ନୂଆଦିଲ୍ଲୀ,୧୬/୧୧:  ସବୁ ଋତୁରେ ମିଳୁଥିବା ପରିବା ମଧ୍ୟରେ ଆଳୁ ଅନ୍ୟତମ । ଭାରତୀୟ ବଜାରରେ ଏହା ଅତିବେଶିରେ ୨୫ ଟଙ୍କାରେ ମିଳୁଛି । କିନ୍ତୁ ଅନେକ ଦେଶରେ ଆଳୁର ମୂଲ୍ୟ ଆକାଶଛୁଆଁ । ତେବେ ବିଶ୍ୱର ସବୁଠୁ ମହଙ୍ଗା ଆଳୁ ମିଳୁଥିବା ଦେଶ ହେଉଛି ଫ୍ରାନ୍ସ । ଏଠାରେ ଚାଷ ହେଉଥିବା ଲେ ବୋନେଟେ କିସମର ଆଳୁକୁ ବିଶ୍ୱର ସବୁଠୁ ମହଙ୍ଗା ଆଳୁ କୁହାଯାଏ । ଏହାର ମୂଲ୍ୟ କିଲୋ ପିଛା ପ୍ରାୟ ୧ ଲକ୍ଷ ଟଙ୍କା । ଏତେ ମହଙ୍ଗା ହୋଇ ମଧ୍ୟ ଲୋକେ ଧାଡ଼ିରେ ଠିଆ ହୋଇ ଆଳୁ କିଣନ୍ତି । ଏହାର କାରଣ ହେଉଛି ବିଶ୍ୱରେ ଏହାର ବାର୍ଷିକ ଉତ୍ପାଦନ କେବଳ ୧୦୦ ଟନ୍‌ ।

ପ୍ରତି ବର୍ଷ କେବଳ ମେ’ ଓ ଜୁନ୍‌ରେ ହିଁ ଏହି ଆଳୁ ବିକ୍ରି ପାଇଁ ଉପଲବ୍ଧ ହୁଏ । ଆଟ୍‌ଲାଣ୍ଟିକ୍‌ ମହାସାଗରରେ ଲୋଇର ଅଞ୍ଚଳରେ ସ୍ଥିତ ଫ୍ରାନ୍ସର ନୋଇରମୋଉଟିୟର ଦ୍ୱୀପରେ ଏହି ଆଳୁ ଚାଷ ହୁଏ । ନିଆରା ସ୍ୱାଦ ପାଇଁ ଏହାର ଚାହିଦା ବହୁତ ଅଧିକ । ସ୍ଥାନୀୟ ଚାଷୀ ବେନୋଇଟ ବୋନୋଟେଙ୍କଠୁ ଆଳୁର ନାମକରଣ ହୋଇଛି । ସେ ସର୍ବପ୍ରଥମେ ଏହି ଆଳୁ ଚାଷ କରିଥିବା କୁହାଯାଏ । ପରମ୍ପରାଗତ ତରିକାରେ ସମ୍ପୂର୍ଣ୍ଣ ହାତରେ ଏହାକୁ ଚାଷ କରାଯାଏ । ଏହାର ଆକାର ଛୋଟ, ଚୋପା ବି ଖୁବ୍‌ ପତଳା । ଏହାକୁ ସିଝାଇ ବଟର୍‌ ଓ ଲୁଣ ସହିତ ଖିଆଯାଏ ।