ନୂଆଦିଲ୍ଲୀ, ୧୮/୦୭ : ନୂଆ ଫିଲ୍ମ ‘ଫୌଜି’କୁ ନେଇ ପୁଣି ଥରେ ଖବରରେ ପ୍ରଭାସ । ହନୁ ରାଘବପୁଡିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ନିଜର ପ୍ରସ୍ତୁତି ଓ ଐତିହାସିକ ପୃଷ୍ଠଭୂମି ପାଇଁ ଭାରତୀୟ ସିନେମାରେ ସବୁଠୁ ଚର୍ଚ୍ଚିତ ପ୍ରୋଜେକ୍ଟ ହୋଇଛି । ପ୍ରାକ୍‌-ସ୍ୱାଧୀନତା ସମୟ ଉପରେ ପର୍ଯ୍ୟବସିତ ‘ଫୌଜି’ରେ ଆକ୍ସନ୍‌, ଦେଶାତ୍ମବୋଧ, ରୋମାନ୍ସ ଓ ଆବେଗର ଭରପୂର ଅନୁଭବ ପାଇବେ ସିନେପ୍ରେମୀ । ଫିଲ୍ମରେ ପ୍ରଭାସ ଭାରତ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟରେ ଆଜାଦ ହିନ୍ଦ ଫୌଜର ଜଣେ ନିର୍ଭୀକ ସୈନ୍ୟ ଭୂମିକାରେ ପରଦାକୁ ଆସବେ ।

ସଦ୍ୟ ମୁକ୍ତିପ୍ରାପ୍ତ ପୋଷ୍ଟରରେ ପ୍ରଭାସଙ୍କୁ ଖଣ୍ଡା ଧରିଥିବା ଦେଖିବାକୁ ମିଳିଛି । ଏଥିସହ ଉଲ୍ଲେଖ ହୋଇଛି ‘ଅଜ୍ଞାତ ପର୍ବ ଶେଷ । ବିଦ୍ରୋହ ଆରମ୍ଭ ।’ ରିପୋର୍ଟ ଅନୁସାରେ, ୬୦୦ କୋଟି ବଜେଟ୍‌ରେ ‘ଫୌଜି’ ପ୍ରସ୍ତୁତ ହେଉଛି ଯାହା ତେଲୁଗୁ ଫିଲ୍ମର ଅନ୍ୟତମ ସବୁଠୁ ମହଙ୍ଗା ଚଳଚ୍ଚିତ୍ର । ନିର୍ମାତା ଏ ବିଷୟରେ ଅଦ୍ୟାବଧି ସ୍ପଷ୍ଟ କରିନଥିଲେ ମଧ୍ୟ ଏହା ଏବେ ସବୁଠୁ ବଡ଼ ଆଲୋଚନାର ବିଷୟ ହୋଇଛି । ୧୯୪୦ ଦଶକର ବ୍ରିଟିଶ ଶାସନର ସୁଟିଂ ସେଟ୍‌, ସେତେବେଳର ପରିଧାନ, ବିଶାଳ ଯୁଦ୍ଧ ସିକ୍ୱେନ୍ସ ଓ ସେ ସମୟର ଦୃଶ୍ୟପଟ୍ଟକୁ ଜୀବନ୍ତ କରିବାରେ ସର୍ବାଧିକ ଖର୍ଚ୍ଚ ହୋଇଥିବା ଚର୍ଚ୍ଚା ହେଉଛି । ଅନ୍ତର୍ଜାତୀୟ ସ୍ତରର ଫିଲ୍ମ ନିର୍ମାଣ ନିର୍ମାତାଙ୍କ ଲକ୍ଷ୍ୟ । ଦର୍ଶକଙ୍କୁ ସର୍ବୋତ୍କୃଷ୍ଟ ସିନେମା ଅନୁଭବ ଦେବା ଲାଗି ପ୍ରଡକ୍ସନ୍‌ ଡିଜାଇନ୍‌, ଟେକ୍ନିକାଲ ବିଭାଗ ଓ ଆକ୍ସନ୍‌ କୋରିଓଗ୍ରାଫି କ୍ଷେତ୍ରରେ ବ୍ୟାପକ ଅର୍ଥ ଖର୍ଚ୍ଚ ହୋଇଛି ।

‘ଫୌଜି’ ଜରିଆରେ ଅଭିନୟ ଦୁନିଆରେ ପାଦ ଥାପିବେ ଇମାନଭି ଇସମାଇଲ । ପ୍ରଭାସଙ୍କ ସହ ମୁଖ୍ୟ ନାୟିକା ଭୂମିକାରେ ସେ ପରଦାକୁ ଆସିବେ । ମିଥୁନ ଚକ୍ରବର୍ତ୍ତୀ, ଅନୁପମ ଖେର ଓ ଜୟାପ୍ରଦା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମ ଆସନ୍ତା ଡିସେମ୍ବର ୩ରେ ବଶ୍ୱସ୍ତରରେ ମୁକ୍ତିଲାଭ କରିବ । ଏହି ବଡ଼ ବଜେଟ୍‌ ଫିଲ୍ମକୁ ନେଇ ଦର୍ଶକ ଖୁବ୍‌ ଉତ୍ସାହିତ । ଐତିହାସିକ ଫିଲ୍ମ ଜରିଆରେ ପ୍ରଭାସଙ୍କ ଦମ୍‌ଦାର ଏଣ୍ଟ୍ରିକୁ ଫ୍ୟାନ୍‌ଙ୍କ ଅପେକ୍ଷା।

ଆହୁରି ପଢନ୍ତୁ- Rekha & Hema Malini : ରେଖାଙ୍କୁ ନେଇ ବଡ଼ ଖୁଲାସା କଲେ ଡ୍ରିମ୍ ଗର୍ଲ ,ଡ୍ୟାନ୍ସ କ୍ଲାସରେ କେମିତି ଥିଲା ରେଖାଙ୍କ ଅନ୍ଦାଜ .. ?

ଜନ୍ମ ତାରିଖରୁ ଜାଣନ୍ତୁ ପ୍ରେମରେ ସଫଳ ହେବେ ନା ବିଫଳ ?| ଭିଡିଓରେ ଦେଖନ୍ତୁ ଜାଣି ନିଅନ୍ତୁ..