ବୈଜ୍ଞାନିକମାନେ କର୍କଟ ମୁକାବିଲାରେ ଫଳପ୍ରଦ ଚିକିତ୍ସାର ନୂଆ ଉପାୟ ପାଇଛନ୍ତି । ଜାପାନିଜ୍ ଟ୍ରି ଫ୍ରଗ୍ (ବେଙ୍ଗ)ର ଗଟ୍ ବ୍ୟାକ୍ଟେରିଆରେ ସେମାନେ କର୍କଟ-ରୋଧୀ ଔଷଧ ପାଇଛନ୍ତି । ଗୋଟିଏ ଷ୍ଟ୍ରେନ୍ ମୂଷାର ଟ୍ୟୁମର୍ କୁ ସମ୍ପୂର୍ଣ୍ଣ ରୂପେ କମାଇ ଦେଉଥିବା ପରୀକ୍ଷାରୁ ଜଣାପଡ଼ିଛି । ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ବି ସାମ୍ନାକୁ ଆସିନାହିଁ । ଜାପାନିଜ୍ ଟ୍ରି ଫ୍ରଗ୍ର ବୈଜ୍ଞାନିକ ନାଁ ଡ୍ରାଏଓଫାଇଟ୍ସ ଜାପୋନିକସ୍ । ଏହାକୁ ଠାବ କରିବା ବୈଜ୍ଞାନିକଙ୍କ ପାଇଁ କୌଣସି ଭାଗ୍ୟର କଥା ନ ଥିଲା । କାରଣ ସେମାନେ ଜାଣନ୍ତି ଯେ, ଉଭୟଚର ଓ ସରୀସୃପଙ୍କୁ କର୍କଟ ରୋଗ ହେବା ବିରଳ । ବେଙ୍ଗଙ୍କ ଶରୀରରୁ ମୂଷା ଶରୀରରେ ଗଟ୍ ବ୍ୟାକ୍ଟେରିଆକୁ ସ୍ଥାନାନ୍ତର କରିବା ଦ୍ୱାରା କୌଣସି କର୍କଟ-ରୋଧୀ ପ୍ରଭାବ ପଡୁଛି କି ନାହିଁ ଜାପାନ ଆଡ୍ଭାନ୍ସଡ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜିର ଅଧ୍ୟୟନକର୍ତ୍ତା ଦେଖିବାକୁ ଚାହୁଁଥିଲେ । ବେଙ୍ଗ, ନ୍ୟୁର୍ଟ ଓ ଝିଟିପିଟିଙ୍କଠାରୁ ମୋଟ୍ ୪୫ ଭିନ୍ନ ଭିନ୍ନ ବ୍ୟାକ୍ଟେରିଆଲ ଷ୍ଟ୍ରେନ୍ କୁ ପରୀକ୍ଷଣ ପାଇଁ ଚୟନ କରାଗଲା । ଏଥିମଧ୍ୟରୁ ୯ ଷ୍ଟ୍ରେନ୍ ରେ ଟ୍ୟୁମର୍ ସହ ମୁକାବିଲା କରିବାର ଉଲ୍ଲେଖଯୋଗ୍ୟ କ୍ଷମତା ଜଣାପଡ଼ିଲା । ଏଗୁଡ଼ିକ ମଧ୍ୟରେ ସବୁଠୁ ପ୍ରଭାବଶାଳୀ ଥିଲା ବେଙ୍ଗ ବ୍ୟାକ୍ଟେରିଆ ‘ଏୱିଙ୍ଗେଲା ଆମେରିକାନା’ ।

ଅଧ୍ୟୟନକର୍ତ୍ତାଙ୍କ ତଥ୍ୟରୁ ଜଣାପଡ଼ିଲା, ନିମ୍ନ ମେରୁଦଣ୍ଡୀ ପ୍ରାଣୀଙ୍କ ଅନ୍ତଃନଳୀରେ ଅସଂଖ୍ୟ ଅପରିଚିତ ବ୍ୟାକ୍ଟେରିଆ ପ୍ରଜାତି ଥାନ୍ତି, ଯାହାଙ୍କ ଚିକିତ୍ସା କ୍ଷମତା ବହୁତ ଅଧିକ । ସେହିପରି ଅନ୍ୟ ଷ୍ଟ୍ରେନ୍ ରେ କ୍ଷଣସ୍ଥାୟୀ ଆଣ୍ଟି-ଟ୍ୟୁମର୍ ପ୍ରଭାବ ଦେଖିବାକୁ ମିଳିଲା । ଇ-ଆମେରିକାନାର ମାତ୍ର ଗୋଟିଏ ଡୋଜ୍ କେବଳ ଚିକିତ୍ସାଧୀନ ମୂଷାଙ୍କ ଟ୍ୟୁମର୍ କୁ ସଙ୍କୁଚିତ କରିଥିଲା ତାହା ନୁହେଁ, ସେମାନଙ୍କ ଟୁମର୍ ସମ୍ପୂର୍ଣ୍ଣ ଉଭାନ୍ ହୋଇଯାଇଥିଲା । ଇ.ଆମେରିକାନା ଦ୍ୱାରା ଚିକିତ୍ସିତ ମୂଷାଙ୍କଠାରେ ୩୦ ଦିନ ପରେ ପୁଣି ଥରେ କର୍କଟ କୋଷିକା ଛଡ଼ାଗଲା, କିନ୍ତୁ ପରବର୍ତ୍ତୀ ମାସରେ ଟ୍ୟୁମର୍ ପୁନଃ ବିକଶିତ ହୋଇନଥିଲା । ପରବର୍ତ୍ତୀ ବିଶ୍ଳେଷଣରୁ ଜଣାପଡ଼ିଲା, ଇ.ଆମେରିକାନା ଦୁଇଟି ମାର୍ଗରେ କାମ କରେ । ଏହା ଟ୍ୟୁମର୍ ଟିସ୍ୟୁକୁ ନଷ୍ଟ କରିବା ସହିତ ଶରୀରର ପ୍ରତିରକ୍ଷା ପ୍ରତିକ୍ରିୟାକୁ ବଢ଼ାଇ ଟି ସେଲ୍, ବି ସେଲ୍ ଓ ନ୍ୟୁଟ୍ରୋଫିଲ୍ସରୁ ଅତିରିକ୍ତ ସାହାଯ୍ୟ ନେଇଥାଏ, ଯାହା ପ୍ରତିରକ୍ଷା ପ୍ରଣାଳୀରେ ପ୍ରମୁଖ ଯୋଦ୍ଧା ଭାବେ କାମ କରନ୍ତି । ଅଧ୍ୟୟନକର୍ତ୍ତାଙ୍କ ଅନୁସାରେ, ଇ.ଆମେରିକାନାର ପ୍ରଭାବ ନିମ୍ନ-ଅମ୍ଳଜାନ ପରିବେଶ (କର୍କଟ ଟ୍ୟୁମର୍ ଭଳି) ରେ ତିଷ୍ଠିବା ନିମନ୍ତେ ତା’ର ବିକାଶ ଉପରେ ନିହିତ, ଯାହା ସାଧାରଣତଃ ପ୍ରତିରକ୍ଷା କୋଷିକାଗୁଡ଼ିକୁ ଦବାଇ ଦିଅନ୍ତି ଏବଂ କେମୋଥେରାପି ଔଷଧ ପ୍ରଭାବକୁ ହ୍ରାସ କରନ୍ତି ।

ପ୍ରାଥମିକ ସ୍ତରରେ ପ୍ରାଣୀଙ୍କ ଉପରେ ଆଧାରିତ ଏହି ଅଧ୍ୟୟନରେ ଇ.ଆମେରିକାନା ସୁରକ୍ଷିତ ଜଣାପଡ଼ିଛି । ବ୍ୟାକ୍ଟେରିଆମାନେ ମୂଷାର ରକ୍ତରୁ ଯଥାଶୀଘ୍ର ସଫା ହୋଇଯାଇଥିଲେ । କୌଣସି ଦୀର୍ଘକାଳୀନ ବିଷାକ୍ତତାର କାରଣ ହୋଇନଥିଲେ ଏବଂ ସୁସ୍ଥ ଅଙ୍ଗଗୁଡ଼ିକୁ ମଧ୍ୟ ପ୍ରଭାବିତ କରିନଥିଲେ । ଡକ୍ସୋରୁବିସିନ୍ ଭଳି କେମୋଥେରାପି ଔଷଧ ସମେତ ବର୍ତ୍ତମାନର ଅନେକ ଚିକିତ୍ସା ତୁଳନାରେ ଇ.ଆମେରିକାନାର ଇଞ୍ଜେକ୍ସନ୍ ମଧ୍ୟ ମୂଷାଙ୍କ ସଙ୍କୁଚିତ ଟ୍ୟୁମର୍ ରେ ଅଧିକ ପ୍ରଭାବଶାଳୀ ହୋଇଥିଲା । ଅଧ୍ୟୟନର ଫଳ ଅନୁସାରେ, ଚିକିତ୍ସକୀୟ ବିକାଶ ନିମନ୍ତେ ଇ.ଆମେରିକାନା ଏକ ଦୃଢ଼ ଓ ସୁରକ୍ଷିତ ସାଥୀ । ତେବେ ଏହି ଅଧ୍ୟୟନ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି । ପ୍ରାଣୀଙ୍କ ଉପରେ ଅଧ୍ୟୟନକୁ ମାନବ ପରୀକ୍ଷଣରେ ରୂପାନ୍ତରିତ କରିବା ଲାଗି ଅନେକ ପରୀକ୍ଷଣର ଆବଶ୍ୟକତା ରହିଛି । ଗବେଷକମାନେ ଜନ୍ତୁଙ୍କଠାରେ ଅନ୍ୟ ପ୍ରକାର କର୍କଟ ବିରୋଧରେ ଇ.ଆମେରିକାନାକୁ ପରୀକ୍ଷା କରିବାକୁ ମଧ୍ୟ ଯୋଜନା କରୁଛନ୍ତି । ଅନ୍ୟ ଚିକିତ୍ସା ଓ ଔଷଧୀୟ ପରୀକ୍ଷଣରେ ଏହା କିଭଳି କାମ କରୁଛି, ସେମାନେ ଜାଣିବାକୁ ଚାହୁଁଛନ୍ତି ।