ପ୍ରଦୀପ ମହାରଥୀ ପୁଣି ଅସୁସ୍ଥ

ଭୁବନେଶ୍ୱର,୩୦ା୫: ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପୁଣି ବିଗିଡ଼ିଛି । ଆଜି ରାତି ପ୍ରାୟ ୧୧ଟା ବେଳେ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ତାଙ୍କୁ ନର୍ସିଂ ହୋମ୍-୫ରେ ରଖାଯାଇଛି । ତାଙ୍କର ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ଥିବା ଡାକ୍ତର ସୂଚନା ଦେଇଛନ୍ତି । ତେବେ ଏହି ଖବର ଜାଣିବା ପରେ ତାଙ୍କର ସମର୍ଥକମାନଙ୍କ ସୁଅ ଛୁଟିଛି କ୍ୟାପିଟାଲ୍ ହସ୍ପିଟାଲ୍କୁ । ଆସନ୍ତାକାଲି ଭିତରେ ଯଦି ତାଙ୍କ ସ୍ୱାସ୍ଥ୍ୟ ଠିକ୍ ନ ହୁଏ, ତେବେ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯିବ ବୋଲି ଜଣାପଡ଼ିଛି ।
ନିର୍ବାଚନ ପୂର୍ବ ଦିନ ଫ୍ଲାଇଂ ସ୍କ୍ୱାଡ୍ ଅଧିକାରୀଙ୍କୁ ମାଡ଼ ମାରି ଗିରଫ ହୋଇ ଜେଲ୍ ଯାଇଥିଲେ । ଜେଲ୍ରେ କିଛି ସମୟ ରହିବା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ଘଟିଥିଲା । ପ୍ରଥମେ ତାଙ୍କୁ ଝାରପଡ଼ା ଜେଲ୍ରେ ଚିକିତ୍ସା କରା ଯାଇଥିଲା । ସେଠାରେ ତାଙ୍କ ଅବସ୍ଥାରେ ଉନ୍ନତି ନ ହେବାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରା ଯାଇଥିଲା । ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିବା ସମୟରେ ତାଙ୍କୁ ଜାମିନ ମିଳିଥିଲା ।