାଳୀଘାଟ ଓ ଶ୍ୟାମପୁକୁର ପରି ଅଞ୍ଚଳରେ ଦଳୀୟ ପତାକା ଚିରିବା ସହ ଗାଡ଼ିଗୁଡ଼ିକୁ ଭାଙ୍ଗି ଦିଆଯାଇଛି ।
କୋଲକାତା ବାହାରେ ମଧ୍ୟ ସ୍ଥିତି ଗମ୍ଭୀର:
ଉଦୟନାରାୟଣପୁର: ଉଦୟନାରାୟଣପୁରରେ ୪୫ ବର୍ଷୀୟ ବିଜେପି କର୍ମୀ ଯାଦବ ବାର୍ଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପୁଲିସ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରିଛି ।
ନାନୁର: ବୀରଭୂମର ନାନୁରରେ ତୃଣମୂଳ କର୍ମୀ ଅବିର ଶେଖ୍ଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି । ପରିବାର ଲୋକ ବିଜେପି ଉପରେ ଦୋଷ ଲଦିଥିବା ବେଳେ ବିଜେପି ଏହାକୁ ଦଳୀୟ ଅନ୍ତଃକନ୍ଦଳ ବୋଲି କହିଛି ।
ଜଲପାଇଗୁଡ଼ି: ଉତ୍ତର ବଙ୍ଗଳାର ଏହି ଜିଲ୍ଲାରୁ ମଧ୍ୟ ନୂତନ ଭାବେ ସଂଘର୍ଷର ଖବର ମିଳୁଛି ।
ପୁଲିସ ଓ ପ୍ରଶାସନର ପଦକ୍ଷେପ:
ବ୍ୟାପକ ହିଂସାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମ୍ବେଦନଶୀଳ ଅଞ୍ଚଳରେ କେନ୍ଦ୍ରୀୟ ବାହିନୀ ମୁତୟନ କରାଯାଇଛି । ପୁଲିସ କହିଛି ଯେ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ଅଛି ଏବଂ ସୋସିଆଲ ମିଡିଆରେ ଗୁଜବ ପ୍ରସାର ନକରିବାକୁ ଚେତାବନୀ ଦିଆଯାଇଛି । ତେବେ ରାଜ୍ୟର କୋଣ ଅନୁକୋଣରେ ଏବେ ବି ଉତ୍ତେଜନା ଲାଗି ରହିଛି, ଯାହାକି ଆଗାମୀ ଦିନରେ ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇପାରେ ।
ଆହୁରି ପଢ଼ନ୍ତୁ... ପଶ୍ଚିମବଙ୍ଗରେ ନୂଆ ବିଧାନସଭା ଗଠନ ପାଇଁ ଖୋଲିଲା ରାସ୍ତା; ରାଜ୍ୟପାଳଙ୍କୁ ନୋଟିଫିକେସନ୍ ପଠାଇଲେ ନିର୍ବାଚନ କମିଶନ