ଭବାନୀପାଟଣା, ୧୯।୮ : କଳାହାଣ୍ଡି ଜିଲ୍ଲା ଥୁଆମୂଳା ରାମପୁର ବ୍ଲକ୍ ଗୁଣୁପୁର ପଞ୍ଚାୟତ ବାଳିସରା ଗାଁରେ କୁମ୍ଭକାରଙ୍କ ପେଟକୁ ଲାତ। ବଡ଼ ବଡ଼ ସ୍ଵପ୍ନ ଦେଖାଇ ଭାତ ହାଣ୍ଡି ଭାଙ୍ଗିଦେଲେ ସରକାରୀ ବାବୁ । ୨୦୨୨ ମସିହାରେ ଓରମାସ୍ ଟେରାକୋଟା ୟୁନିଟ୍ ସ୍ଥାପନ କରାଯିବ କହି ପୁରୁଣା କୁମ୍ଭାରଶାଳ ବା ହାଣ୍ଡିଶାଳକୁ ପ୍ରଶାସନ ପକ୍ଷରୁ ଭଙ୍ଗା ଯାଇଥିଲା। ଇତି ମଧ୍ୟରେ ୩ ବର୍ଷ ବିତି ଯାଇଥିଲେ ବି ଏପର୍ଯ୍ୟନ୍ତ ଗାଁରେ ଟେରାକୋଟା ୟୁନିଟ୍ ସ୍ଥାପନ ହେଲା ନାହିଁ। ଏନେଇ ବାରମ୍ଵାର ଥୁଆମୂଳା ରାମପୁର ବିଡିଓଙ୍କ ସମେତ ଜନ ଅଭିଯୋଗ ଶୁଣାଣି ଶିବିରରେ ଲିଖିତ ଅଭିଯୋଗ କଲେ ସୁଦ୍ଧା କେହି କର୍ଣ୍ଣପାତ କରୁ ନାହାଁନ୍ତି । ତେଣୁ ସୋମବାର ପଞ୍ଚାୟତର କୁମ୍ଭାରକାର ପରିବାର କଳାହାଣ୍ଡି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ।
ସୂଚନାନୁଯାୟୀ, ବାଲିସରା ଗ୍ରାମବାସୀ ଟେରାକୋଟା ସଃରାମ ଉତ୍ପାଦକ ଗ୍ରୁପ୍ କରି ଗ୍ରାମର ସମସ୍ତ କୁମ୍ଭାରକାର ପରିବାର ମାଟି ସାମଗ୍ରୀ ତିଆରି କରି ପରିବାର ପ୍ରତିପୋଷଣ କରି ଆସୁଛନ୍ତି । ଗତ ୨୦୨୨ ମସିହାରେ ଓଡ଼ିଶା ଜୀବିକା ମିଶନ, ଓରମାସରୁ ଏହି ଗ୍ରାମରେ ଏକ ଟେରାକୋଟା ୟୁନିଟ୍ ସ୍ଥାପନ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଓଏଲଏମର ତତ୍କାଳୀନ ନିର୍ଦ୍ଦେଶକ ଜର୍ଜ କେରକେଟାଙ୍କ ପ୍ରୟାସ କ୍ରମେ ପଶ୍ଚିମ ଓଡ଼ିଶା ବିକାଶ ପାଣ୍ଠିରୁ ଏଥିପାଇଁ ଗତ ମାର୍ଚ୍ଚ ୧୬ ତାରିଖରେ ୨୫ଲକ୍ଷ ଟଙ୍କାର ଅନୁଦାନ ମଧ୍ୟ ଆସିଥିଲା। ପ୍ରଥମେ ଟେରାକୋଟା ୟୁନିଟ୍ ସ୍ଥାପନ ପାଇଁ ସ୍ଥାନ ଦେବାକୁ ଗ୍ରାମବାସୀଙ୍କୁ କୁହାଯାଇଥିଲା। ଗ୍ରାମବାସୀ ଆପୋଷ ବୁଝାମଣା କରିବା ପରେ ଗାଁର ନେପାଲ ନାଏକ ନିଜ ପୈତୃକ ଜମିରୁ ୧୦ ଡିସିମିଲ ଜମି ଦାନ ସୂତ୍ରରେ ସରକାରଙ୍କୁ ଦେଇଥିଲେ। ଯାହାକି ସରକାରଙ୍କ ନାଁରେ ପଞ୍ଜୀକୃତ ହୋଇସାରିଛି। ମାତ୍ର ପରବର୍ତ୍ତୀ ସମୟରେ ଟେରାକୋଟା ୟୁନିଟ୍ ସ୍ଥାପନ ନେଇ ବ୍ଲକ୍ ଉନ୍ନୟନ ଅଧିକାରୀ କିମ୍ବା ପ୍ରଶାସନ ଆନ୍ତରିକତା ଦେଖାଉନଥିବା ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି । ଦୀର୍ଘ ତିନି ବର୍ଷରୁ ହାଣ୍ଡିଶାଳ ଭାଙ୍ଗି ପଡ଼ିଥିବାରୁ କାମ ବାଧାପ୍ରାପ୍ତ ହୋଇଛି । ନିଜ ଘରେ ଯେଣୁତେଣୁ କାମ ଚଳାଇ ମାଟିପାତ୍ର ତିଆରି କରି ପରିବାର ପ୍ରତିପୋଷଣ କରୁଛନ୍ତି । ବାରମ୍ଵାର ବିଡିଓ ଓ ଅନ୍ୟ ଅଧିକାରୀମାନଙ୍କୁ ଗୁହାରି କରିଥିଲେ ସୁଦ୍ଧା ଫଳ ଶୂନ। ଗାଁର ଆନନ୍ଦ ଚଲାନ, ଜୟ ନାଏକ,ରତନ ଚଲାନ, ଗୋପାଳ ନାଏକ, ସଦନ ଚଲାନ, ଚନ୍ଦ୍ର ନାଏକ, ସଦା ଚଲାନ, ଅଶୋକ ନାଏକ ସମେତ ଅନ୍ୟ ଗ୍ରାମବାସୀ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଲିଖିତ ଭାବେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।